ଇଏ କି ସମ୍ପର୍କ! ଭଣଜାକୁ ହାଣି ହତ୍ୟା କଲା ମାମୁ

ଜମି ବିବାଦରୁ ଦାଦାଙ୍କୁ ହତ୍ୟା, ମଦ୍ୟପ ପୁଅକୁ ହତ୍ୟାକଲା ବାପା

ସୁନ୍ଦରଗଡ଼/ବାଲିଶଙ୍କରା/ସବଡ଼େଗା : ସୁନ୍ଦରଗଡ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ଲଣ୍ଡାବଗା ଗାଁରେ ଭଣଜାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ମାମୁ। ପରକୀୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୁଲିସର ପ୍ରା‌ଥମିକ ତଦନ୍ତରୁ ଜଣାପଡ଼ିଛି। ମାମୁ ଏତେ ହିଂସ୍ର ହୋଇ ପଡ଼ିଥିଲା ଯେ, ଭଣଜାର ମୁଣ୍ଡକୁ ହାଣି ଶରୀରରୁ ଅଲଗା ‌କରି ଦେଇଥିଲା। ନିହତ ଭଣଜା ହେଲେ ତଳସରା ଥାନା ରେଙ୍ଗାଲି ଗ୍ରାମର ଗଣେଶ ତନ୍ତୀ (୨୦)। ଅଭିଯୁକ୍ତ ମାମୁ ଲଣ୍ଡାବଗାର ଶାନ୍ତନୁ ଅଜଗର ବୋଲି ସୂଚନା ‌ମିଳିଛି। ପୁଲିସ ଶାନ୍ତନୁକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

ଜମି ବିବାଦରୁ ଦାଦାଙ୍କୁ ହତ୍ୟା

ଗୋପାଳପୁର/ତାରପୁର : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ ବଡପାଟଣା ଗ୍ରାମରେ ଜମିବାଡି ବିବାଦକୁ କେନ୍ଦ୍ରକରି ଗତିକାଲି ଘଟିଛି ନୃଶଂସ ହତ୍ୟାକାଣ୍ଡ। ଦୁଇ ପୁତୁରାଙ୍କ ଆକ୍ରମଣରେ ଇନ୍ଦ୍ରମଣି ସେଠୀ (୫୬)ଙ୍କର ମୃତ୍ୟୁ ଘଟିଛି। ଏହି ହତ୍ୟାକାଣ୍ଡ ଅଭିଯୋଗରେ ଦୁଇ ପୁତୁରା ଅନୁଜ ସେଠୀ(୩୫) ଓ ଲିପୁ ସେଠୀ (୩୩)ଙ୍କୁ ଗିରଫ କରାଯାଇଛି।

ମଦ୍ୟପ ପୁଅକୁ ହତ୍ୟାକଲା ବାପା

ଶେରଗଡ଼ : ନିର୍ଯାତନାରେ ଅତିଷ୍ଠ ମଦ୍ୟପ ପୁଅକୁ ହତ୍ୟା କଲା ବାପା। ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା କେରୀକେରୀଝୋଳା ଗ୍ରାମରେ ଆଜି ରାତି ପ୍ରାୟ ସାଢ଼େ ୮ଟାରେ ଏଭଳି ଏକ ଅଭାବନୀୟ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ଜଣକ ହେଉଛନ୍ତି, ପିଣ୍ଟୁ ଗୌଡ଼ (୨୮)। ପିଣ୍ଟୁଙ୍କୁ ବାପା ଶିବ ଗୌଡ଼ ଏକ କୋଡ଼ିରେ ପିଟି ନିର୍ମମ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ମିଳିବା ସୁଦ୍ଧା, ଗାଁରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ବାପା ଶିବଙ୍କୁ ପୁଲିସ କାବୁ କରିନେଇଥିବା ବେଳେ ଖବର ଲେଖା ହେବା ସୁଦ୍ଧା ପିଣ୍ଟୁଙ୍କ ଶବ ବର୍ତ୍ତମାନ ସୁଦ୍ଧା ଘରେ ପଡ଼ି ରହିଛି।

ସମ୍ବନ୍ଧିତ ଖବର