ରାଜଧାନୀ ରାଜରାସ୍ତା ରକ୍ତରଞ୍ଜିତ : ଗାଡ଼ି ଭିତରେ ହାଣିଦେଲେ

ଉତ୍ତ୍ୟକ୍ତ ଲୋକଙ୍କ ମାଡ଼ରେ ଅଭିଯୁକ୍ତ ୨ ଭାଇ ଲହୁଲୁହାଣ

ପୁଲିସକୁ ପିଟିଲେ, ପିସିଆର୍‌ ଭାଙ୍ଗି ଅଭିଯୁକ୍ତକୁ ଛଡ଼ାଇନେଲେ
ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା, ପ୍ରେମ ଓ ବ୍ଲାକ୍‌ମେଲିଂ!

ଭୁବନେଶ୍ବର : ରକ୍ତରଞ୍ଜିତ ହେଲା ରାଜଧାନୀର ରାଜରାସ୍ତା। ଦିନ ଦ୍ବିପ୍ରହରରେ ଜଣେ ଯୁବକକୁ ବସ୍ତିରୁ ଉଠାଇ ଆଣି ଗାଡ଼ି ଭିତରେ ଭୁଜାଲିରେ ହାଣି ହତ୍ୟା କଲେ ଦୁଇ ଭାଇ। ଦୁଇ ଅଭିଯୁକ୍ତଙ୍କୁ ବି ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରୋଶ ଓ ଆକ୍ରମଣର ଶିକାର ହେବାକୁ ପଡ଼ିଲା। ଆଇନକୁ ହାତକୁ ନେଇ ଶହ ଶହ ଲୋକ ଉଭୟଙ୍କୁ ଗାଡ଼ିରୁ ଭିଡ଼ି ନେଲେ ଏବଂ ମାଡ଼ ମାରି ଲହୁଲୁହାଣ କରିଦେଲେ। କେବଳ ସେତିକି ନୁହେଁ, ଉତ୍ତ୍ୟକ୍ତ ଜନତା ପିସିଆର୍‌ ଗାଡ଼ି ଭଙ୍ଗାରୁଜା କରିବା ସହ ପୁଲିସକୁ ମଧ୍ୟ ପିଟିବାକୁ ପଛାଇଲେ ନାହିଁ। ଫଳରେ ପ୍ରାୟ ଘଣ୍ଟାଏ କାଳ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଭଳି ନୂଆପଲ୍ଲୀ-ସିଆର୍‌ପି ରାସ୍ତା ପାଲଟିଗଲା ରଣକ୍ଷେତ୍ର। ରାଜଧାନୀର ଛାତି ଉପରେ ଆଜି ଘଟିଥିବା ଏଭଳି ହତ୍ୟାକାଣ୍ଡ ଏବଂ ହିଂସା କମିସନରେଟ୍‌ ପୁଲିସର ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଫୁ କରି ଉଡ଼ାଇ ଦେଇଛି।

ଶନିବାର ମଧ୍ୟାହ୍ନରେ ନୂଆପଲ୍ଲୀ-ସିଆର୍‌ପି ରାସ୍ତାର ଡେଲ୍ଟା ଛକରେ ଘଟିଛି ଏହି ଅଭାବନୀୟ ଘଟଣା। ଭୁଜାଲି ଚୋଟରେ ପ୍ରାଣ ହରାଇଥିବା ଯୁବକ ହେଉଛନ୍ତି ସାଲିଆସାହି ଜନତାନଗର ବସ୍ତିରେ ରହୁଥିବା ଭଞ୍ଜନଗର ବାସୁଦେବପୁରର ଟୁକୁନା ଦାସ ଓରଫ ଜଟିଆ। ସେହିପରି ପୁଲିସ ହାତରେ ଧରାପଡ଼ିଥିବା ଦୁଇ ହତ୍ୟାକାରୀ ଭାଇ ହେଉଛନ୍ତି ସାଗର ପୃଷ୍ଟି ଓ ସୁଧୀର ପୃଷ୍ଟି। ସେମାନେ ସାଲିଆସାହିର ବସ୍ତି ବିକାଶ ପରିଷଦରେ ରହନ୍ତି। ଅଭିଯୋଗ ମୁତାବକ, ଟୁକୁନା ଏଠା‌ରେ ରହି କାଠ ପଲିସ୍‌ କାମ କରୁଥିଲା। ଟୁକୁନାର ଭଉଣୀକୁ ସାଗର ପ୍ରେମ ଜାଲରେ ଫସାଇ ଅସଞ୍ଜତ ଅବସ୍ଥାରେ ଏକ ଭିଡିଓ ସୁଟିଂ କରି ନେଇଥିଲା ଏବଂ ଏହାକୁ ଭାଇରାଲ୍‌ କରିଦେବ କହି ଟୁକୁନାର ଭଉଣୀଠାରୁ ବେଶ୍ କିଛି ଟଙ୍କା ନେଇ ଯାଇଥିଲା। ଏହା ଜାଣିବା ପରେ ଟୁକୁନା ରକ୍ତଚାଉଳ ଚୋବାଇଥିଲା। ଏ ନେଇ ବିଭିନ୍ନ ସମୟରେ ସାଗର ଓ ଟୁକୁନା ମଧ୍ୟରେ ବଚସା ହେବା ସହ ଉଭୟ ଉଭୟଙ୍କୁ ହତ୍ୟା ଧମକ ଦେଉଥିଲେ।

