ନାବାଳିକା ହତ୍ୟାକାଣ୍ଡ ମାମଲାର ଚୂଡ଼ାନ୍ତ ରାୟ: ଫାଶୀ ବଦଳରେ ଆଜୀବନ କରାଦଣ୍ଡ

କଟକ: ୨୦୧୩ରେ ଘଟିଥିବା ଏକ ନାବାଳିକା ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆସାମୀର ମୃତ୍ୟୁଦଣ୍ଡକୁ କୋହଳ କରି ହାଇକୋର୍ଟ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଯାଜପୁର ଜିଲ୍ଲା ଟମକା ଥାନା ଅଞ୍ଚଳର ଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ବନବିହାରୀ ବେହେରାକୁ ଯାଜପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରିଥିଲେ। ଦଣ୍ଡାଦେଶ ବିରୋଧରେ ଆସାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଦୁଇ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ୨୦୧୫, ନଭେମ୍ବର ୧୯ରେ ରାୟ ପ୍ରକାଶ କରିଥିଲେ। ଦୁଇ ଜଣ ବିଚାରପତି ଭିନ୍ନ ଭିନ୍ନ ରାୟ ଦେଇଥିଲେ। ଯାଜପୁର ଜିଲ୍ଲା ଜଜ୍‌ ଦେଇଥିବା ମୃତ୍ୟୁଦଣ୍ଡାଦେଶ କାଏମ୍‌ ରଖବା ସପକ୍ଷରେ ଜଷ୍ଟିସ୍‌ ବିନୋଦ ପ୍ରସାଦ ରାୟ ଦେଇଥିଲେ। ଏହି ରାୟରେ ସହମତି ପ୍ରକାଶ ନ କରି ଜଷ୍ଟିସ୍‌ ରଘୁବୀର ଦାଶ ଆବେଦନକାରୀଙ୍କୁ ମୃତ୍ୟଦଣ୍ଡ ବଦଳରେ ଆଜୀବନ କାରାଦଣ୍ଡ ପ୍ରଦାନ ସପକ୍ଷରେ ରାୟ ଦେଇଥିଲେ। ଦୁଇ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ରାୟକୁ ନେଇ ସହମତି ହୋଇ ନପାରିବାରୁ ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶରେ ତୃତୀୟ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଚୂଡାନ୍ତ ଶୁଣାଣି ହୋଇଥିଲା। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ୨୦୧୭, ଡିସେମ୍ବର ୭ରେ ଆସାମୀକୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ଆଜି ଏହି ମାମଲାରେ ଚୂଡାନ୍ତ ରାୟ ପ୍ରକାଶ ପାଇଛି। ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଓ ଜଷ୍ଟିସ ବିଶ୍ୱଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୁଇ ଜଣ ବିଚାରପତିଙ୍କ ଆଜୀବନ କାରାଦଣ୍ଡ ରାୟକୁ ଆଧାର କରି ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ପ୍ରକାଶିତ ରାୟରେ ଆସାମୀକୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ଏକତରଫା ପ୍ରେମରୁ ୨୦୧୩ ଏପ୍ରିଲ୍‌ ୨୬ରେ ଟମକା ଥାନା ଅନ୍ତର୍ଗତ ନିପଣିଆ ଗ୍ରାମରେ ଆସାମୀ ବନବିହାରୀ ବେହେରା ନାବାଳିକା ବିଶ୍ୱକଳ୍ପିତା ବେହେରାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲା। ବିଶ୍ୱକଳ୍ପିତାଙ୍କ ମା’ ଚେଷ୍ଟା କରି ମଧ୍ୟ ବନବିହାରୀକୁ ରୋକି ପାରି ନଥିଲେ। ସେ ନାବାଳିକା ସହିତ ଦୁଷ୍କର୍ମ କରିବାକୁ ମଧ୍ୟ ଚେଷ୍ଟା କରିଥିଲା। ମାତ୍ର ନାବାଳିକା ସାହସର ସହିତ ତାକୁ ପ୍ରତିରୋଧ କରିବାରୁ ଧାରୁଆ ଅସ୍ତ୍ରରେ ହାଣି ସେ ପରିଶେଷରେ ନାବାଳିକାକୁ ହତ୍ୟା କରିଥିଲା। ୨୧ଜଣ ସାକ୍ଷୀଙ୍କ ସାକ୍ଷ୍ୟକୁ ଅଧାର କରି ଯାଜପୁର ଅତିରିକ୍ତ ଜିଲ୍ଲା ଜଜ୍‌ ବନବିହାରୀକୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର