ପୁରୀରେ ହତ୍ୟା ଉଦ୍ୟମ ଅଭିଯୁକ୍ତକୁ କରୋନା, କୁମ୍ଭାରପଡ଼ା ଥାନାର ସମସ୍ତଙ୍କ ସ୍ବାବ୍ ପରୀକ୍ଷା ହେବ

ଯାଞ୍ଚ କରିଥିବା ସବୁ ଜେଲ୍ କର୍ମଚାରୀ ସଂଗରୋଧରେ, ଚିନ୍ତାରେ ପୁଲିସ, ଜେଲ୍ କର୍ମଚାରୀ, ଆଇନଜୀବୀ

ପୁରୀ : କୁମ୍ଭାରପଡ଼ା ପୁଲିସ ଦ୍ବାରା ଗତକାଲି ହତ୍ୟା ଉଦ୍ୟମ ଅଭିଯୋଗରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ କରୋନା ଆକ୍ରାନ୍ତ ବୋଲି ରିପୋର୍ଟ ଆସିବା ପରେ ପୁଲିସ ବିଭାଗର ଚିନ୍ତା ବଢ଼ିଯାଇଛି। କୁମ୍ଭାରପଡ଼ା ଥାନାର ସମସ୍ତ କର୍ମଚାରୀ ଓ ଅଧିକାରୀମାନଙ୍କ ସ୍ବାବ୍‌ ପରୀକ୍ଷା ଲାଗି ସମସ୍ତଙ୍କୁ ଗୋଟିଏ ସ୍ଥାନରେ ରଖାଯାଇଛି ବୋଲି ପୁରୀ ଏସ୍‌ପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ଏହି ଖବର ପ୍ରଚାର ହେବା ପ‌ରେ ପୁଲିସ କର୍ମଚାରୀମାନଙ୍କ ମନରେ ଛାନିଆ ପଶିଯାଇଛି। କେବଳ ସେତିକି ନୁହେଁ, ଅଭି‌ଯୁକ୍ତକୁ କୋର୍ଟଚାଲାଣ କରିବା ପରେ ଜେଲ ପଠାଇ ଦିଆଯାଇଥିବାରୁ ଜେଲ‌ରେ ମଧ୍ୟ ଅଭିଯୁକ୍ତ ଜଣକ ଅନେକଙ୍କ ସଂସ୍ପର୍ଶରେ ଆସିଛନ୍ତି। ତେଣୁ ପୁରୀ ଜିଲ୍ଲା କାରଗାରର ଅନ୍ତେବାସୀ ଓ ଜେଲ୍‌ କର୍ମଚାରୀଙ୍କୁ ନେଇ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ଆଜି ଦିନ ସାଢ଼େ ଦୁଇଟାରେ ଏହି ରିପୋର୍ଟ ଆସିବା ପରେ ଅଭିଯୁକ୍ତକୁ ଯାଞ୍ଚ କରିଥିବା ସମସ୍ତ ଜେଲ୍ କର୍ମଚା‌ରୀଙ୍କୁ ସଙ୍ଗରୋଧରେ ରଖାଯାଇଛି। କରୋନା ଆକ୍ରାନ୍ତ ଅଭିଯୁକ୍ତକୁ ନେଇ ଏକ ଅଲଗା କୋଠରିରେ ରଖାଯାଇଥିବା ବେଳେ ଏହି କରୋନା ଆକ୍ରାନ୍ତ ସହିତ ଜେଲ୍‌କୁ ଆସିଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଅଲଗା କୋଠରିରେ ରଖାଯାଇଛି। ଜିଲ୍ଲା ପୁଲିସ, ଜେଲ୍‌ ସମେତ କୋର୍ଟ ଏବଂ ଆଇନଜୀବୀମାନେ ମଧ୍ୟ ଏହି କରୋନା ଆକ୍ରାନ୍ତଙ୍କୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ଯଦି ଗିରଫ ଅଭିଯୁକ୍ତ ନିକଟରୁ କରୋନା ବ୍ୟାପେ ତେବେ ସେ ଜଣେ ସୁପର ସ୍ପ୍ରେଡର୍‌ ହେବ ବୋଲି ଚର୍ଚ୍ଚା ହେଉଛି।

ନରେନ୍ଦ୍ରକୋଣ ଅଞ୍ଚଳର ଜଣଙ୍କୁ ହାଣିଦେବା ଅଭିଯୋଗରେ କୁମ୍ଭାରପଡ଼ା ଥାନା ପୁଲିସ ଗତ ତିନି ଦିନ ଧରି ଦୁଇ ଜଣଙ୍କୁ ଅଟକ ରଖିଥିଲା। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶନାମା ଅନୁସାରେ, ଗିରଫ ଅଭିଯୁକ୍ତମାନଙ୍କର କୋଭିଡ୍‌ ଟେଷ୍ଟ କରିବା ପରେ ଜେଲ ପଠାଇବାର ବ୍ୟବସ୍ଥା କରାଯାଉଛି। ତେଣୁ ଅଟକ ଏହି ଦୁଇ ଅଭିଯୁକ୍ତଙ୍କୁ କୋଭିଡ୍‌ ଟେଷ୍ଟ କରାଇବା ପ‌ରେ କୁମ୍ଭାରପଡ଼ା ଥାନା ପୁଲିସ ଗତକାଲି ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା। ଏହି ଅଭିଯୁକ୍ତମାନଙ୍କୁ ଥାନା କର୍ମଚାରୀମାନେ କୋର୍ଟକୁ ନେଇଯାଇଥିଲେ। ସେଠାରୁ ଏହି ଦୁଇ ଅଭିଯୁକ୍ତମାନଙ୍କୁ ଜେଲ୍‌ ପଠାଇ ଦିଆଯାଇଥିଲା। ମାତ୍ର ଏହି ଅଭିଯୁକ୍ତଙ୍କର କୋଭିଡ୍‌ ଟେଷ୍ଟ ରିପୋର୍ଟ ଆଜି ଆସି ପହଞ୍ଚିଛି। ରିପୋର୍ଟରେ ପଜିଟିଭ୍‌ ଆସିବା ପରେ ପୁଲିସ ଓ ଜେଲ ବିଭାଗର ଚିନ୍ତା ବଢ଼ିଯାଇଛି। ଏବେ କୁମ୍ଭାରପଡ଼ା ଥାନାର ସମସ୍ତ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ଗୋଟିଏ ସ୍ଥାନରେ ରଖାଯାଇଛି। ରିଜର୍ଭ ପୁଲିସ ଲାଇନ୍‌ରେ ଥିବା ପୁଲିସ କ୍ବାର୍ଟର୍ସରେ ଏହି କର୍ମଚାରୀମାନେ ରହୁଥିବାରୁ ସେମାନଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ନେଇ ମଧ୍ୟ ଚିନ୍ତା ବଢ଼ିଛି। କେବଳ ଏତିକି ନୁହେଁ; ମ୍ଭାରପଡ଼ା ଥାନାର ଚାରି ଜଣ ଅଫିସର କୌଣସି ଏକ ମାମଲାର ତଦନ୍ତ ପାଇଁ ସେମାନେ ଗତକାଲି ବ୍ରହ୍ମଗିରି ଥାନାକୁ ଯାଇ ସେଠାରେ ଥାନାର ସମସ୍ତ କର୍ମଚାରୀ ଓ ଅଧିକାରୀମାନଙ୍କ ସଂସ୍ପର୍ଶରେ ଆସିଥିବା ନେଇ ଚର୍ଚ୍ଚା ହେଉଛି।

ସେହିପରି ଅଭିଯୁକ୍ତ ଜଣକ ଜେଲକୁ ଯିବା ସମୟରେ ତାଙ୍କୁ ଜେଲ୍‌ କର୍ମଚାରୀ ଯାଞ୍ଚ କରିଥିଲେ। ଗତକାଲି ଜେଲକୁ ଯାଇଥିବା ସମସ୍ତ ଅଭିଯୁକ୍ତଙ୍କୁ ଅନ୍ୟ ଗୋଟିଏ କୋଠରିରେ ରଖାଯାଇଥିଲା। ଆଜି ସାଢ଼େ ଦୁଇଟା ସମୟରେ ଜଣେ ଅଭିଯୁକ୍ତ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ତାଙ୍କୁ ଅନ୍ୟ ଏକ କୋଠରିରେ ନେଇ ରଖାଯାଇଛି। ଏହି ଆକ୍ରାନ୍ତ ସହିତ ଜେଲକୁ ଆସିଥିବା ଅନ୍ୟ ପ୍ରାୟ ୭ ଜଣଙ୍କୁ ଅନ୍ୟ ଏକ କୋଠରିରେ ରଖାଯାଇଛି। ତେଣୁ କରୋନା ଆକ୍ରାନ୍ତ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜେଲ କର୍ମଚାରୀମାନେ ମଧ୍ୟ ଚିନ୍ତାରେ ପଡ଼ିଯାଇଛନ୍ତି। ଯେଉଁ ଜେଲ କର୍ମଚାରୀ ଏହି ଅଭିଯୁକ୍ତମାନଙ୍କୁ ଯାଞ୍ଚ କରିଥିଲେ ତାଙ୍କୁ ମଧ୍ୟ ସଙ୍ଗରୋଧରେ ରଖାଯାଇଛି। ତେବେ ଏହି କର୍ମଚାରୀ ମଧ୍ୟ ଗତକାଲି ଅନ୍ୟ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିବା ସହିତ ତାଙ୍କ ଘରେ ପରିବାରର ସମସ୍ତ ସଦସ୍ୟଙ୍କ ସଂସ୍ପର୍ଶରେ ଆସିଛନ୍ତି। ସେହିପରି ପ୍ରତିଦିନ ପରି ଆଜି ମଧ୍ୟ କେତେକ କର୍ମଚାରୀ ଏକାଠି ଗୋଟିଏ ବସ୍‌ରେ ଜେଲ୍‌କୁ ଯାଇଥିଲେ। ଜେଲ୍‌ର ଅନ୍ୟ କର୍ମଚାରୀମାନେ ମଧ୍ୟ ଜେଲ୍‌ରେ ଥିବା ଅନ୍ୟ ଅନ୍ତେବାସୀମାନଙ୍କ ସଂସ୍ପର୍ଶରେ ଆସିଛନ୍ତି। ତେଣୁ କହିବାକୁ ଗଲେ ଜେଲର ପ୍ରାୟ ୬୦୦ ଅନ୍ତେବାସୀ ଏବଂ ପ୍ରାୟ ୭୦ କର୍ମଚାରୀ ଏବଂ ଅଧିକାରୀ ଏବେ କ‌ରୋନା ଆକ୍ରାନ୍ତଙ୍କୁ ନେଇ ଚିନ୍ତାରେ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର