ଗୁଣିଗାରେଡ଼ି ସନ୍ଦେହ: ବୃଦ୍ଧଙ୍କୁ ହାଣି ହତ୍ୟା ପରେ ପୋଡ଼ି ଦେଲା ଘର

ହତ୍ୟାକାରୀ ଯୁବକ ଗିରଫ

ବଣାଇଁଗଡ: ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ଚାଷ କ୍ଷେତରେ ହାଣି ହତ୍ୟା କରାଯାଇଛି। ହତ୍ୟାକାରୀର ରାଗ ଏତିକିରେ ଶାନ୍ତ ହୋଇ ନଥିଲା। ମୃତ ବୃଦ୍ଧଙ୍କ ଘରେ ନିଆଁ ଲଗାଇ ଦେବାରୁ ତାର ପରିବାରର ସମସ୍ତ ଆସବାବପତ୍ର, ଧାନ ଓ ନଗଦ ଟଙ୍କା ପୋଡ଼ି ପାଉଁଶ ହୋଇଯାଇଛି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏହି ହତ୍ୟାକାଣ୍ଡ ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ପଟ୍ଟାମୁଣ୍ଡା ଗ୍ରାମରେ । ପୁଲିସ ହତ୍ୟାକାରୀ ଯୁବକଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି।

ହତ୍ୟାକାରୀ ଯୁବକ ଟାଙ୍ଗୁରୁ ଗିରି (୨୫)ଙ୍କ ପତ୍ନୀ କିଛି ବର୍ଷ ପୂର୍ବେ ଅଚାନକ ମୃତ୍ୟୁ ଘଟିଥିଲା । ଗାଁର ବୃଦ୍ଧ କାଳିଆ ଦେହୁରୀ (୬୧) ଗୁଣିଗାରେଡ଼ି କରି ତାକୁ ମାରି ଦେଇଥିବା ସେ ସନ୍ଦେହ କରି ଆସୁଥିଲା। ତାକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ଲାଗି ସେ ଯୋଜନା କରିଥିଲା। ଗତକାଲି ସଂଧ୍ୟା ୫ଟା ସମୟରେ କାଳିଆ ନିଜ ପତ୍ନୀ ସରସ୍ବତୀ ଦେହୁରୀ (୪୬)ସହ ଘରପାଖ ଜମିରେ ଆଳୁ ଚାଷ କରୁଥିଲା। ଏତିକି ବେଳେ ହଠାତ୍ ଟାଂଗୁରୁ ଏକ ଦାଉଲି ଧରି ସେଠାରେ ପହଞ୍ଚି କାଳିଆକୁ ଆକ୍ରମଣ କରିଥିଲା। ସେ ତଳେ ପଡିଯିବାରୁ ତାର ମୁଣ୍ଡକୁ ଚୋଟ ପରେ ଚୋଟ ମାରି ହତ୍ୟା କରିଥିଲା। କାଳିଆର ମୁଣ୍ଡରେ ଗଭୀର କ୍ଷତ ହେବା ସହିତ ପ୍ରବଳ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଥିଲା।

କାଳିକାକୁ ହତ୍ୟା କରିବା ପରେ ବି ଟାଙ୍ଗୁରୁ ରାଗ ଶାନ୍ତ ହୋଇନଥିଲା। ସେ କାଳିଆ ଘରେ ନିଆଁ ଲଗାଇ ଦେଇଥିଲା। ଫଳରେ ଘର ଦୁଇଟି ବଖରା ରେ ଥିବା ଆସବାବ ପତ୍ର, ଧାନ, ଚାଉଳ, ନଗଦ ଟଙ୍କା, ଜମି ପଟ୍ଟା, ବ୍ୟାଙ୍କ୍‌ ପାସ୍ ବୁକ୍‌ ପୋଡି ପାଉଁଶ ହୋଇଯାଇଛି। ଗତ ରାତିରେ ପ୍ରାଣ ଭୟରେ ମୃତ କାଳିଆର ପରିବାର ଲୋକେ ଗାଁରେ ଲୁଚି ରହିଥିଲେ। ଆଜି ସକାଳେ ଏ ସମ୍ପର୍କରେ ମହୁଲପଦା ଥାନାରେ ଅଭିଯୋଗ ହେବା ପରେ ବଣାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୟଦ ମୁଜିବର ରେହମାନ୍, ମହୁଲପଦା ଥାନା ଅଧିକାରୀ ରାଜେଶ କୁମାର ନାୟକ ଏସ୍‌ଆଇ କାର୍ତ୍ତିକେଶ୍ବର ସା, ରାଉରକେଲାରୁ ପୋଲିସ ବୈଜ୍ଞାନିକ ଦଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। କାଳିଆର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ପୁଲିସ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର