ଯୁବକଙ୍କୁ ଲୁହାଛଡ଼ରେ ପିଟି ପିଟି ହତ୍ୟା: ୨ ଗିରଫ, ୨ଅଭିଯୁକ୍ତ ଫେରାର

କେନ୍ଦୁଝର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଉରୀପଦା ପଞ୍ଚାୟତ ମନୋହରପୁର ଗ୍ରାମରେ ଗତକାଲି ରାତ୍ର ପ୍ରାୟ ୧୦ଟାବେଳେ ଏକ ଜଘନ୍ୟ ହତ୍ୟାକାଣ୍ତ ଘଟଣା ଘଟିଛି।ଜଣେ ଯୁବକଙ୍କୁ ଚାରିଜଣ ଯୁବକ ଲୁହାଛଡ଼ରେ ପିଟି ପିଟି ହତ୍ୟା କରିଛନ୍ତି। ମୃତକ ଯୁବକଜଣଙ୍କ ହେଲେ ମନୋହରପୁର ଗ୍ରାମର ସ୍ବର୍ଗତଃ ଉମାକାନ୍ତ ଘଣାଙ୍କ ପୁଅ ଭାଗ୍ୟଧର ଘଣା(୩୯)।

ଘଟଣାରୁ ପ୍ରକାଶ ଯେ, ଗତକାଲି ୪ଜଣ ଦୁର୍ବୃତ୍ତ  କାରରେ ଆସିଥିଲେ। ଭାଗ୍ୟଧର ଘଣାଙ୍କ ସହିତ ଫୋନରେ କଥାହେବା ପରେ ରାତି ସାଢେ ୧୦ ଟାବେଳେ ମନହରପୁର ନିକଟ ବିଲରେ ନୀଳ ବିପ୍ଲବ ଯୋଜନାରେ ମାଛ ଚିଙ୍ଗୁଳି ଚାଷ ପାଇଁ ଖୋଳାଯାଇଥିବା ୪ଟି ପୋଖରୀ ନିକଟକୁ ମଦ ପିଇବା ବାହାନାରେ ଡାକିଥିଲେ। ତେବେ ଏହି ଚକ୍ରାନ୍ତ ଜାଣିନପାରି ଭାଗ୍ୟଧର ଏବଂ ସାଥୀରେ ସାହିର ତରଣୀସେନ ଦେହୁରୀ ଦୁହେଁ ବାଇକ୍ ଯୋଗେ ସେଠାକୁ ପହଞ୍ଚିଥିଲ। ଦୁର୍ବୃତ୍ତମାନେ ମଦ ବୋତଲ ବାହାର କରି ଗ୍ଲାସରେ ଢାଳିବା ସମୟରେ ଅନ୍ୟ ଦୁର୍ବୃତ୍ତମାନେ ଗାଡ଼ିରୁ ଲୁହାଛଡ଼ ଆଣିଥିଲେ। ଏହି ଦୃଶ୍ୟ ତରଣୀ ଜାଣିବା ପରେ ଭାଗ୍ୟଧରକୁ ପଳାଇ ଚାଲ ମାରିପକେଇବେ ବୋଲି କହିବା ବେଳେ ସେମାନେ ତାଙ୍କୁ ଭିଡ଼ିବସିଥିଲେ।

ପ୍ରାଣବିକଳରେ ତରଣୀ ଖସିଆସି ବିଶ୍ବନାଥପୁର ଗ୍ରାମରେ ପହଞ୍ଚି ଲୋକଙ୍କୁ ଏହି ଘଟଣା ଜଣାଇଥିଲା। ତୁରନ୍ତ ସଦର ଥାନାକୁ ଖବର ଦେବାରୁ ଘଟଣାସ୍ଥଳରେ ସଦର ଥାନା ଏସ୍ ଆଇ ସୂର୍ଯ୍ୟକାନ୍ତ ପାତ୍ର ସଦଳବଳେ ଓ ଗ୍ରାମବାସୀ ପହଞ୍ଚିଲାବେଳେ ଦୁର୍ବୃତ୍ତମାନେ ଭାଗ୍ୟଧରଙ୍କୁ ମୁଣ୍ତପଛପଟକୁ ଲୁହାଛଡ଼ରେ ପିଟିପିଟି ହତ୍ୟାକରି ଫେରାର ହୋଇଯାଇଥିଲେ। ତେବେ ଏହି ହତ୍ୟାକାଣ୍ତ ସେ ପଞ୍ଚାୟତ ସ୍ତରରେ କରୁଥିବା ଠିକାଦାର କାମକୁ ନେଇ ଶତ୍ରୁତା କାରଣରୁ ହୋଇଥିବା ଜଣାପଡ଼ିଛି। ପୁଲିସ ୨ଜଣ ଅଭିଯୁକ୍ତଙ୍କୁ ଧରିଥିବାବେଳେ ଅନ୍ୟଦୁଇଜଣ ଧରାପଡ଼ିନାହାନ୍ତି। ସେମାନଙ୍କୁ ଧରିବାକୁ ପୁଲିସ ଛାନଭିନ ଚଳାଇଛି। ଏହି ହତ୍ୟା ଘଟଣାରେ ସଦର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର