କୁଜଙ୍ଗ: କୁଜଙ୍ଗ ଥାନା ମଙ୍ଗରାଜପୁର ଗ୍ରାମରେ ଘରୁ ଡାକି ନେଇ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ ରମାକାନ୍ତ ବେହେରାଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ବେକ, ଛାତି ଓ ପେଟକୁ ହାଣି ଦେଇଥିଲେ। ଏହି ଘଟଣାରେ କୁଜଙ୍ଗ ପୁଲିସ ୩ ଜଣଙ୍କୁ ଅଟକ ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି। ମୃତକଙ୍କ ପତ୍ନୀ ନୀଳିମା ବେହେରାଙ୍କ ଅଭିଯୋଗ ମୁତାବକ ତାଙ୍କ ସ୍ବାମୀ ରମାକାନ୍ତ ଗତକାଲି ରୋଷେଇ କାର୍ଯ୍ୟ ଶେଷ କରି ରାତି ପ୍ରାୟ ୮ଟା ବେ‌ଳେ ଘରକୁ ଫେରିଥିଲେ। ପତ୍ନୀ ନୀଳିମା ପାରାଦୀପ ମାର୍କେଟରେ ପରିବା ବ୍ୟବସାୟ କରନ୍ତି। ସେ ମଧ୍ୟ ତାଙ୍କ କାର୍ଯ୍ୟ ସାରି ରାତି ସାଢେ ଦଶଟା ସମୟରେ ଘରକୁ ଫେରିଥିଲେ। ଗାଁ ନିକଟ ଷ୍ଟାଡିୟମ ସମ୍ମୁଖରେ ଟିକୁ ଜେନା, ବୁଢନ ଜେନା, ପାପୁନି ଜେନା, ପ୍ରଶାନ୍ତ ଜେନା, ତପନ ଜେନା, ବାବାଜୀ ଜେନା ପ୍ରମୁଖ ତାଙ୍କ ସ୍ବାମୀଙ୍କୁ ଗାଳିଗୁଲଜ କରୁଥିବା ଦେଖିଥିଲେ। ପରେ ତାଙ୍କ ସ୍ବାମୀ ଘରକୁ ଫେରିଥିଲେ। କିନ୍ତୁ ସେହି ଲୋକମାନେ ତାଙ୍କୁ ଷ୍ଟାଡିୟମ ନିକଟକୁ ଡାକୁଥିବା କହିଥିଲେ। ସେଠାକୁ ଯିବା ପାଇଁ ନୀଳିମା ତାଙ୍କୁ ମନା କରିଥିଲେ। ମାତ୍ର ତାଙ୍କ କଥା ନମାନି ରମାକାନ୍ତ ସେଠାକୁ ଯାଇଥିଲେ। 

Advertisment

ଏଭଳି ସ୍ଥିତିରେ ରମାକାନ୍ତଙ୍କୁ ଡାକିବା ପାଇଁ ସେ ଓ ତାଙ୍କର ଦୁଇପୁଅ ଷ୍ଟାଡିୟମ ନିକଟକୁ ଯାଇ ତାଙ୍କୁ ଘରକୁ ଡାକି ଆଣିଥିଲେ। ପରେ ସମସ୍ତେ ଖାଇପିଇ ଶୋଇଥିଲେ। କିନ୍ତୁ ରାତିରେ ରମାକାନ୍ତ କାହାଠୁ ଡାକରା ପାଇ ପୁଣି ସେଠାକୁ ଚାଲି ଯାଇଥିଲେ। ରାତି ପ୍ରାୟ ତିନିଟାରେ ପ୍ରଶାନ୍ତ ଜେନା ତାଙ୍କୁ ଆସି ଖବର ଦେଇଥିଲେ ଯେ ରମାକାନ୍ତ କ୍ଷତାକ୍ତ ଅବସ୍ଥାରେ ଚଉରା ପିଣ୍ଡିରେ ପଡ଼ିଛନ୍ତି। ଖବର ପାଇ ସେମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରମାକାନ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନସରେ ଡାକ୍ତରଖାନାକୁ ନେବା ସହିତ ପୁଲିସକୁ ଖବର ଦେଇଥିଲେ। କୁଜଙ୍ଗ ମେଡିକାଲରେ ଡାକ୍ତର ରମାକାନ୍ତଙ୍କୁ ମୃତ ଘୋଷଣା କରିଥିଲେ ବୋଲି ନୀଳିମା ଅଭିଯୋଗ କରିଛନ୍ତି। 

ନଳିନୀଙ୍କ ଅଭିଯୋଗ ଆଧାରରେ କୁଜଙ୍ଗ ଥାନା ପୁଲିସ ଦଫା ୧୦୩ (୧),୩ (୫) ବିଏନଏସ ଧାରାରେ ମାମଲା ରୁଜୁ କରିଛି। ଫରେନ୍‌ସିକ ଟିମ୍‌ ଘଟଣାସ୍ଥଳରେ ତଦନ୍ତ କରିଥିବା ବେଳେ ଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତା, ତିର୍ତ୍ତୋଲ ଏସ୍‌ଡିପିଓ ଚିନ୍ମୟ ରାଉତ ମଙ୍ଗରାଜପୁର ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। କୁଜଙ୍ଗ ଥାନା ଏସ୍‌ଆଇ ଅନିଲ ସାହୁ ଘଟଣାର ତଦନ୍ତ କରୁଛନ୍ତି।