ବ୍ରହ୍ମପୁର/ଚିକିଟି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଓ କେ.ନୂଆଗାଁ ଥାନା ଅଧୀନ ସିଏଚ୍.ଟିକରପଡ଼ା ଗ୍ରାମରେ ଦିବ୍ୟାଙ୍ଗ ଯୁବତୀ ବିଷ୍ଣୁପ୍ରିୟା ସାହୁଙ୍କୁ ହତ୍ୟା ରହସ୍ୟ ଉପରୁ ପରଦା ଉଠିଛି। ଏଥିରେ ସଂପୃକ୍ତ ଜଣେ ମହିଳାଙ୍କ ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ, ସିଏଚ୍.ଟିକରପଡ଼ା ଗ୍ରାମର ରୁବିତା ଅଧିକାରୀ (୪୫) ଓ ଫାଲୁ ଓରଫ୍ ପଦ୍ମନ୍ ସାହୁ (୩୦)। ରୁବିତା ଓ ପଦ୍ମନ୍ ମଧ୍ୟରେ ୭ ବର୍ଷ ଧରି ଅନୈତିକ ସଂପର୍କ ଥିଲା। ଗତ ୮ ତାରିଖ ରାତିରେ ପଦ୍ମନ୍କୁ ବିଷ୍ଣୁପ୍ରିୟା ରୁବିତାର ଘରେ ଥିବା ଦେଖିଦେଇଥିଲେ। ଫଳରେ ଅନୈତିକ ସଂପର୍କ ପଦାରେ ପଡ଼ିଯିବା ଭୟରେ ରୁବିତା ଓ ପଦ୍ମନ୍ ମିଶି ବିଷ୍ଣୁପ୍ରିୟାଙ୍କୁ ତକିଆରେ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲେ। ଏନେଇ ବ୍ରହ୍ମପୁର ଏସ୍.ପି.ଡା.ଶରବଣା.ବିବେକ.ଏମ୍ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ତଦନ୍ତରୁ ଜଣାପଡ଼ିଛି, ବାସୁ ସାହୁଙ୍କ ଝିଅ ମୃତ ବିଷ୍ଣୁପ୍ରିୟା ୮୦ ପ୍ରତିଶତ ମାନସିକ ଦିବ୍ୟାଙ୍ଗ। ସେ ପ୍ରତିଦିନ ତାଙ୍କ ନିଜ ଘରଠୁ ନିକଟରେ ରହୁଥିବା ସାନଭଉଣୀ ଘରକୁ ଶୋଇବାକୁ ଯାଉଥିଲେ। ୮ ତାରିଖ ରାତିରେ ବିଷ୍ଣୁପ୍ରିୟା ଘରେ ରାତ୍ରୀଭୋଜନ ସାରି ଭଉଣୀ ପାଖକୁ ଯାଉଥିଲେ। ଏହି ସମୟରେ ରୁବିତାର ଘର ଭିତରେ ପଦ୍ମନ୍କୁ ବିଷ୍ଣୁପ୍ରିୟା ଦେଖି ଦେଇଥିଲେ। ସେମାନଙ୍କ ଅନୈତିକ ସଂପର୍କ ବିଷୟରେ ଗ୍ରାମବାସୀ ଜାଣିଦେବା ଆଶଙ୍କାରେ ବିଷ୍ଣୁପ୍ରିୟାଙ୍କୁ ରୁବିତା ତାଙ୍କ ଘର ଭିତରକୁ ଟାଣି ନେଇଥିଲେ। ଆଉ ପଦ୍ମନ୍ ଓ ରୁବିତା ମିଶି ବିଷ୍ଣୁପ୍ରିୟାଙ୍କୁ ଖଟରେ ଶୁଆଇ ତକିଆ ଚାପି ଶ୍ବାସରୁଦ୍ଧ କରି ହତ୍ୟା କରିଥିଲେ।
ରୁବିତା ରାତିସାରା ବିଷ୍ଣୁପ୍ରିୟାଙ୍କ ଶବକୁ ନିଜ ଘରେ ରଖିଥିଲା। ଆଉ ୯ ତାରିଖରେ ଶବକୁ ପଡ଼ୋଶୀଙ୍କ ଘର ବାରଣ୍ଡାରେ ପକାଇଦେଇଥିଲା। ସେହି ରାତିରେ ଶବ ଠାବ ହେବା ପରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା ଆରମ୍ଭ କରିଥିଲା। ତଦନ୍ତ ବେଳେ ସନ୍ଧାନୀ କୁକୁର ବାରମ୍ବାର ଘଟଣାସ୍ଥଳ ନିକଟରେ ଥିବା ରୁବିତାର ଘର ଆଡ଼େ ଯିବାରୁ ପୁଲିସ ମନରେ ସନ୍ଦେହ ଜାତ ହୋଇଥିଲା। ରୁବିତାକୁ ପଚରାଉଚରା ବେଳେ ସେ ସବୁ ଦୋଷ ସ୍ବୀକାର କରିବା ସହ ପୁଲିସ ପରେ ଅନ୍ୟତମ ଅଭିଯୁକ୍ତ ପଦ୍ମନ୍କୁ କାବୁ କରିଥିଲା।
ରୁବିତାର ଘରୁ ମୃତକ ବିଷ୍ଣୁପ୍ରିୟାଙ୍କ ହେୟାର୍ କ୍ଲିପ୍, ଭଙ୍ଗାଚୁଡ଼ି ଓ ସାଲ୍ ଆଦି ଜବତ ହୋଇଛି। ସେହିପରି ରକ୍ତଭିଜା ତକିଆ ଓ ବେଡସିଟ୍ ମଧ୍ୟ ଜବତ ହୋଇଥିବା ଜଣାପଡ଼ିଛି। ଆଜି ଉଭୟ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ଜେଏମ୍ଏଫ୍ସି କୋର୍ଟକୁ ଚାଲାଣ କରାଯାଇଛି।