ଭାଉଜଙ୍କୁ ପିଟି ପିଟି ମାରିଦେଲା ଦିଅର

ବାପା ମୁଣ୍ତରେ ପଥର ଛେଚି ହତ୍ୟା, ପୁଅ ଫେରାର

ସୁନ୍ଦରଗଡ଼ : ଏକ ଅଭାବନୀୟ ଘଟଣାକ୍ରମରେ ବିଧବା ଭାଉଜଙ୍କୁ ଦିଅର ବାଉଁଶ ବାଡ଼ିରେ ପିଟି ପିଟି ଅତି ନୃଶଂସ ଭାବେ ହତ୍ୟା କରିଛି। ଗୁରୁବାର ବିଳମ୍ବିତ ରାତିରେ ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ସୁବଲୟା ଜୟସୁରିଆ ପଡ଼ା‌ରେ ଘଟିଥିବା ଏହି ବର୍ବର କାଣ୍ଡ ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ନିହତା ଭାଉଜ ହେଲେ ଲତା କିସାନ (୪୫) ଓ ଅଭିଯୁକ୍ତ ଦିଅର କୃଷ୍ଣଚନ୍ଦ୍ର କିସାନ। ସଦର ପୁଲିସ ଘଟଣାସ୍ଥଳ‌ରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଲାଇଛି। ହତ୍ୟାର କାରଣ ସ୍ପଷ୍ଟ ଭାବେ ଜଣାପଡ଼ି ନଥିଲେ ବି ଭାଉଜ ଦିଅରଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିବା ଓ ଏହା ପରେ ଉତ୍‌କ୍ଷିପ୍ତ ଦିଅର ପିଟି ପିଟି ଭାଉଜଙ୍କୁ ମାରି ଦେଇଥବା ପୁଲିସ କହିଛି।

ବାପା ମୁଣ୍ତରେ ପଥର ଛେଚି ହତ୍ୟା, ପୁଅ ଫେରାର

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଲୁଡ୍ରୁ ଆଶ୍ରମ ବିଦ୍ୟାଳୟରେ କାର୍ଯ୍ୟରତ ସ୍କୁଲ ପିଅନ ଜଗନ୍ନାଥ କାର୍ଯୀ(୪୫)ଙ୍କୁ ତାଙ୍କ ପୁଅ କେଶବ(୧୯) ବିଳମ୍ବିତ ରାତିରେ ମୁଣ୍ତକୁ ପଥରରେ ଛେଚି ହତ୍ୟା କରିଥିବା ନେଇ ଅ˚ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। କିଛିଦିନ ତଳେ କେଶବ ଭଲ ପାଉଥିବା ଜଣେ ଝିଅକୁ ବାପା ରହୁଥିବା ସ୍କୁଲ କ୍ବାଟର୍ରକୁ ନେଇ ଆସିଥିଲା। ପରିବାରବର୍ଗ ଝିଅକୁ ଗ୍ରହଣ ନ କରିବାରୁ କେଶବ ସବୁବେଳେ ଘରେ ଗଣ୍ତଗୋଳ କରୁଥିଲା। କିଛି ଦିନ ପରେ ଝିଅଟି ନିଜ ଘରକୁ ଫେରି ଯାଇଥିଲା। ଏହାକୁ ନେଇ ବାପା ଜଗନ୍ନାଥଙ୍କ ସହ ପୁଅ କେଶବ ମଧ୍ୟରେ ତିକ୍ତତା ବଢିବାରେ ଲାଗିଥିଲା। ଏପଟେ ମୋବାଇଲ ଏବ˚ ଗାଡ଼ି କିଣି ଦେବା ପାଇଁ କେଶବ ବାପାଙ୍କୁ ଟଙ୍କା ମାଗିଥିଲେ। କିନ୍ତୁ ଅର୍ଥାଭାବ ଯୋଗୁଁ ପୁଅର ଦାବିକୁ ଜଗନ୍ନାଥ ପୂରଣ କରି ପାରୁନଥିଲେ। ଗତ ରାତିରେ ଜଗନ୍ନାଥଙ୍କ ପତ୍ନୀ (ସେହି ବିଦ୍ୟାଳୟରେ ରୋଷେୟା ଭାବେ କାର୍ଯ୍ୟ କରୁଥିବାରୁ) ରାତି ସମୟରେ ବିଦ୍ୟାଳୟ ପରିସରରେ ଥିବା ବାଳିକା ହଷ୍ଟେଲକୁ ଶୋଇବା ପାଇଁ ଝିଅ ସହ ଚାଲି ଯାଇଥିଲେ। ଜଗନ୍ନାଥ କ୍ବାର୍ଟରରେ ଶୋଇଥିଲେ। ସକାଳେ ଘରକୁ ଫେରିବା ପରେ ଜଗନ୍ନାଥଙ୍କ ମୃତଦେହ ସେମାନେ ଦେଖିବାକୁ ପାଇଥିଲେ। ଦାୟିତ୍ବରେ ଥିବା ପ୍ରଧାନ ଶିକ୍ଷକ ଊଜେନ ନାୟକ ମୋହନା ପୁଲିସକୁ ଜଣାଇବା ପରେ ଅଡ଼ବା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଥିଲେ। ଏ ନେଇ ମୋହନା ଥାନାରେ ଏକ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଘଟଣା ସ୍ଥଳରୁ ପୁଅ ଫେରାର‌୍‌ ଥିବା ଯୋଗୁଁ ଅଧିକ ତଥ୍ୟ ଜଣାପଡିନଥିବା କୁହାଯାଊଛି।

ସମ୍ବନ୍ଧିତ ଖବର