ଶୁକ୍ରବାର ରାତିରେ ସାଗର ଓ ତା’ ଭାଇ ସୁଧୀର ମିଶି ଟୁକୁନାକୁ ପାନେ ଦେବାପାଇଁ ଯୋଜନା କରିଥିଲେ। ହେଲେ ଟୁକୁନା ଘରୁ ବାହାରି ନ ଥିଲା। ଆଜି ସକାଳେ ଅଚାନକ ଟୁକୁନା ଆସି ସୁଧୀରକୁ ଭୁଜାଲିରେ ଆକ୍ରମଣ କରିଥିଲା। ତେବେ ସୁଧୀର ଓ ସାଗର ମିଶି ଟୁକୁନାକୁ କାବୁ କରି ନେବା ସହ ବସ୍ତିରୁ ଉଠାଇ ଆଣିଥିଲେ। ଏହାପରେ ଦୁଇ ଭାଇ ଟୁକୁନାକୁ ନିଜ ‌ପିକ୍‌ଅପ୍ ଭ୍ୟାନ୍‌ରେ ନୂଆପଲ୍ଲୀ ଥାନାରେ ଜିମା ଦେବାକୁ ଆସୁଥିଲେ। ହେଲେ ଗାଡ଼ି ଭିତରେ ଟୁକୁନା ପୁଣି ସେମାନଙ୍କୁ ଆକ୍ରମଣ କରିଥିଲା। ତେଣୁ ଦୁଇ ଭାଇ ମିଶି ସେହି ଭ୍ୟାନ୍ ଭିତରେ ହିଁ ଟୁକୁନାକୁ ଭୁଜାଲିରେ ହାଣି ପକାଇଥିବାରୁ ଟୁକୁନାର ମୃତ୍ୟୁ ଘଟିଥିଲା।

ତେବେ ଗାଡ଼ି ଭିତରେ ଏମାନେ ଜଣେ ଯୁବକକୁ ହାଣୁଥିବା ଦେଖି ଇନ୍ଦ୍ରଧନୁ ମାର୍କେଟ ଅଞ୍ଚଳରୁ କିଛି ଲୋକ ଏମାନଙ୍କ ପିଛା କରିଥିଲେ। ଡେଲ୍‌ଟା ଛକ ନିକଟରେ ପିକ୍‌ଅପ୍ ଭ୍ୟାନ୍‌ଟି ଅଟକିଯିବାରୁ ଲୋକେ ଦୁଇ ଅଭିଯୁକ୍ତଙ୍କୁ ଗାଡ଼ି ଭିତରୁ ଭିଡ଼ି ଆଣିଥିଲେ। ଏହା ଦେଖି ରାସ୍ତାରେ ପଥଚାରୀଙ୍କ ଭିଡ଼ ଜମି ଯାଇଥିଲା। ଏମାନେ ଜଣକୁ ହତ୍ୟା କରିଥିବା ଜାଣିବା ପରେ ଉତ୍ତ୍ୟକ୍ତ ଲୋକେ ଘେରିଯାଇ ଉଭୟଙ୍କୁ ବିଧା‌, ଗୋଇଠା, ମୁଥ ସାଙ୍ଗକୁ ପ୍ଲାଷ୍ଟିକ୍ ବାଡ଼ିରେ ପିଟିବା ଆରମ୍ଭ କରିଥିଲେ। ପ୍ରାୟ ଅଧଘଣ୍ଟା କାଳ ରାସ୍ତା ଉପରେ ଲୋକଙ୍କ ମାଡ଼ରେ ଦୁହେଁ ଲହୁଲୁହାଣ ହୋଇଯିବା ପରେ ଖବର ପାଇ ନୂଆପଲ୍ଲୀ ଥାନା ପିସିଆର୍‌ ୩ ପୁଲିସ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଦୁଇ ଅଭିଯୁକ୍ତକୁ ନେଇ ପିସିଆର୍‌ରେ ବସାଇଥିଲା। ମାତ୍ର ଉତ୍ତ୍ୟକ୍ତ ‌ଲୋକେ କିଛି ବୁଝିବା ଅବସ୍ଥାରେ ନ ଥିଲେ। ପୁଲିସ ସେମାନଙ୍କୁ ସୁରକ୍ଷା ଦେଉଛି ଭାବି ଲୋକେ ପିସିଆର୍ କାଚ ଭାଙ୍ଗିଦେବା‌ ସହ ପୁଲିସ ଉପରେ ମଧ୍ୟ ଆକ୍ରମଣ କରିଥିଲେ ଏବଂ ଦୁଇ ଅଭିଯୁକ୍ତଙ୍କୁ ଛଡ଼ାଇ ଆଣିଥିଲେ। ଖବର ପାଇ ଅଧିକ ସଂଖ୍ୟାରେ ପୁଲିସ ଫୋର୍ସ ସହ ଉଚ୍ଚପଦସ୍ଥ ଅଧିକାରୀମାନେ ପହଞ୍ଚିଥିଲେ ଏବଂ ଦୁଇ ଅଭିଯୁକ୍ତଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇ ଯାଇଥିଲେ। ଏହାଛଡ଼ା ପୁଲିସ ଟୁକୁନାର ଶବ ମଧ୍ୟ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ଭିଡ଼ର ସୁଯୋଗ ନେଇ ହତ୍ୟାକାଣ୍ଡର ପ୍ରତ୍ୟକ୍ଷ ସାକ୍ଷୀ ତଥା ବୋଲେରା ଚାଳକ ଘଟଣସ୍ଥଳରୁ ଫେରାର ହୋଇ ଯାଇଥିଲା।

ଅନ୍ୟପକ୍ଷରେ ସମଗ୍ର ଅଞ୍ଚଳ ଲୋକାରଣ୍ୟ ହେବା ସହ ଦୀର୍ଘ ଏକ ଘଣ୍ଟା ଧରି ରାସ୍ତା ଜାମ୍‌ ହୋଇଯାଇଥିଲା। ଉଭୟ ପଟେ ଶହ ଶହ ଗାଡ଼ି ଅଟକି ରହିଥିଲା। ତେଣୁ ପୁଲିସ ଭିଡ଼ ହଟାଇବା ସହ ଯାନବାହନ ଚଳାଚଳ ସ୍ବାଭାବିକ କରିଥିଲା। ଲୋକେ ପିସିଆର୍ ଭାଙ୍ଗି ଚାବି ନେଇ ଯାଇଥିବାରୁ ପରେ ଘଟଣାସ୍ଥଳରୁ କ୍ରେନ୍‌ ସାହାଯ୍ୟରେ ପିସିଆର୍‌ ଗାଡ଼ିକୁ ଥାନାକୁ ଅଣାଯାଇଥିଲା। ଏ ନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ଉଭୟ ମୁଖ୍ୟ ଅଭିଯୁକ୍ତଙ୍କୁ ଆମେ ଧରିଛୁ। ଫେରାର ବୋଲେରୋ ଚାଳକଙ୍କୁ ଖୋଜା ଚାଲିଛି। ଟଙ୍କା କାରବାରକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ସହ ହତ୍ୟାକାଣ୍ଡ ଘଟିଛି। ଟୁକୁନା ନାମରେ ଦୁଇଟି ମାମଲା ରହିଛି। ସେ ଜାମିନ୍‌ରେ ଆସିଛି।

ସମ୍ବନ୍ଧିତ ଖବର