ସେବାଶ୍ରମ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା! ଅଭିଯୁକ୍ତକୁ ଗିରଫ କଲା ପୁଲିସ, ଚନ୍ଦ୍ରପୁରରେ ଉତ୍ତେଜନା, ଥାନା ଘେରାଉ

ରାୟଗଡ଼ା/ଚନ୍ଦ୍ରପୁର: ସେବାଶ୍ରମ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା। ଏହି ଘଟଣାକୁ କେନ୍ଦ୍ର କରି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତକୁ ଗିରଫ ଦାବିରେ ସ୍ଥାନୀୟ ଲୋକ ଥାନା ଘେରାଉ କରିବା ସହ ରାସ୍ତାରୋକ କରିଛନ୍ତି। ଘଟଣାର ୩ ଦିନ ପରେ ଛାତ୍ରୀଙ୍କ ମୃତଦେହକୁ ପୁଲିସ ଆଦର୍ଶ ବିଦ୍ୟାଳୟ ପଛପଟରୁ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତ ସେବା ବାକସିଙ୍ଗକୁ ଗିରଫ କରିଛି। ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପୁଲିସ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ଓ ଥାନା ଘେରାଉରୁ ସ୍ଥାନୀୟ ଲୋକେ ଓହରିଛନ୍ତି।

ପ୍ରେମ ଓ ଶାରୀରିକ ସଂପର୍କ ରକ୍ଷା କରିବାକୁ ନିବେଦନ କରି ବିଫଳ ହେବା ପରେ ଅଭିଯୁକ୍ତ ବାକସିଙ୍ଗ୍ ଏଭଳି ନୃଶଂସ କାଣ୍ଡ ଘଟାଇଛି। ପୁଲିସର ପ୍ରାଥମିକ ତଦନ୍ତରୁ ଏହା ଜଣା ପଡ଼ିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ୍। ଚନ୍ଦ୍ରପୁର ସରକାରୀ ବାଳିକା ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଙ୍କୁ ନିକଟସ୍ଥ ବାନ୍ଦିରି ଗ୍ରାମର ସେବା ବାକସିଙ୍ଗ୍ ଏକତରଫା ପ୍ରେମ କରୁଥିଲା। ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ ଛାତ୍ରୀଙ୍କୁ ଅପହରଣ କରିବା ପାଇଁ ସୁଯୋଗକୁ ଅପେକ୍ଷା କରିଥିଲା। ୨୧ ତାରିଖରେ ଛାତ୍ରୀ ଜଣକ ଧାନକଟା ଛୁଟିରେ ନିଜ ଘର ଚନ୍ଦ୍ରପୁରର ଶାନ୍ତିନଗରକୁ ଯିବା ପାଇଁ ସ୍କୁଲ୍ ସମ୍ମୁଖରେ ଅପେକ୍ଷା କରିଥିଲେ। ଏହି ସମୟରେ ବାକସିଙ୍ଗ୍ ବାଇକ୍‌ରେ ଆସି ଘରେ ଛାଡ଼ିଦେବା ବାହାନା କରି ନେଇଥିଲା। ସ୍କୁଲଠାରୁ ୪ଶହ ମିଟର ଦୂର ଯିବା ପରେ ବାକସିଙ୍ଗ୍ ବାଇକକୁ ଚନ୍ଦ୍ରପୁର ଆଦର୍ଶ ବିଦ୍ୟାଳୟ ପଛପାର୍ଶ୍ବରେ ଥିବା ଜଙ୍ଗଲକୁ ନେଇ ଯାଇଥିଲେ। ସେଠାରେ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରି ବିଫଳ ହେବାପରେ ତଣ୍ଟି ଚିପି ହତ୍ୟା କରି ଶବକୁ ଗୋଟିଏ ଗାତରେ ପକାଇ ଅଭିଯୁକ୍ତ ଚାଲି ଯାଇଥିଲା। ୨୧ ତାରିଖ ଦିନ ଝିଅ ଘରେ ନ ପହଞ୍ଚିବାରୁ ବାପା ଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ନିଖୋଜ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଛାତ୍ରୀଙ୍କ କୌଣସି ସନ୍ଧାନ ପାଇନଥିଲା।

ଆଜି ସକାଳୁ ଛାତ୍ରୀଙ୍କ ମୃତଦେହ ଜଙ୍ଗଲରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବା ପରେ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଅଭିଯୁକ୍ତକୁ ଗିରଫ ଦାବିରେ ଲୋକେ ଚନ୍ଦ୍ରପୁର ଥାନା ଅଧିକାରୀ ସୁନୀଲ ଅରୁଣ କୁମାର ନାୟକଙ୍କୁ ଘେରାଉ କରିଥିଲେ। ପରବର୍ତ୍ତୀ ସମୟରେ ଉତ୍ତେଜନା ପ୍ରକାଶ ପାଇବାରୁ ଲୋକେ ରାସ୍ତାରୋକ କରିଥିଲେ।
ପାରିପାର୍ଶ୍ବିକ ସ୍ଥିତିରୁ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ତଦନ୍ତକାରୀ ଅଧିକାରୀ ସଂଦେହ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଦୁଷ୍କର୍ମ ହୋଇଛି କି ନାହିଁ ତାହା ସ୍ପଷ୍ଟ ହେବ ବୋଲି ଆରକ୍ଷୀ ଅଧୀକ୍ଷକ ପ୍ରକାଶ କରିଛନ୍ତି। ମଧ୍ୟାହ୍ନରେ ପୁଲିସ ଚନ୍ଦ୍ରପୁର-ମୁନିଗୁଡ଼ା ରାସ୍ତାରୁ ଅଭିଯୁକ୍ତ ସେବା ବାକସିଙ୍ଗକୁ ଗିରଫ କରିବା ପରେ ଉତ୍ତେଜନା ଥମିଥିଲା। ସାଇଣ୍ଟିଫିକ୍‌ ଟିମର ତଦନ୍ତ ପରେ ଉଲଗ୍ନ ଅବସ୍ଥାରେ ପଡ଼ିଥିବା ମୃତଦେହକୁ ଉଦ୍ଧାର କରି ପୁଲିସ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସଂଧ୍ୟାରେ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିବା ବେଳେ ଅଭିଯୁକ୍ତ ବାକସିଙ୍ଗକୁ ପୁଲିସ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର