ସ୍ବାମୀକୁ ହତ୍ୟା, ପତ୍ନୀ ଓ ପଡ଼ୋଶିନୀଙ୍କୁ ଦୁଷ୍କର୍ମ

ବାଲିଗୁଡା : ଗତ ୧୫ ଦିନ ହେଲା ନାବାଳିକା ଦୁଷ୍କର୍ମର ଦୁର୍ନାମ ମୁଣ୍ଡାଇଥିବା କନ୍ଧମାଳରେ ପୁଣି ଏକ ଲୋମହର୍ଷଣକାରୀ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପତିକୁ କାଠ ଫାଳିଆରେ ମାଡ ମାରି ହତ୍ୟା କରିବା ପରେ ଦୁଇ ଜଣ ଯୁବକ ତାଙ୍କ ପତ୍ନୀଙ୍କୁ ଜବରଦସ୍ତି ଦୁଷ୍କର୍ମ କରିଛନ୍ତି। ଏଭଳି କାଣ୍ଡ ଭିଆଇବା ପରେ ବି ରାକ୍ଷସ ପାଲଟି ଯାଇଥିବା ଦୁଇ ଯୁବକ ପଡ଼ୋଶୀ ଆଉ ଜଣେ ବିଧବାଙ୍କୁ ଘରେ ପଶି ଦୁଷ୍କର୍ମ କରିଛନ୍ତି। ଘଟଣାଟି ଗତ ୨୬ ତାରିଖ ବିଳମ୍ବିତ ରାତିରେ ଘଟିଥିଲେ ମଧ୍ୟ ମୃତ ଯୁବକର ମାଆ ଥାନାରେ ଏତଲା ଦେବା ପରେ ଆଜି ସନ୍ଧ୍ୟାରେ ଘଟଣା ପଦାକୁ ଆସିଛି। ଏଭଳି ବର୍ବରକାଣ୍ଡ  କନ୍ଧମାଳ ଜିଲ୍ଲା ବାଲିଗୁଡା ସହରର ନୂଆ ସାହିରେ ଘଟିଥିବା ଜଣାପଡିଛି। ଦୁଇଟି ଘଟଣାରେ ବାଲିଗୁଡା ଥାନା କେସ ନଂ   ୧୪/୧୯ ଓ ୧୫/୧୯  ମାମଲା ରୁଜୁ ହୋଇଛି। ଉଭୟ ମାମଲାରେ ପୁଲିସ ଦୁଇ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳ‌ାଇଥିବା ଥାନାଧିକାରୀ ପ୍ରଫୁଲ ବେହେରା କହିଛନ୍ତି।

ସୂଚନା ମୁତାବକ ବାଲିଗୁଡାର ନୁଆସାହି ଠାରେ ଗତ ୨୬ ତାରିଖ ଦିନ ରୁଜିତ ବେହେରା ଓ ଅର୍ଜୁନ ବାଘ ବିଳମ୍ବିତ ରାତିରେ  ନିକଟସ୍ଥ ଡ୍ରାପସାହିରେ ରହୁଥିବା ପଙ୍କଜ ବିନ୍ଦାଣୀ ଘରକୁ ଯାଇ ପଙ୍କଜ ସହ ଗଣ୍ତଗୋଳ କରିଥିଲେ ଓ ତାକୁ କାଠଫାଳିଆରେ ପିଟି ତାକୁ ଜୀବନରେ ମାରି ଦେଇଥିଲେ। ମାରି ଦେବାପରେ ଶବକୁ ନେଇ କିଛି ଦୂରରେ ପକାଇ ଦେଇଥିଲେ। ପରେ ପୁଣି ଘରକୁ ଆସି ମୃତ ପଙ୍କଜଙ୍କ  ପତ୍ନୀଙ୍କୁ ଦୁଷ୍କର୍ମ  କରିଥିଲେ। ଏହି ସମୟରେ  ଘରେ ଶୋଇଥିବା ଛୁଆଙ୍କ ନିଦ ଭାଙ୍ଗି କାନ୍ଦିବା ପରେ ରୁଜିତ ଓ ଅଜୁର୍ନ  ସେଠାରୁ ଦୌଡି ପଳାଇଥିଲେ। ଫେରିବା ବାଟରେ ପୁଣି  ଜରା ନିବାସ ସାହିରେ ରହୁଥିବା ବିଧବା ମହିଳାଙ୍କ କବାଟ ଭାଙ୍ଗି  ଘରେ ପଶିଥିଲେ। ଏବଂ ମହିଳାଙ୍କୁ ବାରମ୍ବାର  ଦୁଷ୍କର୍ମ  କରିଥିଲେ।

ଏହି ସବୁ ଘଟଣା ଘଟିବାପରେ ପ୍ରଥମେ ମୃତ ପଙ୍କଜ ବିନ୍ଦାଣୀର ମାଆ ମାଳତୀ ବିନ୍ଦାଣୀ ବାଲିଗୁଡା ଥାନାରେ ପୁଅକୁ ଜୀବନରେ ମାରିବା ପରେ ବୋହୁକୁ ଦୁଷ୍କର୍ମ ହୋଇଥିବା ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏହି ଘଟଣାକୁ  ମାମଲା ରୁଜୁକରି ତଦନ୍ତ ଆରମ୍ଭ  ଚଳାଇଥିଲେ। ଠିକ ଏହି ସମୟରେ ଅନ୍ୟ ଜଣେ ମହିଳା ମଧ୍ୟ ଥାନାରେ ପହଞ୍ଚି ତାଙ୍କୁ  ଦୁଷ୍କର୍ମ  ହୋଇଥିବା ନେଇ ଏତଲା ଦେଇଥିଲେ। ବାଲିଗୁଡା ପୁଲିସ ଦୁଇଟି ଯାକ ଘଟଣାର ତଦନ୍ତ କରିବା ବେଳେ  ଉଭୟ ମାମଲାରେ ଏହି ଦୁଇ ଜଣ ଯୁବକ ଥିବା ଜାଣିବାକୁ ପାଇଥିଲେ।  ମାମଲାରେ ପୁଲିସ  ସନ୍ଦେହରେ ରୁଜିତ ବେହେରା ଓ  ଅଜୁର୍ନ ବାଘକୁ  ଥାନାକୁ ପଚାରା ଉଚରା ଚଳାଇଛି।  ଉଭୟ ଘଟଣାରେ  ରୁଜିତ  ଓ  ଅଜୁର୍ନଙ୍କ ସାମିଲ ଥିବା ପୁଲିସ ଏକ ପ୍ରକାର ସ୍ପଷ୍ଟ ହୋଇଛି। ଅଟକ ଦୁଇ ଯୁବକ  ଘଟଣାରେ ସଂପୃକ୍ତ ଥିବା  ସ୍ବୀକାର କରିଛନ୍ତି ବୋଲି ପୁଲିସ ତରଫରୁ କୁହାଯାଇଛି।

ସମ୍ବନ୍ଧିତ ଖବର