ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଖଣି ଅଞ୍ଚଳ କୋଇଡ଼ାରେ ମାଙ୍ଗାନିଜ ଚୋରିରୁ ବଢ଼ୁଛି ହିଂସା। ଗଡୁଛି ଗୋଟିଏ ପରେ ଗୋଟିଏ ପରେ ମୁଣ୍ଡ। ଖଣି ବିଭାଗ, ସ୍ଥାନୀୟ ପୁଲିସ ଓ ବନ ବିଭାଗର ଅବହେଳା ଓ ସମନ୍ବୟ ଅଭାବରୁ ଏଭଳି ହିଂସାକାଣ୍ଡ ଘଟୁଛି। ଗତକାଲି କୋଇଡା ମାଲଦା ଖଣି ସରକାରୀ ଧର୍ମକଣ୍ଟା ନିକଟରେ ଘଟିଥିବା ଗୁଳିକାଣ୍ଡ ଏହାର ସଦ୍ୟତମ ଉଦାହରଣ। ଗୁଳିକାଣ୍ଡରେ ଢ଼ାବା ମାଲିକ ରମେଶ ଚାତମ୍ବାଙ୍କର ମୃତ୍ୟୁ ହୋଇଛି, ତାଙ୍କ ସହଯୋଗୀ ରାମ ପୂର୍ତ୍ତି ଏବେ କଟକ ବଡ ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଆହୁରି ଉଲ୍ଳେଖନୀୟ କଥା ହେଉଛି, ଢ଼ାବା ମାଲିକଙ୍କ ମୃତ୍ୟୁର ଖବର ଶୁଣି ତାଙ୍କ ଶ୍ବଶୂରଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଛି। ଆଜି ସକାଳେ ରାଉରକେଲା ଏସ୍ପି ମୁକେଶ ଭାମୁ, ବଣାଇଁ ଉପଖଣ୍ଡ ପୁଲିସ ଅଧିକାରୀ ସ୍ୱରାଜ ଦେବତା, କୋଇଡା ଥାନା ଅଧିକାରୀ ଲୋକେଶ ସାହୁ, ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରୁ ପୁଲିସ ୩ ଖୋକା, ଗୋଟିଏ ଜୀବନ୍ତ ଓ ଗୋଟିଏ ଫୁଟା ଗୁଳି ଜବତ କରିଛି। ଢାବା ମାଲିକ ରମେଶ ଚାତମ୍ବାଙ୍କ ଶବ ବ୍ୟବଚ୍ଛେଦ ପରେ ପୁଲିସ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି।
ମୃତ ଢ଼ାବା ମାଲିକଙ୍କ ଶ୍ବଶୂରଙ୍କର ହୃଦ୍ଘାତରେ ମୃତ୍ୟୁ
ଏସ୍ପି, ସାଇଣ୍ଟିଫିକ୍ ଟିମ୍ର ତଦନ୍ତ
ଘଟଣାସ୍ଥଳରୁ ୩ ଖୋକା, ଅଫୁଟା ଗୁଳି ଜବତ
ସପ୍ତାହ ପୂର୍ବରୁ ମୃତ ରମେଶକୁ ଉଠାଇ ନେଇଥିଲା ପୁଲିସ
ସୂଚନାଯୋଗ୍ୟ ଯେ ଗତକାଲି ସଂଧ୍ୟାରେ ଦୁଇଜଣ ଦୁର୍ବୃତ୍ତ ଏକ କଳାରଙ୍ଗର ମୋଟରବାଇକ୍ରେ ରମେଶଙ୍କ ଢ଼ାବା ନିକଟରେ ପହଞ୍ଚିଥିଲେ। ସେତେବେଳେ ରମେଶ ପତ୍ନୀ ଓ ଦୁଇ ଝିଅଙ୍କ ସହ ‘ହୋ ପର୍ବ’ରେ ଯୋଗଦେଇ ଘରକୁ ଫେରୁଥିଲେ। ଢାବା ପଛପଟରେ ଥିବା ଶ୍ବଶୂରଘରେ ପତ୍ନୀ ଓ ଝିଅମାନଙ୍କୁ ବୋଲେରୋରେ ନେଇ ଛାଡ଼ିବା ସମୟରେ ଦୁଇ ଦୁର୍ବୃତ୍ତ ଢ଼ାବା ନିକଟରେ ପହଞ୍ଚିଥିଲେ। ସେମାନେ ଢ଼ାବା ପାଖରେ ଥିବା ସମ୍ପର୍କୀୟ ଅଜୟ ମୁଣ୍ଡା ଓ ରାମ ପୂର୍ତ୍ତିଙ୍କୁ ରମେଶଙ୍କୁ ଡାକିବାଲାଗି କହିଥିଲେ। ଖବର ପାଇ ରମେଶ ଢ଼ାବା ନିକଟକୁ ଆସିବା ମାତ୍ରେ ଦୁଇ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲା। ଅଜୟ ମୁଣ୍ଡା ସେଠାରୁ ସୌଭାଗ୍ୟବଶତଃ ଦୌଡି ପଳାଇ ଯାଇଥିଲେ। କିନ୍ତୁ ରାମଙ୍କ ଦେହରେ ମଧ୍ୟ ଗୁଳି ଲାଗିଥିଲା।
ରମେଶ ଓ ରାମ ରକ୍ତାକ୍ତ ଅବସ୍ଥାରେ ପଡିଯାଇଥିଲେ। ତା’ପରେ ଦୁଇ ଦୁର୍ବୃତ୍ତ ସେଠାରୁ ମୋଟରବାଇକ୍ରେ ଚମ୍ପଟ ମାରିଥିଲେ। ପରିବାର ଲୋକ ରମେଶ ଓ ରାମ ପୂର୍ତ୍ତୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଯୋଡା ହସ୍ପିଟାଲକୁ ପଠାଇଥିଲେ। ଜ୍ୱାଇଁଙ୍କ ମୃତ୍ୟୁ ଖବର ପାଇ ଗତକାଲି ରାତି ପ୍ରାୟ ୧ଟାରେ ତାଙ୍କ ଶ୍ବଶୂରଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ସେପଟେ ଗୁଳିକାଣ୍ଡ ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ହେଁ ପୁଲିସ ହତ୍ୟାକାରୀମାନଙ୍କୁ ଠାବ କରିପାରି ନାହିଁ। ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଗଠିତ ପୁଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଗୁଳିକାଣ୍ଡ ଘଟଣାରେ ଆନ୍ତଃରାଜ୍ୟ ଚୋରା ମାଙ୍ଗାନିଜ ମାଫିଆ ସମ୍ପୃକ୍ତ ଥାଇପାରନ୍ତି ବୋଲି ପୁଲିସ ଅନୁମାନ କରୁଛି। ସେପଟେ ମୃତ ରମେଶଙ୍କୁ ସପ୍ତାହକ ତଳେ ଏକ ଖଣିଚୋରି ଘଟଣାରେ ପୁଲିସ ଥାନାକୁ ଉଠାଇ ନେଇଥିଲା।
ତେଣୁ ମାଙ୍ଗାନିଜ୍ ଚୋରିକୁ ନେଇ ଗୁଳିକାଣ୍ଡ ହୋଇଥାଇ ପାରେ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରା ଯାଉଛି। ଉଲ୍ଲେଖଯୋଗ୍ୟ, କୋଇଡାର କଳାହୀରା ଭାବେ ପରିଚିତ ମାଙ୍ଗାନିଜ୍ର ବଜାର ମୂଲ୍ୟ ଟନ୍ ପ୍ରାୟ ୧ ଲକ୍ଷ ଟଙ୍କା। ଛୋଟ ଚାରି ଚକିଆ ଯାନରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ମାଙ୍ଗାନିଜ ଚୋରି କରିବା ସହଜ। ଏହାର ସୁଯୋଗ ନେଇ ଖଣି ମାଫିଆ କିଛି ବର୍ଷ ଧରି ବନ୍ଦ ପଡିଥିବା ଖଣିଗୁଡ଼ିକରୁ ମାଙ୍ଗାନିଜ ଚୋରିକରି କେନ୍ଦୁଝର ପଟ ରାସ୍ତାରେ ରାଜ୍ୟ ଓ ରାଜ୍ୟ ବାହାକୁ ଚାଲାଣ କରୁଛନ୍ତି। ରାତିରେ ଶଗଡଭଙ୍ଗା, ଗିଡେଇ, ପାନପୋଷିଆ, ସର୍ଗୀଗଡ, ପାଟମୁଣ୍ଡା ଓ ପୋଡାଡାହି ଆଦି ଅଞ୍ଚଳରୁ ଟ୍ରକ ମାଙ୍ଗାନିଜ ଚାଲାଣ ହେଉଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ନିୟମିତ ଭାବେ କାରଣରୁ ହିଂସାକାଣ୍ଡ ଘଟୁଛି।