ସର୍ଭେ ସଂସ୍ଥା ଅଧିକାରୀଙ୍କୁ ପିଟି ପିଟି ହତ୍ୟା ମାମଲା: ଗିରଫଦାରୀ ଭୟରେ ଗାଁ ପୁରୁଷ ଶୂନ୍ୟ

କଳାବାଡ଼ିଆ: ବାଙ୍ଗିରିପୋଷି ଥାନା ଅଧୀନ କତରା ଛକରେ ମଙ୍ଗଳବାର ଘଟିଥିବା ଦୁର୍ଘଟଣା ପରେ ଜଣେ ସର୍ଭେସଂସ୍ଥା ଅଧିକାରୀଙ୍କୁ ପିଟିପିଟି ହତ୍ୟା କରିଥିଲେ ଉତ୍ତ୍ୟକ୍ତ ଜନତା। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସର ଚଢ଼ଉ ଜାରି ରହିଛି। ପୁଲିସ ଗତକାଲି ୪ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିବା ବେଳେ ଆଜି ଆଖପାଖ ଗ୍ରାମରୁ ଆଉ ୪ଜଣଙ୍କୁ ଟେକି ନେଇଥିଲା। ସନ୍ଧ୍ୟାରେ ବାରିପଦା ସଦର ଏସ୍‌ଡିପିଓ କେକେ ହରିପ୍ରସାଦ ନିଜେ ବାଙ୍ଗିରିପୋଷି ଥାନାରେ ପହଞ୍ଚି ଅଟକ ୮ଜଣଙ୍କୁ ଜଣ ଜଣ କରି ଜେରା କରିଥିଲେ। ପରେ ପୁଲିସ ୪ଜଣଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି। ଦୁର୍ଘଟଣା ଘଟିଥିବା ସ୍ଥାନରେ ଥିବା ଦୋକାନର ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଏହି ତଦନ୍ତ ଚଳାଇଛି। ଏପଟେ ଗିରଫଦାରୀ ଭୟରେ ଆଜକୁ ୩ ଦିନ ହେବ ବଣକାଟି ପଞ୍ଚାୟତର ଡୁମୁରିଆ, ଆଶୁଆ ଓ ଗୋଷାଣୀପାଳ ଗ୍ରାମ ପୁରୁଷ ଶୂନ୍ୟ ହୋଇପଡ଼ିଛି।

ଏସ୍‌ପିଙ୍କ ନିର୍ଦ୍ଦେଶରେ ବିଳମ୍ବିତ ରାତିରେ ପୁଲିସ ଗ୍ରାମଗୁଡିକରେ ଚଢ଼ଉ କରୁଛି। ତେଣୁ ଗିରଫ ସଂଖ୍ୟା ବଢ଼ିବ ବୋଲି ବାଙ୍ଗିରିପୋଷି ଥାନା ଅଧିକାରୀ ସଞ୍ଜୟ ପରିଡ଼ା କହିଛନ୍ତି। ସୂଚନାଯୋଗ୍ୟ; ସ୍କୋର୍ପିଓ ଧକ୍କାରେ ଗୋଷାଣୀପାଳ ଗ୍ରାମର ହରିହର ସେଠୀ(୬୭)ଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଉତ୍ୟକ୍ତ ଜନତା ସ୍କୋର୍ପିଓରେ ଥିବା ସର୍ଭେ ସଂସ୍ଥାର ଅଧିକାରୀ ଆନନ୍ଦପୁର ଅଞ୍ଚଳର ସତ୍ୟ ନାରାୟଣ ନନ୍ଦ (୪୫)ଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଆଜି ଆସିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ କିଡନି ଓ  ଲିଭରରେ ଆଘାତ ଲାଗି ଫାଟିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର