ଡାଆଣୀ ସନ୍ଦେହରେ ମାଇଁର ମୁଣ୍ଡକାଟ, କଟାମୁଣ୍ତ ଧରି ଆତ୍ମସମର୍ପଣ

ଖୁଣ୍ଟା/କୁଆମରା : ଡାଆଣୀ ସନ୍ଦେହରେ ମାଇଁର ମୁଣ୍ଡ କାଟିଦେଲା। ଖାଲି ସେତିକି ନୁହେଁ, କଟାମୁଣ୍ତ ଧରି ପୁଲିସ ନିକଟରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଭଣଜା। ଆଦିବାସୀବହୁଳ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ କରକଚିଆ ଗାଁରେ ପୁଣିଥରେ ଅନ୍ଧବିଶ୍ବାସର ଏହି ଭୟଙ୍କର ଚିତ୍ର ଦେଖିବାକୁ ମିଳିଛି।

ସୂଚନା ମୁତାବକ କରକଚିଆ ଗ୍ରାମର କନ୍ଦା ସିଂଙ୍କ ପୁଅ ବୁଧରାମ ସିଂଙ୍କର ଦୁଇଟି ସନ୍ତାନ। ବଡ଼ଝିଅ (୪) ଗତ କିଛିଦିନ ଧରି ଅସୁସ୍ଥ ଥିବାବେଳେ ସେହି ଗ୍ରାମର ସମ୍ପର୍କୀୟ ମାଇଁ ଡେମ୍ପର ସିଂ (୬୦) ବହୁ ସମୟରେ ଝିଅଟିର ଦେଖାଶୁଣା କରୁଥିଲେ। ସପ୍ତାହ ତଳେ ଅସୁସ୍ଥ ଝିଅଟିର ମୃତ୍ୟୁ ଘଟିଥିଲା। ଝିଅର ମୃତ୍ୟୁ ପାଇଁ ବୁଧରାମ ତାଙ୍କ ମାଇଁ ଡେମ୍ପରଙ୍କୁ ଦାୟୀ କରିବା ସହ ଡାଆଣୀ ସାଜି ଝିଅକୁ ମାରି ଦେଇଥିବାର ସନ୍ଦେହ କରିଥିଲେ। ସଂଯୋଗବଶତଃ ଏହାରି ମଧ୍ୟରେ ବୁଧରାମଙ୍କ ସାନଭାଇର ଝିଅ ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲା। ଏଥିପାଇଁ ଆଜି ସକାଳେ ପୂଜାପାଠ ଚାଲିଥିଲା। ତେବେ ପୂଜାସ୍ଥଳରେ ଉପସ୍ଥିତ ଥିବା ସମ୍ପର୍କୀୟ ମାମୁଁ ଲେପ ସିଂ ଏହି ଘଟଣାରେ ନିଜ ପତ୍ନୀ ଡେମ୍ପରଙ୍କ ଭୂମିକା ଥିବା ନେଇ ପ୍ରକାଶ କରିବା ପରେ ବୁଧରାମ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲା। ରାଗ ତମତମ ହୋଇ ଘରୁ ଏକ ଟାଙ୍ଗିଆ ଧରି ମାଇଁକୁ ହତ୍ୟା କରିବା ପାଇଁ ବାହାରି ଯାଇଥିଲା। ପରେ ଗାଁ ନିକଟ ନୂଆସାହି ଛକ ନିକଟରେ ମାଇଁକୁ ଦେଖିବା ପରେ ହାତରେ ଧରିଥିବା ଟାଙ୍ଗିଆରେ ହାଣି ଶରୀରରୁ ମୁଣ୍ତକୁ ଅଲଗା କରି ଦେଇଥିଲା। ପରେ କଟାମୁଣ୍ତକୁ ନିଜ ଗାମୁଛାରେ ବାନ୍ଧି ଥାନାକୁ ଆତ୍ମସର୍ମପଣ କରିବାକୁ ଆସୁଥିବାବେଳେ ଖବର ପାଇ ପୁଲିସ ଅଭିଯୁକ୍ତକୁ ଅଧାବାଟରୁ ଗିରଫ କରିଛି ।

ସମ୍ବନ୍ଧିତ ଖବର