ବଳଦ ବିକ୍ରିକୁ କେନ୍ଦ୍ରକରି ବୀଭତ୍ସ ହତ୍ୟା, ମାରଣାସ୍ତ୍ର ଧରି ବାପା ଶବକୁ ତିନି ଦିନ ଜଗିଥିଲା ପୁଅ

ପାଟଣା : ବଳଦ ବିକ୍ରିକୁ କେନ୍ଦ୍ର କରି ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ବାପାର ଶବକୁ ଗାଏବ କରିବା ପାଇଁ ହତ୍ୟାକାରୀ ଯୋଜନା କରୁଥିବା ବେଳେ ପୁଅ ବାପର ଶବକୁ ଜଗି ରହିଥିଲା। ଖବର ପାଇ ୩ ଦିନ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲା। ଏଭଳି ସାଂଘାତିକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା କୁଣ୍ଡୁଳା ପଞ୍ଚାୟତ ଫୁଲପାହାଡ଼ି ଭାଲୁଘରା ଆଦିବାସୀସାହିରେ। ମୃତକ ଜଣକ ହେଲେ କାନ୍ଦେ ମୁଣ୍ଡା (୫୫)।

କାନ୍ଦେ ମୁଣ୍ଡା କିଛି ଦିନ ତଳେ ଅନ୍ୟ ଗ୍ରାମରୁ ଏକ ବଳଦ ଆଣି ରଖିଥିଲେ। ଗ୍ରାମବାସୀ ଏ ସମ୍ପର୍କରେ ଜାଣିବା ପରେ ବଳଦ କେଉଁଠୁ ଆଣିଲୁ ବୋଲି କ‌ିଛି ଲୋକେ କାନ୍ଦେଙ୍କୁ ପଚାରିଥିଲେ। ବୁଧବାର କାନ୍ଦେ ବଳଦଟିକୁ ୮ ହଜାର ଟଙ୍କାରେ ବିକ୍ରି କରିଥିଲେ। ଏହାକୁ ନେଇ ଗ୍ରାମରେ ସଭା ବସିଥିଲା। କାନ୍ଦେଙ୍କୁ ଡକାଯାଇଥିଲା। ଗାଁ ଲୋକଙ୍କୁ ନ ଜଣାଇ କାହିଁକି ବଳଦ ବିକିଲୁ ବୋଲି ତାଗିଦ କରାଯାଇଥିଲା। ବଳଦ ବିକ୍ରି ବ‌ାବଦକୁ ମିଳିଥିବା ୮ ହଜାର ଟଙ୍କା ଗାଁ’ବାଲାଙ୍କୁ ଦେବାକୁ କୁହାଯାଇଥିଲା। କାନ୍ଦେ ଟଙ୍କା ଆଣିବାକୁ ଘରକୁ ଯାଇଥିଲେ। ବହୁ ସମୟ ଅପେକ୍ଷା ପରେ କାନ୍ଦେ ସଭାକୁ ନଆସିବାରୁ ଗ୍ରାମର କିଛି ଲୋକ ଉତ୍ତ୍ୟକ୍ତ ହୋଇ ତାଙ୍କ ଘରେ ପହଞ୍ଚିଥିଲେ। କାନ୍ଦେଙ୍କୁ ସଭାକୁ ଭିଡ଼ି ଆଣିଥିଲେ। ରାତିରେ ସେ ଆଉ ଘରକୁ ଫେରି ନଥିଲେ। ସକାଳୁ କାନ୍ଦେଙ୍କ ମୃଦଦେହ ତାଙ୍କ ଘର ଅଗଣାରେ ପଡ଼ିଥିଲା। ବଳଦ ବିକ୍ରି ବାବଦକୁ ମିଳିଥିବା ୮ ହଜାର ଟଙ୍କା ନ ଦେବାରୁ ତାଙ୍କ ବାପାଙ୍କୁ ଗ୍ରାମର କିଛି ଲୋକ ପିଟିପିଟି ହତ୍ୟା କରିବା ପରେ ଶବକୁ ଘର ଅଗଣାରେ ଫୋପାଡ଼ି ଦେଇଛନ୍ତି ବୋଲି ପୁଅ ଫଗୁ ଥାନାରେ ଅଭିଯୋଗ କରିଛି। ଏମିତିକି ଗିରଫ ହେବା ଭୟରେ କାନ୍ଦେଙ୍କ ଶବକୁ ପୋତି ଦେବାପାଇଁ ଗାଁର କିଛି ଲୋକ ଉଦ୍ୟମ କରିଥିଲେ। ତେଣୁ ମାରଣାସ୍ତ୍ର ଧରି ୩ ଦିନ ବାପାଙ୍କ ଶବକୁ ଜଗି ରହିଥିଲା ଫଗୁ। ଆଜି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଛା‌ନଭିନ୍‌ କରିଛନ୍ତି।

ସମ୍ବନ୍ଧିତ ଖବର