ବିଶୋଇ: ଅନ୍ଧବିଶ୍ବାସର ଅର୍ଗଳିରୁ ମୁକୁଳି ପାରୁନାହାନ୍ତି ଲୋକେ। ଡାଆଣୀ ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ କୁରାଢ଼ିରେ ଛେଚି ନୃଶଂସ ଭାବେ ହତ୍ୟା କରିଛି ଜଣେ ଯୁବକ। ସେମାନଙ୍କ ବିଧବା ବୋହୂ ଓ ଅଢ଼େଇ ବର୍ଷର ନାତୁଣୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ମୃତ ଦମ୍ପତି ହେଲେ, ଦେବେନ୍ଦ୍ର ନାଏକ (୭୦) ଓ ତାଙ୍କ ପତ୍ନୀ ଚମ୍ପା। ମୟୂରଭଞ୍ଜଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ କିତାବେଡ଼ା ଗ୍ରାମର ଡୁଙ୍ଗୁରିସାହିରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ। ଅଭିଯୁକ୍ତ ଯୁବକକୁ ପୁଲିସ ଗିରଫ କରିଛି।
ଅଭିଯୋଗ ଅନୁସାରେ, ଗତକାଲି ରାତି ପ୍ରାୟ ୯ଟା ସମୟରେ ଦେବେନ୍ଦ୍ର ନାଏକ ନିଜ ଘର ସାମନାରେ ଥିବା ବିଲାତି କ୍ଷେତରେ ପାଣି ଦେଉଥିବା ବେଳେ ଗ୍ରାମର ଅଜୟ ନାଏକ (୨୩) ସେଠାରେ ପହଞ୍ଚିଥିଲା। କଥାବାର୍ତ୍ତା କରିବା ଭିତରେ ଅଜୟ ଲୁଚାଇ ଧରିଥିବା ଏକ କୁରାଢ଼ିରେ ଦେବେନ୍ଦ୍ରଙ୍କ ମୁଣ୍ଡକୁ ପ୍ରହାର କରିଥିଲା। ଫଳରେ, ଦେବେନ୍ଦ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ତଥାପି ଅଜୟର ରାଗ ଥମିନଥିଲା। ଏହା ପରେ ସେ ଦେବେନ୍ଦ୍ରଙ୍କ ଘରେ ପଶି ତାଙ୍କ ପତ୍ନୀ ଚମ୍ପାଙ୍କ ମୁଣ୍ଡକୁ ବି କୁରାଢ଼ିରେ ଚୋଟ ପକାଇଥିଲା। ଏହା ଦେଖି ପାଖରେ ଶୋଇଥିବା ବୋହୂ ସୁମିତ୍ରା ନିଜର ଅଢ଼େଇ ବର୍ଷର ଝିଅ ମେଘନାକୁ ନେଇ ସେଠାରୁ ଦୌଡ଼ି ପଳାଇଯିବାରୁ ରକ୍ଷା ପାଇଯାଇଥିଲେ। ସୁମିତ୍ରା ନିକଟସ୍ଥ ଏକ ଗ୍ରାମରେ ରାତିତମାମ ଲୁଚିଥିଲେ।
ବର୍ତ୍ତିଗଲେ ପୁତ୍ରବଧୂ ଓ ନାତୁଣୀ
ନିନ୍ଦା ଅପବାଦରୁ ଧର୍ମ ପରିବର୍ତ୍ତନ କରିଥିଲେ
ବାଙ୍ଗିରିପୋଷିରୁ ଅଭିଯୁକ୍ତ ଯୁବକ ଗିରଫ
ଆଜି ସକାଳେ ସୁମିତ୍ରା ନିଜ ଘରକୁ ଆସି ଗତରାତିର ଘଟଣା ସଂପର୍କରେ ଦିଅର ରାବେନ୍ଦ୍ର ନାଏକଙ୍କୁ ଫୋନ୍ ଯୋଗେ ଜଣାଇଥିଲେ। ଖବର ପାଇ ରାବେନ୍ଦ୍ର ଘରେ ପହଞ୍ଚିବା ସହ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ରାଇରଙ୍ଗପୁର ଅତିରିକ୍ତ ଏସ୍ପି ଯଦୁନାଥ ଜେନା ଓ ଏସ୍ଡିପିଓ ଗୋକୁଳାନନ୍ଦ ସାହୁଙ୍କ ତତ୍ତ୍ୱାବଧାନରେ ବିଶୋଇ ଥାନା ଅଧିକାରୀ ମିନି ଭୋଇ ପୁଲିସ ଟିମ୍ ସହିତ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏହାପରେ ବାଙ୍ଗିରିପୋଷି ଥାନା ଅଞ୍ଚଳରୁ ଅଭିଯୁକ୍ତ ଅଜୟକୁ ଗିରଫ କରିଥିଲେ।
ଗୁଣିଗାରେଡ଼ି ସନ୍ଦେହରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଅଭିଯୁକ୍ତ ଅଜୟଙ୍କ ଶିଶୁପୁତ୍ର ଓ ତାଙ୍କ ବାପା ସୁରେନ୍ଦ୍ରଙ୍କ ବାରମ୍ବାର ଦେହ ଖରାପ ହେଉଥିଲା। ଦେବେନ୍ଦ୍ର ଓ ତାଙ୍କ ସ୍ତ୍ରୀ ଚମ୍ପା ଗୁଣିଗାରେଡ଼ି କରୁଥିବାରୁ ଏଭଳି ହେଉଥିବା ଅଜୟ ସନ୍ଦେହ କରି ଆସୁଥିଲା। ଏ ନେଇ ପୂର୍ବରୁ ଅଜୟ ବହୁବାର ଦେବେନ୍ଦ୍ର ଓ ଚମ୍ପାକୁ ଧମକଚମକ ମଧ୍ୟ ଦେଉଥିଲା। ଡାଆଣୀ ସନ୍ଦେହର ବାରମ୍ବାର ନିନ୍ଦା ଅପବାଦରୁ ମୁକୁଳିବା ପାଇଁ ୫ ମାସ ପୂର୍ବରୁ ଦେବେନ୍ଦ୍ର ଓ ତାଙ୍କ ସ୍ତ୍ରୀ ଚମ୍ପା ଖ୍ରୀଷ୍ଟଧର୍ମ ମଧ୍ୟ ଗ୍ରହଣ କରିଥିଲେ। ମାତ୍ର, ଅଜୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଦେବେନ୍ଦ୍ରଙ୍କ ପରିବାରକୁ ଶେଷ କରିଦେବାକୁ ସୁଯୋଗ ଖୋଜୁଥିଲା। ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଅତିରିକ୍ତ ଏସ୍ପି ଶ୍ରୀ ଜେନା ସୂଚନା ଦେଇଛନ୍ତି।