୨୬ ବର୍ଷ ତଳର ହତ୍ୟା ମାମଲା ରାୟ: ଅଭିଯୁକ୍ତ ନିର୍ଦ୍ଦୋଷ

ଦେବଗଡ଼: ୨୬ ବର୍ଷ ପୂର୍ବେ ଘଟିଥିବା ଏକ ହତ୍ୟା ମାମଲାର ବିଚାର କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ ଚିନ୍ମୟ ଗୋଚ୍ଛାୟତ ମତୁଆ ମୁଣ୍ଡା ଓରଫ୍ ଗାଗାରିନ ନାମକ ଜଣେ ଅଭିଯୁକ୍ତକୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।  ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ଦଲକି ଗ୍ରାମର ଗାଗାରିନ ସେହି ଗ୍ରାମର ଦୀନବନ୍ଧୁ ବାଙ୍କିରାଙ୍କ ଘରେ ହଳିଆ ଭାବେ କାର୍ଯ୍ୟ କରୁଥିଲେ। ଏହା ପରେ ଦୀନବନ୍ଧୁଙ୍କ ସ୍ତ୍ରୀ ରଜନୀ ଓରଫ ରାଇମନି ମୁଣ୍ଡାଙ୍କ ସହ ମତୁଆଙ୍କର ପ୍ରେମ ସମ୍ପର୍କ ହୋଇ ରଜନୀ ଗର୍ଭବତୀ ହୋଇଥିଲେ।

ଏହାକୁ ନେଇ ଗ୍ରାମରେ ଏକ ବୈଠକ ବସିଥିଲା। ବୈଠକରେ ଗ୍ରାମ କମିଟି ନିଷ୍ପତ୍ତି ଅନୁଯାୟୀ ମତୁଆ ରଜନୀଙ୍କୁ ସ୍ତ୍ରୀ ଭାବେ ଗ୍ରହଣ କରି ନିଜ ଘରକୁ ନେଇଥିଲା। ଉଭୟେ କିଛିଦିନ ଏକାଠି ରହିବା ପରେ ସମ୍ବଲପୁର ଯିବା ପାଇଁ ଗତ ୧୯୯୫ ମସିହା ଫେବ୍ରୁଆରି ୨୦ ତାରିଖରେ ବସ ଧରିବା ପାଇଁ ଦେବଗଡ଼ ଥାନା ଅନ୍ତର୍ଗତ ଲଇମୁରା ଗ୍ରାମକୁ ଯାଇଥିଲେ। ମାତ୍ର ସେହିଦିନଠାରୁ ଉଭୟଙ୍କର ଆଉ କୌଣସି ପତ୍ତା ମିଳି ନଥିଲା। ଏହାର ୭ ଦିନ ପରେ ରଜନୀଙ୍କ ମୃତଦେହ ଦେବଗଡ଼ ଥାନା ଲଇମୁରା ଫାଣ୍ଡି ଅନ୍ତର୍ଗତ ଢେଙ୍ଗୁରଯୋର ଗ୍ରାମର ଏକ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ମତୁଆ ରଜନୀଙ୍କୁ ହତ୍ୟା କରି ଉକ୍ତ ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ ହେବାପରେ ଦେବଗଡ଼ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଥିଲା।

ତେବେ ମତୁଆ ଫେରାର ଥିବାରୁ ତାକୁ ଗିରଫ କରିବା ଉଭୟ ଦେବଗଡ଼ ଏବଂ ସୁନ୍ଦରଗଡ ଜିଲ୍ଲା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା। ଉଭୟ ଜିଲ୍ଲା ପୁଲିସର ମିଳିତ ଉଦ୍ୟମରେ ୨୦୧୪ ଏପ୍ରିଲ ମାସ ୧୯ ତାରିଖ ଦିନ ମତୁଆକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ମତୁଆଙ୍କ ଜାମିନ ଆବେଦନ ଖାରଜ ହେବାପରେ ଉଚ୍ଚ ନ୍ୟାୟାଳୟ ମଧ୍ୟ ତାଙ୍କର ଜାମିନ ନାମଞ୍ଜୁର କରିବାରୁ ସେହି ଦିନଠାରୁ  ପ୍ରାୟ ୭ ବର୍ଷରୁ ଅଧିକ ସମୟ ଧରି  ଜେଲ୍‌ ହାଜତରେ ବିଚାରାଧୀନ ବନ୍ଦୀ ଭାବେ ରହୁଥିଲେ। ଏ ଘଟଣା ସେହି ସମୟରେ ଉଭୟ ଦେବଗଡ଼ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଥିଲା। ଶେଷରେ ଉକ୍ତ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ ଶ୍ରୀ ଗୋଚ୍ଛାୟତ ପ୍ରମାଣ ଅଭାବରୁ ମତୁଆଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଅଭିଯୁକ୍ତ ମତୁଆଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦିଲୀପ ଗୁରୁ ଓ ସିଦ୍ଧେଶ୍ୱର ଗୁରୁ ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର