ଘର ଭିତରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା ଅଭିଯୋଗ!

ଦେଢ ବର୍ଷର ଶିଶୁପୁତ୍ର ଗୁରୁତର

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁର ଏକ ଘର ଭିତରୁ ସନ୍ଦେହଜଣକ ଭାବେ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି l ମୃତ ମହିଳା ଜଣକ ହେଲେ ଅଷ୍ଟମୀ କିଶାନ l ତାଙ୍କ ଦେଢ ବର୍ଷର ପୁଅକୁ ଗୃରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି l ବଣାଇ ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି l ବଣାଇ ବ୍ଲକ ଅନ୍ତର୍ଗତ କଣ୍ଟାସର ଗାଁର ମୃତ ଅଷ୍ଟମୀ ପ୍ରାୟ ଅଢେଇ ବର୍ଷ ତଳେ ଗୋବିନ୍ଦପୁରର ଡମ୍ବରୁ କିସାନଙ୍କୁ ବିବାହ କରିଥିଲେ l

ଏଣେ ଡମ୍ବରୁ କିସାନଙ୍କ ପୁତୁରାଙ୍କ ଅଭିଯୋଗ ଅନୁଯାୟୀ, ଡମ୍ବରୁ ଗତକାଲି ବିଳମ୍ବିତ ରାତିରେ ନିଜ ସ୍ତ୍ରୀ ଅଷ୍ଟମୀଙ୍କୁ ପିଟିପିଟି ମାରିଦେଇଛନ୍ତି। ସ୍ତ୍ରୀଙ୍କୁ ପିଟିବା ବେଳେ ଦେଢ ବର୍ଷର ପୁଅ ଗୃରୁତର ହୋଇଥିଲା। ଏଣୁ ଡମ୍ବରୁ କିସାନ ପ୍ରଥମେ ତାଙ୍କ ପୁଅକୁ ବଣାଇ ଡାକ୍ତରଖାନାକୁ ନେଇଥିଲେ। ହେଲେ ପରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲାl ଏହାଛଡ଼ା ଘଟଣାସ୍ଥଳରେ ବଣାଇ ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ସହିତ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ ଅଷ୍ଟମୀଙ୍କ ଶବକୁ ଜବତ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର