ପରୀ ହତ୍ୟା ମାମଲା: ଏସ୍‌ଆଇଟି ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ

ମାର୍ଚ୍ଚ ୨୫ରେ ପୁଣି ଶୁଣାଣି, ଷ୍ଟାଟ୍‌ସ ରିପୋର୍ଟ ଦାଖଲ ନିର୍ଦ୍ଦେଶ

କଟକ: ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାର ତଦନ୍ତର ଅଗ୍ରଗତିକୁ ନେଇ ହାଇକୋର୍ଟ ସନ୍ତୋଷବ୍ୟକ୍ତ କରିଛନ୍ତି। ଆଜି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ଜନସ୍ବା‌ର୍ଥ ମାମଲାର ଶୁଣାଣି ହୋଇଥିଲା। ତଦନ୍ତର ତିନୋଟି ଷ୍ଟାଟସ୍ ରିପୋର୍ଟ ହାଇକୋର୍ଟରେ ଦାଖଲ ହୋଇଥିବା ବେଳେ ତାହାକୁ ଖଣ୍ଡପୀଠ ଦେଖିଥିଲେ। ୨୦୨୦ ଡିସେମ୍ବର ୧୫ରେ ପ୍ରଥମ, ଡିସେମ୍ବର ୨୩ରେ ଦ୍ବିତୀୟ ଓ ୨୦୨୧ ଜାନୁଆରି ୧୧ରେ ତୃତୀୟ ରିପୋର୍ଟ ଦାଖଲ ହୋଇଥିଲା। ଏହି ରିପୋର୍ଟର ତଥ୍ୟ ଅନୁଯାୟୀ କ୍ରାଇମବ୍ରାଞ୍ଚ ଆଇଜିଙ୍କ ନେତୃତ୍ବରେ ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ କରୁଥିବା ତଦନ୍ତର ଅଗ୍ରଗତି ସନ୍ତୋଷଜନକ ରହିଛି ବୋଲି ହାଇକୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୫କୁ ଧାର୍ଯ୍ୟ କରିବା ସହିତ ସେହି ସମୟ ଭିତରେ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ଆବେଦନକାରୀ ଆଇନଜୀବୀ ପଦ୍ମାଳୟା ମହାପାତ୍ରଙ୍କ ତରଫରୁ ଆଜି ସାନି ସତ୍ୟପାଠ ଦାଖଲ କରାଯାଇ ପରୀ ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ବ ଦିଆଯାଉ ବୋଲି ଦର୍ଶାଯାଇଛି। ହତ୍ୟା ମାମଲାରେ ଏସଆଇଟି ଗିରଫ କରିଥିବା ଅଭିଯୁକ୍ତ ନାବାଳକ ହୋଇଥିବା ବେଳେ ତାକୁ ଜୁଭେନାଇଲ ଜଷ୍ଟିସ୍ ବୋର୍ଡ ନିକଟରେ ଗିରଫ ପରେ ହାଜର କରାଯିବା କଥା। କିନ୍ତୁ ଏସଆଇଟି ଅଭିଯୁକ୍ତକୁ ସାବାଳକ ଦର୍ଶାଇ ପ୍ରଥମେ ପୋକ୍‌ସୋ ଅଦାଲତରେ ହାଜର କରିଥିଲା। ଏଭଳି ଭାବେ ଏସଆଇଟି ଭୁଆଁ ବଲାଉଛି ଓ ପ୍ରକୃତ ଦୋଷୀଙ୍କୁ ସୁରକ୍ଷା ଦେବାକୁ ଯାଇ ବିଳମ୍ବ କରି ଚାଲିଛି। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଯେଭଳି ଭାବେ ଏସଆଇଟି ତଦନ୍ତ କରୁଛି ତାକୁ ନେଇ

ରାଜ୍ୟବାସୀଙ୍କ ଏସଆଇଟି ଉପରେ ଆଉ ଭରସା ନାହିଁ। ଏବେ ଓଡ଼ିଶାରେ ୫ ହଜାର ୫୧୦ ଜଣ ପିଲା ନିଖୋଜ ଅଛନ୍ତି। ପରୀ ଏହି ନିଖୋଜ ପିଲାଙ୍କ ପ୍ରତିନିଧିତ୍ବ କରୁଛି। ତେଣୁ ଏହି ପ୍ରସଂଗ କେବଳ ପରୀର ନୁହେଁ, ଏହା ନିଖୋଜ ଥିବା ସବୁ ପିଲାଙ୍କର ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ନୟାଗଡ଼ ସଦର ଥାନା ଆଇଆଇସି ନିଲମ୍ବିତ ହୋଇଥିଲେ, ଏସଡିପିଓ ବଦଳି ହୋଇଥିଲେ ଓ ନୟାଗଡ଼ ଏସପି ମଧ୍ୟ ବଦଳି ହୋଇଥିଲେ। ତେଣୁ ବେଆଇନ ତଦନ୍ତ ପାଇଁ ଏସଆଇଟିକୁ କାହିଁକି ସସପେଣ୍ଡ କରା ନ ଯିବ ବୋଲି ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି।। ଓଡ଼ିଶା ପୁଲିସ ଠାରୁ ବୈଷୟିକ ଦୃଷ୍ଟିରୁ ଅଧିକ ଉନ୍ନତ ସିବିଆଇକୁ ପରୀ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆଇନଜୀବୀ ମହାପାତ୍ର ସତ୍ୟପାଠରେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଏହି ମାମଲାରେ ଆବେଦନକାରୀ ଆଇନଜୀବୀ ମହାପାତ୍ର ଦାଖଲ କରିଥିବା ସାନି ସତ୍ୟପାଠ ଓ ଭାରତୀୟ ବିକାଶ ପରିଷଦ ପୂର୍ବରୁ ଦାୟର କରିଥିବା ଅନ୍ତରୀଣ ଆବେଦନ ଉପରେ ଆଜି ଶୁଣାଣି ହୋଇ ନାହିଁ।

ଉଲ୍ଲେଖଯୋଗ୍ୟ ଯେ ଆଇନଜୀବୀ ମହାପାତ୍ର ପୂବର୍ରୁ ସତ୍ୟପାଠ ଦାଖଲ କରି କେତେକ ଅତିରିକ୍ତ ପ୍ରସଂଗ ଉପସ୍ଥାପନ କରିଥିଲେ। ଏଥିରେ ଦର୍ଶାଯାଇଥିଲା ଯେ ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ କହିଥିଲେ ଯେ ପରୀକୁ ଅପହରଣ ପରେ ହତ୍ୟା କରାଯାଇଛି। ପରୀ ସହିତ ଦୁଷ୍କର୍ମ ନେଇ ‌ଶବବ୍ୟବଚ୍ଛେଦ ରିପୋର୍ଟରୁ କିଛି ତଥ୍ୟ ମିଳି ପାରିନାହିଁ। କିନ୍ତୁ ଏବେ ଏସଆଇଟି ମୁଖ୍ୟ କହୁଛନ୍ତି ଯେ ପରୀ ସହିତ ଦୁଷ୍କର୍ମ ହୋଇଛି। ପରୀ ସହିତ ଦୁଷ୍କର୍ମ ପ୍ରସଂଗରେ ଏଭଳି ଭିନ୍ନ ମତ ସମସ୍ତ ତଦନ୍ତ ପ୍ରକ୍ରିୟାକୁ ସନ୍ଦେହ ଘେରରେ ରଖିଛି। ଏଥି ସହିତ ଏସଆଇଟି ମୁଖ୍ୟ ଭାବେ ଅରୁଣ ବୋଥ୍ରାଙ୍କ ନିଯୁକ୍ତି ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ। ଅନ୍ୟପକ୍ଷରେ ଦ୍ବିତୀୟ ଜନସ୍ବାର୍ଥ ଆବେଦନ‌ ଦାୟର କରିଥିବା ଭାରତୀୟ ବିକାଶ ପରିଷଦ ଏକ ଅନ୍ତରୀଣ ଆବେଦନ ଦାୟର କରି ପରୀ ଶରୀରର ଡାକ୍ତରୀ ପରୀକ୍ଷା କରିଥିବା ଡାକ୍ତରଙ୍କ ସହିତ ଏସଆଇଟି ମୁଖ୍ୟଙ୍କ ପଲିଗ୍ରାଫ ଟେଷ୍ଟ କରାଯାଉ ବୋଲି ଦର୍ଶାଇଥିଲା। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର