ମଦ ପାଉଚ ଫିଙ୍ଗାକୁ ନେଇ ହତ୍ୟାକାଣ୍ଡ, ୪ ଅଟକ

ମାଡ଼ପିଟ ସମୟର ଭିଡିଓ ଭାଇରାଲ୍‌

ଲରମ୍ଭା : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଲରମ୍ଭା ଥାନା କୁତୁର୍ଲା ଗାଁରେ ମଦ ପାଉଚର ଖାଲି ପଲିଥିନ ଫିଙ୍ଗାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟି ଜ‌ଣେ ବୃଦ୍ଧ କାର୍ତ୍ତିକ ସାହୁ (୬୨ବର୍ଷ)ଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ପୁଲିସ ସେହି ଗାଁର ଯାଦବ ସାହୁ (୪୦ବର୍ଷ), ସାର୍ଥିକ ସାହୁ (୬୦ବର୍ଷ), ସ୍ନେହଲତା ସାହୁ (୩୨ବର୍ଷ) ଓ ସସ୍ମିତା ସାହୁ (୨୭ବର୍ଷ)ଙ୍କୁ ଅଟକ ରଖିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୨୧ ତାରିଖ ଦିନ ଖାଲି ମଦ ପାଉଚ ପଲିଥିନ ଫିଙ୍ଗା ଘଟଣାକୁ କେନ୍ଦ୍ର କରି କୁତୁର୍ଲା ଗାଁର କାର୍ତ୍ତିକ ସାହୁଙ୍କ ପରିବାର ସହିତ ସେହି ଗାଁର ପୂର୍ଣ୍ଣଚନ୍ଦ୍ର ସାହୁ ଓ ସାର୍ଥିକ ସାହୁଙ୍କ ପରିବାର ଲୋକଙ୍କ ଗଣ୍ଡଗୋଳ ଘଟିଥିଲା। ଗାଁ ରାସ୍ତାରେ ଉଭୟ ଗୋଷ୍ଠୀ ମଧ୍ୟ ଠେଙ୍ଗାରେ ମାଡ଼ପିଟ ହୋଇଥିଲା। ଏ ନେଇ କାର୍ତ୍ତିକଙ୍କ ବୋହୂ ସବିତା ସାହୁ ଲରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅପରପକ୍ଷରେ ପୂର୍ଣ୍ଣଚନ୍ଦ୍ର ଓ ସାର୍ଥିକଙ୍କ ପରିବାର ମଧ୍ୟ ପାଲଟା ଅଭିଯୋଗ କରିଥିଲେ। ମାଡ଼ପିଟ ଘଟଣାରେ କାର୍ତ୍ତିକ ଓ ତାଙ୍କ ପୁଅ ଶ୍ରୀକାନ୍ତ ସାହୁ (୪୫ବର୍ଷ) ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ପରିବାର ଲୋକେ ପ୍ରଥମେ ଘସିଏନ ସିଏଚ୍‌ସିରେ ଚିକିତ୍ସା କରାଇବା ପରେ ପାଟଣାଗଡ଼ ଉପଖଣ୍ତ ଡାକ୍ତରଖାନାକୁ ସ୍ଥାନନ୍ତର କରିଥିଲେ। ସେଠାରେ ଉଭୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଶୁକ୍ରବାର ରାତି ୨ ସମୟରେ ଚିକିତ୍ସାଧୀନ ଅବସ୍ଥାରେ କାର୍ତ୍ତିକଙ୍କ ମୃତ୍ୟୁ ହୋଇଥିଲା। ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ ଖୋଜାଖୋଜି କରୁଛି।

ସୂଚନାଯୋଗ୍ୟ ଯେ, ମାଡ଼ପିଟ ସମୟର ଭିଡିଓ ମଧ୍ୟ ସେତେବେଳେ ଭାଇରାଲ ହୋଇଥିଲା।

ସମ୍ବନ୍ଧିତ ଖବର