ମୁଣ୍ଡ କାଟି ନେଲା ପଡ଼ୋଶୀ, ୮ ଘଣ୍ଟା ପରେ କଟାମୁଣ୍ଡ ନେଇ ଥାନାରେ ଆତ୍ମସମର୍ପଣ

ସମ୍ବଲପୁର: କଥାକାର ଭଗବତୀ ଚରଣ ପାଣିଗ୍ରାହୀଙ୍କ ଅନ୍ୟତମ ଶ୍ରେଷ୍ଠ କାହାଣୀ ‘ଶିକାର’ରେ ମୁଖ୍ୟ ଚରିତ୍ର ଘିନୁଆ ଜଣେ ବ୍ୟକ୍ତିର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଥିଲା। ସମ୍ବଲପୁର ସହରରେ କିନ୍ତୁ ଏହିଭଳି ଏକ ବାସ୍ତବ ଘଟଣା ଆଜି ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ତା’ ସଂପର୍କୀୟଙ୍କୁ ଶୋଇଥିବା ଅବସ୍ଥାରେ ମୁଣ୍ଡ କାଟି ହତ୍ୟା କରିଛି ଓ ପ୍ରାୟ ୮ ଘଣ୍ଟା ପରେ ଆଜି କଟାମୁଣ୍ଡ ଧରି ଥାନାରେ ପହଞ୍ଚିଛି। ଏହି ଘଟଣା ସହରରେ ଆଲୋଡ଼ନ ଖେଳାଇ‌ ଦେଇଛି। ମୃତକ ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି ତିଲେଇମାଲର ସତ୍ୟନାରାୟଣ ମୁଣ୍ଡା(୩୮) ଓ ହତ୍ୟାକାରୀ ଜଣକ ତାଙ୍କ ପଡ଼ିଶାରେ ରହୁଥିବା ସମ୍ପର୍କୀୟ ଭାଇ ଉଜ୍ଜଳ ମୁଣ୍ଡା(୪୫)। ଉଜ୍ଜଳ ମାନସିକ ବିକାରଗ୍ରସ୍ତ ବୋଲି କୁହାଯାଉଥିବା ବେଳେ ପୁଲିସ ଏହି ଘଟଣାର ବିଭିନ୍ନ ଦିଗକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରି ତଦନ୍ତ ଚଳାଇଛି। ଏଥିସହ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ତା’ନିକଟରୁ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରାଯାଇଛି। ପୁରୁଣା ପାରିବାରିକ ବିବାଦକୁ ନେଇ ଉଜ୍ଜଳ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ଏସ୍‌ଡିପିଓ ଭବାନୀ ଉଦ୍‌ଗାତା କହିଛନ୍ତି।

