ବନ୍ତଳା ବଜାରରେ ଚାଞ୍ଚଲ୍ୟ: ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ହତ୍ୟା

ବନ୍ତଳା: ଅନୁଗୁଳ ଜିଲ୍ଲାର ବ୍ଲକ ବନ୍ତଳା ବଜାରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କୁ ଏକ ଧାରୁଆ ଅସ୍ତ୍ରରେ ତଣ୍ଟି ଓ ମୁହଁକୁ କଟାଯାଇ ହତ୍ୟା କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ବନ୍ତଳା ଥାନାର ବନ୍ତଳା ବଜାର ହାଟ ପାଖ ମରାମୁଣ୍ଡାରେ ଏହି ହତ୍ୟାକାଣ୍ଡ ଘଟିଛି। ବନ୍ତଳା ବଜାରର କାଶୀନାଥ ବେହେରା(୩୫)ଗତକାଲି ରାତି ପ୍ରାୟ ୮ ବେଳକୁ ପରିସ୍ରା କରିବାକୁ କହି ଘରୁ ବାହାରି ଆସିଥିଲେ। ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରିନଥିଲେ।ପରିବାର ଲୋକେ ଆଜି ସକାଳେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତା ମିଳିନଥିଲା।

ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ହାଟ ନିକଟରେ ଥିବା ଚଣା କ୍ଷେତକୁ ଗ୍ରାମର କିଛି ଛୋଟ ପିଲା ଚଣା ଖାଇବାକୁ ଯାଇଥିବା ବେଳେ ଏକ ବିଲରେ କାଶୀନାଥଙ୍କ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକେ ସେଠାରେ ପହଞ୍ଚି ଶବ ଚିହ୍ନଟ କରିଥିବା ବେଳେ ବନ୍ତଳା ପୁଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ତେବେ କାଶୀନାଥଙ୍କ ମୁହଁ ସହିତ ତଣ୍ଟି କଟାଯାଇ ବିଭତ୍ସ ଭାବେ ହତ୍ୟା କରାଯାଇଛି।ରିପୋର୍ଟ ଲେଖା ହେବା ବେଳକୁ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ନାହିଁ, ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାର୍ଡ ଆସିଲେ ଅଧିକ ତଦନ୍ତ ହେବ ବୋଲି ବନ୍ତଳା ଥାନା ଅଧିକାରୀ ଗୀତା ସାହୁ ପ୍ରକାଶ କରିଛନ୍ତି।

 

ସମ୍ବନ୍ଧିତ ଖବର