କଟକ: ବହୁ ଚର୍ଚ୍ଚିତ ନୟାଗଡ଼ ନାବାଳିକା ପରୀ ହତ୍ୟା ଘଟଣାର ଅଭିଯୁକ୍ତ ନାବାଳକର ଜାମିନ ହାଇକୋର୍ଟ ନାମଞ୍ଜୁର କରିଛନ୍ତି। ହାଇକୋର୍ଟଙ୍କ ୨୦୨୩, ନଭେମ୍ବର ୨୦ର ନିର୍ଦ୍ଦେଶ ପାଳନ କରି ନୟାଗଡ଼ ଅତିରିକ୍ତ ଦୌରା ଜଜ୍ ତଥା ଚିଲଡ୍ରେନ୍ସ କୋର୍ଟ ପକ୍ଷରୁ ଦାଖଲ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଯେ ପ୍ରସିକ୍ୟୁସନ୍ ତରଫରୁ ସାକ୍ଷ୍ୟ ଗ୍ରହଣ ଶେଷ ହେବା ପରେ ଅଭିଯୁକ୍ତର ଜମାନବନ୍ଦୀ ରେକର୍ଡ ହୋଇଥିଲା। ଏହାପରେ ପ୍ରତିପକ୍ଷ (ଡିଫେନ୍ସ) ତରଫରୁ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ୨୦୨୩, ଅକ୍ଟୋବର ୩୦ରେ ପ୍ରତିପକ୍ଷଙ୍କ ତରଫରୁ ସାକ୍ଷ୍ୟ ଗ୍ରହଣ ‌ଶେଷ ହୋଇଥିବା ବେଳେ ସେ ଦିନ ପ୍ରସିକ୍ୟୁସନ ତରଫରୁ ଏକ ପିଟିସନ ସହିତ ନାବାଳିକ ଅଭିଯୁକ୍ତର ସଂପର୍କୀୟଙ୍କ ଫୋନ୍ କଲ ବିବରଣୀ ଦାଖଲ କରାଯାଇଥିଲା। ଏହି ଫୋନ କଲ୍ ବିବରଣୀକୁ ପ୍ରମାଣ ଭାବେ ଅଦାଲତରେ ଗ୍ରହଣ କରିବାକୁ ନିବେଦନ କରି ଦାଖଲ ଆବେଦନ ଉପରେ ଅଭିଯକ୍ତଙ୍କ ତରଫରୁ ଆପତ୍ତି ଦାଖଲ କରାଯାଇଥିଲା। ପ୍ରସିକ୍ୟୁସନର ଏହି ପିଟିସନ ଉପରେ ଉଭୟ ପକ୍ଷଙ୍କ ତରଫରୁ ଯୁକ୍ତି ଉପସ୍ଥାପନ ସରିଛି ବୋଲି ରିପୋର୍ଟରେ ‌ଉଲ୍ଲେଖ କରାଯାଇଥିଲା। ନିମ୍ନ ଅଦାଲତରେ ମାମଲାର ଟ୍ରାଏଲର ଅଗ୍ରଗତିକୁ ବିଚାରକୁ ନେଇ ହାଇକୋର୍ଟ ଅଭିଯୁକ୍ତକୁ ଜାମିନରେ ଛାଡ଼ିବାକୁ ମନା କରିବା ସହିତ ଯଥା ଶୀଘ୍ର ମାମଲାର ରାୟ ପ୍ରକାଶ ପାଇଁ ନିମ୍ନ ଅଦାଲତଙ୍କୁ କହିଛନ୍ତି।

Advertisment

ଯଥା ଶୀଘ୍ର ନିମ୍ନ ଅଦାଲତ ପ୍ରସିକ୍ୟୁସନର ପିଟିସନ ଉପରେ ନିର୍ଦ୍ଦେଶ ପ୍ରଦାନ କରିବେ। ଯୁକ୍ତି ବିଚାରକୁ ନେଇ ମାମଲାର ରାୟ ଯଥା ଶୀଘ୍ର ପ୍ରକାଶ କରିବେ। ଫେବ୍ରୁଆରି ଶେଷ ସୁଦ୍ଧା ରାୟ ପ୍ରକାଶ ପାଇଁ ହାଇକୋର୍ଟ କହିଛନ୍ତି। ଯୁକ୍ତି ଉପସ୍ଥାପନ ପାଇଁ କୌଣସି ପକ୍ଷଙ୍କୁ ନିମ୍ନ ଅଦାଲତ ମହଲତ ପ୍ରଦାନ କରିବେ ନାହିଁ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଯଦି ୨୦୨୪, ଫେବ୍ରୁଆରି ଶେଷ ସୁଦ୍ଧା ରାୟ ପ୍ରକାଶ ନ ପାଏ ତେବେ ଆବେଦନକାରୀ ଜାମିନ ପାଇଁ ସାନି ପ୍ରାର୍ଥନା କରି ପାରିବେ ବୋଲି ହାଇକୋର୍ଟ କହିବା ସହିତ ଏ ସଂପର୍କିତ ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ନାବାଳକ ଅଭିଯୁକ୍ତ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୦, ଜୁଲାଇ ୧୪ରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା। ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗରେ ଏସଆଇଟି ନାବାଳକ ଅଭିଯୁକ୍ତ ବିରୋଧରେ ଆଇପିସିର ଦଫା ୩୭୬(ଏ), ୩୭୬(ଏବି), ୩୬୩, ୩୬୪, ୩୦୨, ୨୦୧ ଓ ପୋକସୋ ଆଇନର ଧାରା ୬ରେ ଚାର୍ଜସିଟ ଦାଖଲ କରିଥିଲା। ନିମ୍ନ ଅଦାଲତରେ ୨୦୨୧, ମାର୍ଚ୍ଚ ୨୪ରେ ଜାମିନ ଖାରଜ ହେବା ପରେ ନାବାଳିକ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ସରକାରଙ୍କ ତରଫରୁ ଅତିରିକ୍ତ ଷ୍ଟାଣ୍ଡିଂ କାଉନସେଲ ପ୍ରିୟବ୍ରତ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।