ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଏରେଣ୍ଡେଇ ନିକଟ ବୈତରଣୀ ନଦୀରୁ ଡିସେମ୍ବର ୨୪ରେ ବସ୍ତାରେ ଭର୍ତ୍ତି ଏକ ଗଳିତ ଶବ ଉଦ୍ଧାର ହୋଇଥିଲା। ଅନୁସନ୍ଧାନ ପରେ ଏହା ପାଟଣା ଥାନା ମୂଷାଖୋରୀ ଗ୍ରାମର ଭରତ ମୁଣ୍ଡା (୬୦)ଙ୍କର ବୋଲି ଜଣାପଡ଼ିଥିଲା। ଜମିବାଡ଼ି ବିବାଦକୁ କେନ୍ଦ୍ରକରି ତାଙ୍କୁ ତଣ୍ଟିଚିପି ହତ୍ୟା କରାଯିବା ପରେ ଅଖାରେ ପୂରେଇ ବୈତରଣୀ ନଦୀରେ ଫିଙ୍ଗି ଦିଆଯାଇଥିଲା ବୋଲି ଆଜି ପୁଲିସ ସ୍ପଷ୍ଟ କରିଛି। ଏହି ମାମଲାରେ ତିନିଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ଡିଆନାଳୀ ଗ୍ରାମର ରଞ୍ଜିତ ମୁଣ୍ଡା (୨୫), ବଳଭଦ୍ର ମୁଣ୍ଡା (୩୦) ଓ ନବୀନ ମୁଣ୍ଡା (୨୦)।

Advertisment

ପୁଲିସ ସୂଚନା ଅନୁସାରେ, ଭରତ ଏବଂ ଡିଆନାଳୀ ଗ୍ରାମର ରଞ୍ଜିତ ମୁଣ୍ଡାଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ଶତ୍ରୁତା ଥିଲା। ଏହାକୁ କେନ୍ଦ୍ରକରି ଡିସେମ୍ବର ୧୬ ତାରିଖରେ ରଞ୍ଜିତ, ତାଙ୍କ ସମ୍ପର୍କୀୟ କାକା ବଳଭଦ୍ର (୩୦) ଏବଂ ସହଯୋଗୀ ନବୀନ ଏକାଠି ହୋଇ ଭରତଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ। ପରେ ମୃତଦେହକୁ ଏକ ଅଖାରେ ପୂରେଇ ଜିଆଇ ତାରରେ ବାନ୍ଧି ଦେଇଥିଲେ। ଅଭିଯୁକ୍ତମାନେ ମୃତଦେହକୁ ବାଇକ୍‌ରେ ବୋହି ନେଇ ବୈତରଣୀ ନଦୀରେ ଫିଙ୍ଗି ଦେଇଥିଲେ। ଘଟଣାର ୮ ଦିନ ପରେ ଡିସେମ୍ବର ୨୪ ତାରିଖରେ ପାଟଣା ଥାନା ପୁଲିସ ବୈତରଣୀ ନଦୀର ଏରେଣ୍ଡେଇ ନିକଟରୁ ବସ୍ତାରେ ଭର୍ତ୍ତି ଏକ ଗଳିତ ଶବ ଉଦ୍ଧାର କରିଥିଲା। ପ୍ରଥମରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ସନ୍ଦେହ କରୁଥିଲା। ଏନେଇ କେସ୍‌ ନମ୍ବର ୨୬୭/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନଙ୍କ ଠାରୁ ହତ୍ୟାରେ ବ୍ୟବହାର କରାଯାଇଥିବା ବାଇକ୍‌, ଜିଆଇ ତାର ଜବତ କରାଯାଇଛି ବୋଲି ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ ପ୍ରକାଶ କରିଛନ୍ତି।