ଅଇଁଠାପାଲି ଥାନା ଠାରୁ ମାତ୍ର ଦେଢ କିଲୋମିଟର ଦୂରରେ ଅବସ୍ଥିତ ତିଲେଇମାଲ। ଏଠାରେ ପାଖାପାଖି ରହୁଥିଲେ ସତ୍ୟନାରାୟଣ ଏବଂ ଅଭିଯୁକ୍ତ ଉଜ୍ଜଳ। ସତ୍ୟନାରାୟଣଙ୍କ ଝିଅ ପ୍ରିୟଙ୍କାଙ୍କ ବୟାନ ଅନୁସାରେ, ଗରମ ଯୋଗୁଁ ଗତ କିଛି ଦିନ ହେଲା ରାତିରେ ବାହାରେ ଶୋଇଥିଲେ ସତ୍ୟନାରାୟଣ। ସକାଳ ପ୍ରାୟ ୫ଟା ବେଳକୁ ସତ୍ୟନାରାୟଣଙ୍କ ସ୍ତ୍ରୀ ଲକ୍ଷ୍ମୀ ଉଠି ବାହାରେ ଝାଡ଼ୁ କରୁଥିବା ବେଳେ ରକ୍ତ ଛିଟା ଦେଖି ସ୍ବାମୀଙ୍କ ପାଖକୁ ଧାଇଁ ଯାଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସତ୍ୟନାରାୟଣଙ୍କ ନିଷ୍ପ୍ରାଣ ଶରୀର ପଡ଼ିଥିବା ବେଳେ ତାଙ୍କ ମୁଣ୍ଡ ନଥିବା ଦେଖିଥିଲେ। ସକାଳୁ ସକାଳୁ ଚହଳ ପଡ଼ିଯାଇଥିଲା ସହରରେ। ଏ ନେଇ ସୂଚନା ପାଇ ସମ୍ବଲପୁର ଏସ୍‌ପି ଦାୟିତ୍ବରେ ଥିବା ଡିଆଇଜି ସଂଜୀବ ଆରୋରା, ଏସ୍‌ଡିପିଓ, ଅଇଁଠାପାଲି ଥାନା ଅଧିକାରୀଙ୍କ ସମେତ ପୁଲିସ ଟିମ, ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚିଥିଲେ। ମୁଣ୍ଡ ଖୋଜିବାକୁ ନାକେଦମ ହୋଇଥିଲେ ସମସ୍ତେ। ତେବେ ପୁଲିସକୁ ରକ୍ତ ଛିଟା ସହିତ ରକ୍ତ ଜୁଡ଼ୁବୁଡ଼ୁ ଥିବା ଏକ ଲୁଙ୍ଗି ମଧ୍ୟ ମିଳିଥିଲା। ଦୁଇଟି ପୁଲିସ ଟିମ୍‌ ଗଠନ କରାଯାଇ ଗୋଟିଏ ଟିମ୍‌ ମୃତକ ଏବଂ ତାଙ୍କ ପରିବାର ସହିତ ପୂର୍ବ ଶତ୍ରୁତା ଏବଂ ବିବାଦର ଖିଅ ଖୋଜିଥିବା ବେଳେ ଆଉ ଏକ ଟିମ୍‌ କଟାମୁଣ୍ଡ ଖୋଜିବାରେ ଲାଗିଥିଲେ। ସାରା ଅଞ୍ଚଳ ଖାନତଲାସ କରାଯାଇଥିଲା। କିନ୍ତୁ କିଛି ସୁରାକ ମିଳିନଥିଲା।

ସେପଟେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଅଭିଯୁକ୍ତ ଉଜ୍ଜଳ ଗୋଟିଏ ବ୍ୟାଗ୍‌ରେ ସତ୍ୟନାରାୟଣଙ୍କ କଟାମୁଣ୍ଡକୁ ଗାମୁଛାରେ ଗୁଡ଼ାଇ ଅଇଁଠାପାଲି ଥାନା ସମ୍ମୁଖରେ ପହଞ୍ଚି ଠିଆ ହୋଇଥିଲେ। ଅନେକ ସମୟ ଧରି ଥାନା ସମ୍ମୁଖରେ ତାଙ୍କୁ ଛିଡ଼ା ହୋଇଥିବା ଦେଖି ସେହି ବାଟ ଦେଇ ଯାଉଥିବା ଜଣେ ପୁଲିସ କର୍ମୀ ଏଭଳି କାହିଁକି ଛିଡ଼ା ହୋଇଛ ବୋଲି ପଚାରିଥିଲେ। ବ୍ୟାଗରେ କଟାମୁଣ୍ଡ ଦେଖି ଅବାକ ହୋଇ ଯାଇଥିଲେ। ଏହାପରେ ଉଜ୍ଜଳଙ୍କୁ ଥ‌ାନାକୁ ନିଆଯାଇ ଥିଲା। ହତ୍ୟାର କାରଣ ସମ୍ପର୍କରେ ପଚରାଉଚୁରା କରାଯାଇଥିଲା। ସେ ହତ୍ୟାକାଣ୍ଡ କଥା ମାନି ଯାଇଥିଲା।

ସମ୍ବନ୍ଧିତ ଖବର