ରାଉରକେଲା : ଗତକାଲି ବିଳମ୍ବିତ ରାତିରେ ବନ୍ଧମୁଣ୍ଡା ଏ ସେକ୍ଟର ରେଲୱେ କ୍ୱାର୍ଟସରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କୁ ଦୁଇ ଅସାମାଜିକ ଯୁବକ ଲୁହା ଛଡ଼ରେ ପିଟିପିଟି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକ ହେଲେ ଅମର ତନ୍ତୀ (୨୨)। ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ବନ୍ଧମୁଣ୍ଡା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବନ୍ଧମୁଣ୍ଡା ରେଳବାଇ ହସ୍ପିଟାଲକୁ ପଠାଇଛି। ହତ୍ୟା ମାମଲା ରୁଜୁ କରିବା ସହ ପୁଲିସ ଦୁଇ ଜଣଙ୍କୁ ଥାନାରେ ଅଟକ ରଖିଛି।

Advertisment

ମିଳିଥିବା ସୂଚନା ମୁତାବକ ବନ୍ଧମୁଣ୍ଡା ଏ ସେକ୍ଟରରେ ରହୁଥିବା ପରିବାର ଅମରଙ୍କୁ ଘରର ଚାବି ଦେଇ ଗାଁକୁ ଯାଇଥିଲେ। ଅମର କ୍ୱର୍ଟସକୁ ଦେଖାରେଖା କରିବା ସହ ରାତିରେ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ କିଛି ଯୁବକ କ୍ୱାର୍ଟସରେ ପଶି ଅମରଙ୍କୁ ଲୁହାଛଡ଼ରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଅମର ବେହୋସ ହୋଇ ପଡ଼ିଯିବା ପରେ ଯୁବକମାନେ ସେଠାରୁ ଫେରାର ହୋଇ ଯାଇଥିଲେ। ସ୍ଥାନୀୟ ଲୋକ ଓ ପୁଲିସ ପହଞ୍ଚି ଅମରଙ୍କୁ ରେଳବାଇ ହସ୍ପିଟାଲରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।