ଗୁଣିଗାରେଡ଼ିରୁ ଜଘନ୍ୟ ହତ୍ୟାକାଣ୍ଡ: ମହିଳାଙ୍କ ବେକ କାଟି ଦୁଇ ଭାଇ ଫେରାର

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ଅଞ୍ଚଳରେ ଗୁଣିଗାରେଡି ସନ୍ଦେହରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବାର ଖବର ମିଳିଛି। ଅତି ବିଭତ୍ସ ଭାବେ ଗ୍ରାମ ରାସ୍ତାରେ ଜଣେ ମହିଳାଙ୍କୁ ବେକ କାଟି ହତ୍ୟା କରାଯାଇଛି। ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଶରତ ଥାନା ଅନ୍ତର୍ଗତ ଶାରୀଶୁଆ ଗ୍ରାମରେ। ମୃତ ମହିଳା ଜଣକ ହେଲେ ଶାରୀଶୁଆ ଗ୍ରାମର ଖଇରୀ ମହାନ୍ତ।

ମିଳିଥିବା ସୂଚନା ଅନୁଯାୟୀ, ଶାରୀଶୁଆ ଗ୍ରାମର ଖଇରୀ ମହାନ୍ତ ଗତକାଲି ସନ୍ଧ୍ୟା ସମୟରେ ପାଣି ଆଣିବା ନିମନ୍ତେ ହାତରେ ଗରା ଧରି ନଳକୂପ ନିକଟକୁ ଯାଇଥିବା ବେଳେ ଉକ୍ତ ସମୟରେ ତାଙ୍କୁ ବେକ କାଟି ହତ୍ୟା କରାଯାଇଛି। ଶାରୀଶୁଆ ଗ୍ରାମର ଅନିଲ ମହାନ୍ତ ଦୀର୍ଘ ବର୍ଷ ହେବ ବିବାହ କରିଥିଲେ ସୁଦ୍ଧା ତାଙ୍କର କୌଣସି ସନ୍ତାନ ହୋଇନାହାନ୍ତି। ସେହି ଗ୍ରାମର ଖଇରୀ ମହାନ୍ତ ଗୁଣିଗାରେଡ଼ି କରୁଥିବାରୁ ଅନୀଲଙ୍କର ସନ୍ତାନ ହେଉ ନ ଥିବା ସେ ସନ୍ଦେହ କରିଥିଲେ। ଏହାକୁ ନେଇ ଅନୀଲଙ୍କ ମନରେ ରାଗ ପୁଞ୍ଜିଭୂତ ହୋଇ ରହିଥିଲା।
ଖଇରୀ ଗୁଣିଗାରେଡି କରୁଥିବାରୁ ତାହାର ସନ୍ତାନ ହେଉ ନ ଥିବା ସନ୍ଦେହ କରି ଗତକାଲି ସନ୍ଧ୍ୟା ସମୟରେ ଖଇରୀ ଗ୍ରାମ ନଳକୂପକୁ ପାଣି ଆଣିବାକୁ ଯାଇଥିବା ବେଳେ ଅନୀଲ ଏବଂ ତାର ଭାଇ ବଳରାମ ଧାରୁଆ ଅସ୍ତ୍ରରେ ବେକ କାଟି ହତ୍ୟା କରିଥିଲେ। ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହ ଦେଖିବା ପରେ ପୁଲିସ୍‌କୁ ଖବର ଦେଇଥିଲେ। ଶରତ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁରର ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି।

 

ସମ୍ବନ୍ଧିତ ଖବର