ଖୋର୍ଦ୍ଧା: ବଘେଇଟାଙ୍ଗୀରେ ବିବାହିତ ମହିଳା ବେବେନା ପୃଷ୍ଟିଙ୍କୁ ହତ୍ୟା କରି ପୋଡ଼ି ଦେଇଥିବା ନେଇ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହୋଇଥିଲା। ଏନେଇ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ମଧ୍ୟ ଖୋର୍ଦ୍ଧା ଟାଉନ ଥାନା ପୁଲିସ କୌଣସି ପଦକ୍ଷେପ ନେଇନଥିଲା। ଆଜି ଲିଖିତ ଅଭିଯୋଗର ଦୁଇ ଦିନ ପରେ ଓ ମୃତଦେହକୁ ପୋଡ଼ିଦେବାର ୭ ଦିନ ପରେ ଖୋର୍ଦ୍ଧା ଏସ୍ଡିପିଓଙ୍କ ସହ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିବା ସହ ବେବିନାଙ୍କ ସ୍ବାମୀଙ୍କ ସହ ୩ଜଣଙ୍କୁ ଅଟକ ରଖିଛି।
ବେବିନା ପୃଷ୍ଟିଙ୍କ ଭାଇ କାହ୍ନୁଚରଣ ପୃଷ୍ଟିଙ୍କ ଅଭିଯୋଗ ଅନୁସାରେ, ଦୁଇ ବର୍ଷ ପୂର୍ବେ ବେବିନା ବଘେଇଟାଙ୍ଗୀ ଗାଁର ସୌମ୍ୟରଞ୍ଜନ ରାଉତ (ଆନନ୍ଦ)କୁ ବିବାହ କରିଥିଲେ। ୬ ମାସ ଯାଏଁ ଉଭୟଙ୍କ ମଧ୍ୟରେ କୌଣସି ଅଶାନ୍ତି ନଥିଲା। ଏହା ପରେ ବେବିନା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏହାପରେ ଯୌତୁକ ବାବଦକୁ ଟଙ୍କା ଆଣିବାକୁ ବେବେନାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଯାଇଥିଲା। ଫଳରେ ସେମାନେ ୩ ଲକ୍ଷ ଟଙ୍କା ଦେଇଥିଲେ ଓ ବଳକା ୨ ଲକ୍ଷ ଟଙ୍କା ଯୋଗାଡ଼ କରିଦେବି ବୋଲି କହିଥିଲେ। ଏହି ୨ଲକ୍ଷଟଙ୍କା ଆଣିବାକୁ ବେବେନାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଥିଲା। ଏପରିକି ଖାଇବାକୁ ଓ ଶୋଇବାକୁ ମଧ୍ୟ ଦିଆଯାଉନଥିଲା। ୧ ତାରିଖ ରାତିରେ ସୌମ୍ୟରଞ୍ଜନ ତାଙ୍କୁ ଫୋନ୍ କରି ବେବିନାଙ୍କ ଦେହ ଅସୁସ୍ଥ ଥିବା ଓ ତୁରନ୍ତ ଆସିବାକୁ କହିଥିଲେ। ସେମାନେ ପହଞ୍ଚିବା ବେଳେ ବେବିନାଙ୍କ ମୃତ୍ୟୁ ଘଟିଥିଲା। ତେବେ ମୃତଦେହକୁ ଦେଖିବା ବେଳେ ବେକରେ କଳାଦାଗ ଓ ନିକଟରେ ଏକ ଓଢ଼ଣୀ ପଡ଼ିଥିଲା। କାହ୍ନୁଚରଣ ଅଭିଯୋଗ କରିଛନ୍ତି ଯେ ସୌମ୍ୟରଞ୍ଜନ, ତାଙ୍କ ସାନ ଭାଇ ଓ ବଡ଼ଭାଇ, ଭାଉଜ ମିଳିମିଶି ହତ୍ୟା କରିଛନ୍ତି। ତାଙ୍କୁ ଧମକଚମକ ଦେଇ ତାଙ୍କ ଭଉଣୀଙ୍କ ମୃତଦେହକୁ ପୋଡ଼ିଦେଇଛନ୍ତି। ଭୟରେ ସେ ଘରୁ ବାହାରୁ ନଥିଲେ ଶେଷରେ ୫ ତାରିଖରେ ସେ ​ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଥାନାରେ ସେହିଦିନ ୭୩୮/୨୦୨୩ରେ ଦଫା ୩୦୪ (ଖ), ୩୦୨ରେଏକ ମାମଲା ରୁଜୁ କରାଯାଇଥିଲା। ତେବେ ଅଭିଯୁକ୍ତଙ୍କ ବିରୋଧରେ ପଦକ୍ଷେପ ନେବାରେ ବିଳମ୍ବ କରୁଥିବା ଅଭିଯୋଗ ହୋଇଥିଲା। ଆଜି ନିଜ ଉପ​ରୁ ଦୋଷ ଝାଡ଼ିବାକୁ ପୁଲିସ ଗାଁକୁ ଯାଇ ତଦନ୍ତ କରିବା ସହ ବେବିନାଙ୍କ ସ୍ବାମୀ, ବଡ଼ ଭାଇ ଓ ଭାଉଜଙ୍କୁ ଆଣି ଥାନାରେ ଅଟକ ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/police.jpg)