ହିଞ୍ଜିଳିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୪ ମୃତ

ମୃତକମାନେ ହେଲେ ୩ ଭାଇ, ୪ ଗୁରୁତର ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର/ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ତଥା ହିଞ୍ଜିଳି ଥାନା ଅଧୀନ ପିତ୍ତଳ ଛକ ନରେନ୍ଦ୍ରପୁରରେ ଆଜି ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୪ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସଂଘର୍ଷର କାରଣ ଜଣା ପଡ଼ିନାହିଁ। ହିଞ୍ଜିଳିକାଟୁ ଥାନାଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ ଆଜି ରାତି ପ୍ରାୟ ସାଢ଼େ ୧୨ଟାରୁ ଗୋଟାଏ ମଧ୍ୟରେ ଏହି ସଂଘର୍ଷ ଘଟିଛି। ପ୍ରାଣ ହରାଇଥିବା ବ୍ୟକ୍ତିମାନେ ହେଉଛନ୍ତି ତିନି ଭାଇ।

ପିତ୍ତଳ ଛକରେ ଥିବା ଶମ୍ଭୁଙ୍କ ଫାଷ୍ଟ ଫୁଡ ଦୋକାନରେ ଗଣ୍ଡଗୋଳ ହୋଇ ପରବର୍ତୀ ସମୟର ଗୋଷ୍ଠୀସଂଘର୍ଷର ରୂପ ନେଇଥିଲା। ଦୁଇ ଗୋଷ୍ଠୀ ପରସ୍ପର ଉପରେ ସଶସ୍ତ୍ର ଆକ୍ରମଣ କରିଥିଲେ। ଏବଂ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ପହଁଚିଲା ବେଳକୁ ଉଭୟ ପକ୍ଷ ଛତ୍ରଭଙ୍ଗ ଦେଇଥିଲେ l ପିତ୍ତଳ ଛକ ରାସ୍ତା ଉପରେ ୪ ଜଣଙ୍କ ମୃତ ଦେହ ପଡ଼ିଥିଲା ବୋଲି ପୁଲିସ କହିଛି l ଏହି ସଂଘର୍ଷରେ ଅନେକ ଲୋକ ଆହତ ହୋଇଥିଲା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ପ୍ରଥମେ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥଲା। ପରେ ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଅଣାଯାଇଥିବା ସୂଚନା ମିଳିଛି। ଏହି ସଂଘର୍ଷର ପ୍ରକୃତ କାରଣ ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର