ରାଜକନିକା: ଜଣେ ନାବାଳକକୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ କରାଯାଇଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ରାଜକନିକା ଥାନା ଅନ୍ତର୍ଗତ କଇଥାପାଳ ଗାଁରେ। ମୃତ ନାବାଳକ ଅଶ୍ୱିନୀ ଜେନାଙ୍କ ପୁଅ ସୁନୀଲ ଜେନା(୧୬)।  ଜଣେ ଯୁବତୀଙ୍କୁ ଅସଦାଚରଣ ବେଳେ ସଂପୃକ୍ତ ନାବାଳକ ଦେଖି ଦେବାରୁ ଦୁର୍ବୃତ୍ତଙ୍କ ଆକ୍ରୋଶର ଶିକାର ହୋଇଛି। ଏହି ଘଟଣାରେ ମୃତ ନାବାଳକର ସଂପର୍କୀୟ ଭାଇ ସଂପୃକ୍ତ ଥିବା କୁହାଯାଉଛି। ମୃତ ନାବାଳକର ବଡ଼ଭଉଣୀ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। 

Advertisment

ଅଭିଯୋଗ ଅନୁଯାୟୀ କଇଥାପାଳ ଗାଁର ଅଶ୍ୱିନୀ ଜେନାଙ୍କ ପୁଅ ସୁନୀଲ ଜେନା(୧୬) ଖୋର୍ଦ୍ଧାର ସ୍ୱାମୀ ବିବେକାନନ୍ଦ ଇଞ୍ଜିନିୟରିଂ କଲେଜର ଡିପ୍ଲୋମା ପ୍ରଥମ ବର୍ଷ ଛାତ୍ର। ସେ ଛୁଟିରେ ଘରକୁ ଆସିଥିଲେ। ସୁନିଲଙ୍କ ମାମୁ କଟକରେ ଚିକିତ୍ସାଧୀନ ଥିବାରୁ ଗତକାଲି ବାପା, ବୋଉ ଓ ଅନ୍ୟ ଜଣେ ସମ୍ପର୍କୀୟ ମାମୁ କଟକ ଯାଇଥିଲେ। ଘରେ ସୁନିଲ ଓ ତାଙ୍କ ବଡ଼ଭଉଣୀ ଥିଲେ। ସନ୍ଧ୍ୟା ସମୟରେ କଇଥାପାଳ ଗାଁର ହେମନ୍ତ ଜେନା, ଜୟକୁମାର ଜେନା, ବିକ୍ରମ ଜେନା ବିଂଝାରପୁର ଥାନା ଅନ୍ତର୍ଗତ ବାଙ୍ଗରା ଗାଁର ଋତୁରାଜ ଜେନା ପ୍ରମୁଖ ମିଶି ସୁନିଲଙ୍କ ଘରେ ଭୋଜି କରିଥିଲେ। ସୁନିଲଙ୍କ ଭଉଣୀ ଅଣ୍ଡା ଭାଜୁଥିବା ସମୟରେ ହେମନ୍ତ ଜେନା ତାଙ୍କ ସଂପର୍କୀୟ ବଡ଼ଭଉଣୀଙ୍କୁ ଅସଦାଚରଣ କରିବାରୁ ସେ ପାଟି କରିଥିଲେ। ପାଟି ଶୁଣି ସୁନିଲ ସେଠାକୁ ଦୌଡ଼ି ଯାଇ ସମସ୍ତ ଘଟଣା ଦେଖିଥିଲେ। ତେବେ ହେମନ୍ତ ଏକଥା କାହାକୁ ନ କହିବାକୁ ଧମକାଇଥିଲା। କାହା ଆଗରେ କହିଲେ ହତ୍ୟା କରିବାର ବି ଧମକ ଦେଇଥିଲା।

ଭୋଜି ସମୟରେ ଏମିତି ଅପ୍ରୀତିକର ଘଟଣା ଘଟିବାରୁ କେହି ଖାଇ ନ ଥିଲେ। ରାତି ପ୍ରାୟ ସାଢ଼େ ୩ଟାରେ ସୁନିଲକୁ ତା ରୁମରେ ଶୋଇବାକୁ ପଠାଇ ସୁନିଲର ଭଉଣୀ ଶୋଇଥିଲେ। ହଠାତ୍‌ ସେହି ଗ୍ରାମର ଜୟ ଜେନା ଓ ବିକ୍ରମ ଜେନା ଡାକ ପକାଇଥିଲେ। ସେ ଯାଇ ଦେଖିଲା ବେଳକୁ ସୁନିଲ ଏକ ଧୋତି ବେକରେ ଗୁଡ଼ାଇ ଝୁଲି ପଡ଼ିଥିଲେ। ଚଟାଣରୁ ଅଳ୍ପ ଉଚ୍ଚତାରେ ଓହଳି ଥିବାରୁ ସୁନିଲଙ୍କ ଭଉଣୀ ସେହି ଧୋତିକୁ କାଟି ଦେଇଥିଲେ। ସୁନିଲଙ୍କୁ ନେଇ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ହେଁ, ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅସଦାଚରଣ ଘଟଣା ଦେଖି ଦେଇଥିବାରୁ ସୁନିଲକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛନ୍ତି ବୋଲି ତାଙ୍କ ଭଉଣୀ ଏତଲାରେ ଦର୍ଶାଇଛନ୍ତି। ସୁନିଲ ପରିବାରର ଏକମାତ୍ର ପୁଅ। ପୁଲିସ୍ ଏତଲା ଆଧାରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।