ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ପୀଢ଼ଖମଣ ଗାଁର ଜଣେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ୧୫ ଦିନ ଭିତରେ ଚାର୍ଜସିଟ୍ ଦାଖଲ କରି ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ପାଇଁ ପ୍ରାର୍ଥନା କରାଯିବ ବୋଲି ଅନୁଗୁଳ ଏସ୍ପି ରାହୁଲ ଜୈନ କହିଛନ୍ତି। ଘରୁ ନିଖୋଜ ହେବାର ୩ ଦିନ ପରେ ହୋଲି ସକାଳେ ଶିଶୁକନ୍ୟାଟିର କ୍ଷତାକ୍ତ ମୃତଦେହ ଗାଁ ପାଖ ମହୁଲବଣରୁ ମିଳିଥିଲା। ପାରିପାର୍ଶ୍ବିକ ସ୍ଥିତିରୁ ଶିଶୁକନ୍ୟା ସହ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିବା ସନ୍ଦେହ ଘନୀଭୂତ ହୋଇଥିଲା। ତଦନ୍ତ ସମୟରେ ଶିଶୁକନ୍ୟାର ଘର ପାଖରେ ରହୁଥିବା ଜେରେଙ୍ଗ ଦେହୁରୀସାହି ଗାଁରେ ବାବୁଲା ଜେନା(୪୦)ଙ୍କ ଘର ଯାଞ୍ଚ କରିବାବେଳେ ରକ୍ତଭିଜା କପଡ଼ା ମିଳିଥିଲା। ପୁଲିସ ତାକୁ ଉଠାଇ ଆଣି ପଚରାଉଚରା କରିବା ପରେ ସେ ଦୁଷ୍କର୍ମ ପରେ ହତ୍ୟା କରିଥିବା ସ୍ବୀକାର କରିଛି। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ।
କଟକ ବଡ଼ଡାକ୍ତରଖାନାର ଏକ ଟିମ୍ ମୃତ ଶିଶୁକନ୍ୟାର ଶବ ବ୍ୟବଚ୍ଛେଦ କରିଛନ୍ତି। ଦିନେ ଦୁଇଦିନ ଭିତରେ ରିପୋର୍ଟ ମିଳିଯିବ। ଅନୁଗୁଳ ଏସ୍ପି ରାହୁଲ ଜୈନଙ୍କ ତତ୍ତ୍ବାବଧାନରେ ଡିଏସ୍ପି ପାହ୍ୟାର ଜଣେ ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି। ଦୋଷୀ ବିରୋଧରେ ପ୍ରମାଣ ସଂଗ୍ରହକୁ ଗୁରୁତ୍ବ ଦେଇଛି ପୁଲିସ। ଏଥିପାଇଁ ସାଇଣ୍ଟିଫିକ୍ ଟିମ୍ର ସହାୟତା ନିଆଯାଇଛି। ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ପକ୍ଷରୁ ଉଦ୍ୟମ କରାଯାଉଛି ବୋଲି ଏସ୍ପି ରାହୁଲ ଜୈନ ସୂଚନା ଦେଇଛନ୍ତି।
ଗତ ୧୩ ତାରିଖ ଦିନ ପ୍ରାୟ ୨ଟାରେ ଶିଶୁକନ୍ୟାଟି ଘର ଅଗଣାରେ ଖେଳୁଥିବା ବେଳେ ନିଖୋଜ ହୋଇ ଯାଇଥିଲା। ପରିବାର ଲୋକ ଝିଅକୁ ଖୋଜିଥିଲେ ମଧ୍ୟ ପାଇ ନଥିଲେ। ଶନିବାର ସକାଳ ୬ଟା ବେଳେ ଗାଁ ଲୋକେ ଶିଶୁକନ୍ୟାର ରକ୍ତ ଜୁଡୁବୁଡୁ ମୃତଦେହ ଘରଠାରୁ ଅଳ୍ପ ଦୂର ମହୁଲ ବଣରେ ପଡ଼ିଥିବା ଦେଖି ପରିବାର ଓ ପୁଲିସକୁ ଖବର ଦେଇଥିଲେ। ଅପରପକ୍ଷରେ ଅଭିଯୁକ୍ତ ବାବୁଲାକୁ ଛାଡ଼ି ତାଙ୍କ ପତ୍ନୀ ପଳାଇଯିବା ପରେ ସେ ତାଙ୍କର ଜଣେ ସଂପର୍କୀୟ ଭାଉଜଙ୍କୁ ଆଣି ପୀଢ଼ଖମଣ ଗାଁ ଘରେ ରହୁଥିଲେ। କିନ୍ତୁ ୧୧ ଦିନ ପୂର୍ବରୁ ବାବୁଲା ତାଙ୍କ ସଂପର୍କୀୟ ଭାଉଜଙ୍କୁ ମାଡ଼ପିଟ୍ କରିବାରୁ ସେ ଏଠାରୁ ପଳାଇ ଯାଇଛନ୍ତି। ଘରେ କେହି ନ ଥିବା ସୁଯୋଗରେ ସେ ଶିଶୁକନ୍ୟା ସହ ଦୁଷ୍କର୍ମ କରି ହତ୍ୟା କରିଥିବା ପୁଲିସ ଆଗରେ ସ୍ବୀକାର କରିଛି।