ଝାରସୁଗୁଡ଼ା: ରବିବାର ରାତିରେ ଦୁର୍ଲଗା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଛାତରୁ ଠେଲି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି।
ମୃତ ଯୁବକ ଜଣକ ହେଉଛନ୍ତି ଦୁର୍ଲଗା ଗ୍ରାମର ୨୨ ବର୍ଷିୟ ତପନ ସାହୁ। ସେ ଜଣେ ଡ୍ରାଇଭର୍‌।

Advertisment

ରବିବାର ରାତିରେ ତିନି ସାଙ୍ଗ- ଦୁର୍ଲଗା ପଞ୍ଚାୟତ ଅଫିସର ରାତ୍ରୀଜଗୁଆଳ ଦେବେନ୍ଦ୍ର କାହାଳୀ, ତପନ ସାହୁ ଏବଂ ଉତ୍ତରା ଥାନା ଅନ୍ତର୍ଗତ ପଞ୍ଚରା ଗ୍ରାମର ଦେବରାଜ ସିଂ ଭାତ ଓ ମାଂସ ନେଇ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ।

ସେଠାରେ ସେମାନେ ଖାଇବା ପରେ ମଦ୍ୟପାନ କରିଥିଲେ ବୋଲି କୁହାଯାଉଛି। ପରେ କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଓ ମାଡ଼ପିଟ ହୋଇଛି।

ନିହତ ତପନଙ୍କ ଦେହରେ ମୁଥ ମରା ହୋଇଥିବା ଆଘାତ ରହିଛି। ପରେ ତାଙ୍କୁ ପଞ୍ଚାୟତ ଅଫିସ ଛାତରୁ ତଳକୁ ଠେଲି ହତ୍ୟା କରାଯାଇଛି।
ସକାଳ ଆଠଟା ପରେ ସ୍ଥାନୀୟ ଲୋକେ ତପନଙ୍କ ଶବ ପଡ଼ିଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ। ତାଳପଟିଆ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।

ଦେବେନ୍ଦ୍ର କାହାଳୀଙ୍କୁ ଅଟକ ରଖାଯାଇଛି ଓ ଦେବରାଜ ଫେରା ହୋଇଯାଇଥିବା ଜଣାପଡ଼ିଛି।