ପଞ୍ଚାୟତ ନିର୍ବାଚନ ନା ରୁଙ୍ଗ୍‌ଟା କାରଖାନା ବିବାଦ? ରୁଙ୍ଗ୍‌ଟା ପ୍ରଜାସଂଘ ସଭାପତି, ବିଜେଡି ନେତାଙ୍କୁ ହତ୍ୟା

ମେରାମଣ୍ଡଳୀ/ଓଡ଼ାପଡ଼ା: : ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ମୋଟଙ୍ଗା ଗାଁରେ ସର୍ବସମ୍ମୁଖରେ ରୁଙ୍ଗ୍‌ଟା ପ୍ରଜାସଂଘ ସଭାପତି ବିକାଶ ନାୟକ(୪୦)ଙ୍କୁ ହତ୍ୟା କରାଯାଇଛି। ଗତକାଲି ରାତିରେ ସମସ୍ତେ ଦୋଳ ମ‌ହୋତ୍ସବରେ ମସ୍‌ଗୁଲ୍‌ ଥିବାବେଳେ ଏହି ହତ୍ୟାକାଣ୍ଡ ଘଟିଛି। ଏ ହତ୍ୟାକାଣ୍ଡ ପଛର କାରଣ ପଞ୍ଚାୟତ ରାଜନୀତି, ରୁଙ୍ଗ୍‌ଟା କାରଖାନାକୁ ନେଇ ସୃଷ୍ଟ ବିବାଦ ଏବଂ ପୂର୍ବ ଶତ୍ରୁତା ବୋଲି କୁହାଯାଉଛି।

ହତ୍ୟାକାଣ୍ଡର ଶିକାର ହୋଇଥିବା ବିକାଶ ହେଉଛନ୍ତି ସ୍ଥାନୀୟ ରୁଙ୍ଗ୍‌ଟା କାରଖାନାର ଜଣେ କର୍ମଚାରୀ। ମୋଟଙ୍ଗା ଥାନା ଅଧିକାରୀ ନିରଞ୍ଜନ ସେଠୀଙ୍କ କହିବା ଅନୁଯାୟୀ, ବିକାଶ ରୁଙ୍ଗ୍‌ଟା ୟୁନିୟନ ସଂଘର ସଭାପତି ଥିଲେ। ରୁଙ୍ଗ୍‌ଟା କାରଖାନାକୁ ନେଇ ଗାଁରେ ବିବାଦ ଲାଗି ରହୁଥିଲା। ଏମିତିକି କାରଖାନାର କାମ ହାତେଇବା ପାଇଁ ଗାଁ ପୂରା ଦୁଇ ଭାଗ ହୋଇଥିଲା। ଏହି ରୁଙ୍ଗ୍‌ଟା କାରଖାନା ରାଜନୀତି ସହିତ ନିକଟରେ ଅନୁଷ୍ଠିତ ପଞ୍ଚାୟତ ରାଜନୀତି ସହିତ ଯୋଡ଼ି ହୋଇଥିଲା। ପଞ୍ଚାୟତର ସରପଞ୍ଚ ଗାଦି ହାତେଇବା ପାଇଁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଥିଲା। ଦୁଇ ଗୋଷ୍ଠୀଙ୍କ ପକ୍ଷରୁ ଦୁଇ ଜଣ ସରପଞ୍ଚ ପ୍ରାର୍ଥୀ ହୋଇଥିଲେ। ହତ୍ୟାର ଶିକାର ହୋଇଥିବା ବିକାଶ ବିଜୟୀ ସରପଞ୍ଚ ଗୋଷ୍ଠୀର ଥିଲେ। ହତ୍ୟା ଅଭିଯୁକ୍ତ ପ୍ରକାଶ ପ୍ରଧାନ (୩୮) ଥିଲା ହାରିଥିବା ଗୋଷ୍ଠୀର। ସେ ଏକ କୁକୁଡ଼ା ଦୋକାନ ଦେଇଛି।

ଆଜି ରବିବାର ମୋଟଙ୍ଗା ଗାଁରେ ଦୁଇ-ଦୋଳ ମହୋତ୍ସବ ହେବାର ଥିଲା। ସେଥିପାଇଁ ଗତକାଲି ରାତିରେ ଗାଁ ଦୋଳ ଭାଡ଼ି ସାଜସଜ୍ଜା ଚାଲିଥିଲା। ରୁଙ୍ଗ୍‌ଟାରେ ଚାକିରି କରିଥିବା ବିକାଶ ଦୋଳଭାଡ଼ିରେ ସାଜସଜ୍ଜା କାମରେ ବ୍ୟସ୍ତ ଥିଲେ। ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଯାତ୍ରା ପାଇଁ ଦୋକାନ ଖୋଲା ଚାଲିଥିଲା। ଅପେରା ପାଇଁ ପ୍ରସ୍ତୁତି ହେଉଥିଲା। ଏହିସମୟରେ ହଠାତ୍‌ ପ୍ରକାଶ ଏକ ଟାଙ୍ଗିଆ ଆଣି ବିକାଶଙ୍କ ମୁହଁକୁ ହାଣି ଦେଇଥିଲେ। ଘଟଣାସ୍ଥଳରେ ବିକାଶ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସର୍ବସମ୍ମୁଖରେ ଟଳି ପଡ଼ିଥିଲେ। ଅଭିଯୁକ୍ତ ପ୍ରକାଶ ଘଟଣାସ୍ଥଳରୁ ଚାଲିଚାଲି ଗାଁ ମଝିରେ ଯାଇଥିଲା। କିନ୍ତୁ ତାକୁ କାବୁ କରିବାକୁ କେହି ସାହସ ବି ଜୁଟାଇ ପାରିନଥିଲେ।

ପୁଲିସ ମୋଟ୍ ୧୦ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବୋଲି ମୋଟଙ୍ଗା ଥାନା ଅଧିକାରୀ ଶ୍ରୀ ସେଠୀ ‘ସମ୍ବାଦ’କୁ କହିଛନ୍ତି। ମୁଖ୍ୟ ଅଭିଯୁକ୍ତ ପର୍ଜଙ୍ଗ ଇଲାକା ଆଡ଼କୁ ଲୁଚି ପଳାଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର