ଡାକବଙ୍ଗଳାରେ ମହିଳାଙ୍କୁ ହତ୍ୟା ମାମଲା: ୩ ବର୍ଷ ପରେ ବି ରହସ୍ୟ ଉନ୍ମୋଚନ କରିପାରୁନି ପୁଲିସ

ଜଳେଶ୍ବର: ୨୦୧୯ ମସିହା ଜୁନ ୧୭ ତାରିଖ ରାତିରେ ଜଳେଶ୍ବର ସହରର କେନ୍ଦ୍ରସ୍ଥଳ ବଡ଼ବଜାର ସ୍ଥିତ ପୂର୍ତ୍ତ ଡାକ ବଙ୍ଗଳାରେ ଝାଡୁଦାର ଭାବେ କାମ କରୁଥିବା ଜୁମୁନି ବିବି(୪୬) ନାମକ ଜଣେ ମହିଳାଙ୍କୁ ଅତି ନୃଶଂସ ଭାବେ ହତ୍ୟା ଘଟଣାକୁ ଏହାରି ଭିତରେ ତିନିବର୍ଷ ବିତିବାକୁ ଯାଉଛି। ହେଲେ ତିନିବର୍ଷ ମଧ୍ୟରେ ଘଟଣାର ତଦନ୍ତ କରୁଥିବା ଜଳେଶ୍ବର ପୁଲିସ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରି ନପାରିବା ପାରିବାପଣିଆ ଉପରେ ସନ୍ଦେହ ସୃଷ୍ଟି କରିଛି।

ସେଦିନ ଥିଲା ୨୦୧୯ ମସିହା ଜୁନ ମାସ ୧୮ ତାରିଖ। ସକାଳୁ ସକାଳୁ ଜଳେଶ୍ବର ସହର ଚଳଚଞ୍ଚଳ ହେଉଥିବା ବେଳେ ସହର ସାରା ଖେଳିଗଲା ଜଳେଶ୍ବର ପୂର୍ତ୍ତ ଡାକ ବଙ୍ଗଳାରେ ଅସ୍ଥାୟୀ ସଫେଇ କର୍ମଚାରୀ ଭାବେ କାମ କରୁଥିବା ଜୁମନି ବିବିଙ୍କୁ ପୂର୍ବରାତି ଅର୍ଥାତ୍ ୧୭ ତାରିଖ ରାତିରେ କେହି ନିର୍ମମ ଓ ବୀଭତ୍ସ ଭାବେ ହତ୍ୟା କରିଛି। ଜଳେଶ୍ବରର ତତ୍କାଳୀନ ଆଇଆଇସି ଧନେଶ୍ବର ସାହୁ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିଲେ। ହତ୍ୟାକାଣ୍ଡ ସ୍ଥାନରୁ ରକ୍ତଲଗା ପନିକି ଓ ଦାଉଲି ଭଳି ମାରଣାସ୍ତ୍ର, ମୋବାଇଲ ଫୋନ ସହ ଜୁମୁନିଙ୍କ ରକ୍ତ ଜୁଡୁବୁଡୁ ଶବ ଜବତ କରାଯାଇଥିଲା। ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ତଦନ୍ତ ବେଳେ ଜୁମନିଙ୍କ ନିକଟ ସମ୍ପର୍କୀୟ, ପୂର୍ତ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ତଥା ଜୁମୁନିଙ୍କ ସହ ମିଳାମିଶା କରୁଥିବା ସ୍ଥାନୀୟ ଅଧିବାସୀଙ୍କ ବୟାନକୁ ମଧ୍ୟ ପୁଲିସ ରେକର୍ଡ କରିଥିଲା। ନିଜେ ବାଲେଶ୍ବର ଏସପି ସୁଧାଂଶୁ ଶେଖର ମିଶ୍ର, ଜଳେଶ୍ବରରେ ତତ୍କାଳୀନ ଭାରାପ୍ରାପ୍ତ ଏସଡିପିଓ ଦାୟିତ୍ବରେ ଥିବା ବସ୍ତା ଏସଡିପିଓ ଜଳନ୍ଧର ଜାଲି ମିଳିତ ଭାବେ ଘଟଣାସ୍ଥଳକୁ ଆସି ତଦନ୍ତ କରିଥିଲେ। ଥାନା ଠାରୁ ସାମାନ୍ୟ ଦୂରତାରେ ସଙ୍ଗଠିତ ହୋଇଥିବା ଏହି ହତ୍ୟାକାଣ୍ଡର କାରଣ କ’ଣ ଓ ହତ୍ୟାକାଣ୍ଡରେ କିଏ ସମ୍ପୃକ୍ତ ସେହି ରହସ୍ୟ ଉନ୍ମୋଚନ ପାଇଁ ୩/୪ ଦିନ ମଧ୍ୟରେ ପୁଲିସ ୭ରୁ ୮ ଜଣଙ୍କୁ ସନ୍ଦେହ କରି ଥାନାକୁ ଉଠାଇ ଆଣିଥିଲା। ସେମାନଙ୍କୁ ମାରାଥନ ଜେରା କରାଯାଇଥିଲା। ହେଲେ ଜେରା ସମୟରେ ସନ୍ଦିଗ୍ଧମାନେ ମୁହଁ ନ ଖୋଲିବାରୁ ସେମାନଙ୍କୁ ଛାଡ଼ିଦେବା ପାଇଁ ପୁଲିସ ବାଧ୍ୟ ହୋଇଥିଲା।

ତେବେ ଏହାର କିଛି ସପ୍ତାହ ପରେ ଜଳେଶ୍ବରର ତତ୍କାଳୀନ ଥାନାଧିକାରୀ ଧନେଶ୍ବର ସାହୁଙ୍କୁ ଚାକିରିରୁ ଡ୍ରଗ୍ସ ମାଫିଆଙ୍କ ସହ ଲିଙ୍କ ଅଭିଯୋଗରେ ନିଲମ୍ବିତ କରାଗଲା। ତା ପରଠାରୁ ଜୁମୁନି ବିବିଙ୍କ ହତ୍ୟାକାଣ୍ଡ ଫାଇଲ ନାଲିଫିତା ତଳେ ପଡ଼ିରହିଛି। ସହରର କେନ୍ଦ୍ରସ୍ଥଳରେ ପୁଣି ଥାନାର ଅତି ନିକଟରେ ସଙ୍ଗଠିତ ଏହି ହତ୍ୟାକାଣ୍ଡର ସାନି ତଦନ୍ତ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର