ନାବାଳିକା ଝିଆରୀକୁ ପ୍ରେମ ପାଇଁ ଅନର୍‌ କିଲିଂ, ଯୁବକଙ୍କୁ ହତ୍ୟାକରି ମାଲବାହୀ ଟ୍ରେନ୍‌ ଉପରକୁ ଫିଙ୍ଗିଦେଇଥିଲେ

୬ ଗିରଫ ହେଲେ, ୧ ଫେରାର

ରାଉରକେଲା: ସୁଦୂର ଛତିଶଗଡ଼ ରାୟଗଡ଼ରୁ କୋଇଲା ବୋଝେଇ ମାଲବାହୀ ଟ୍ରେନ୍‌ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ହେବା ଘଟଣାର ଆଜି ପର୍ଦ୍ଦାଫାସ ହୋଇଛି। କେବଳ ପ୍ରେମ ବ୍ୟାପାର ଯୋଗୁଁ ଶ୍ରୀନିବାସ ରାଓ ଓରଫ୍‌ ସିନୁ (୨୦)ଙ୍କୁ ନିର୍ମମ ହତ୍ୟା କରାଯାଇଥିବା ପୂର୍ବରୁ ଆଲୋଚନା ହେଉଥିଲା। ତେବେ ଏହି ବିଭତ୍ସ ହତ୍ୟା ପଛରେ ଯେଉଁ କାରଣ ରହିଛି; ତାହା ସମସ୍ତଙ୍କୁ ହତବାକ୍‌ କରିଦଇଛି। ନିଜର ସମ୍ପର୍କୀୟ ଭାଇର ନାବାଳିକା ଝିଅକୁ ପ୍ରେମ କରୁଥିବାରୁ ସମ୍ମାନ ପାଇଁ ହତ୍ୟା (ଅନର୍‌ କିଲିଂ) କରାଯାଇଥିଲା। ଏହି ଘଟଣାରେ ସଂପୃକ୍ତ ୬ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଜଣେ ଅଭିଯୁକ୍ତ ଫେରାର ଅଛି। ଅଭିଯୁକ୍ତମାନେ ହେଉଛନ୍ତି ବନ୍ଧମୁଣ୍ଡା ଫଟାପାଇପ୍‌ ଅଞ୍ଚଳର ବିନୋଦ ସିଂହ ଓରଫ୍‌ ବାବୁ, ଶିବ ସୋନୀ ଓରଫ୍‌ ସିଂହ, ଚନ୍ଦନ ସିଂହ, ବିଶାଳ ରାଠୋର, ଅଜୟ ଶାହ, ରାଜ ସିଂହ ଓରଫ୍‌ ଚକୋଲେଟ୍‌। ଅନ୍ୟତମ ଅଭିଯୁକ୍ତ ଭରତ ଜେନା ଓରଫ୍‌ ‌ଟୁନୀ ଫେରାର ଅଛି।

ମୃତକ ଶ୍ରୀନିବାସ ହେଉଛନ୍ତି ଦେବଗଡ଼ ହାତୀଶାଳ ସାହିର ବାସିନ୍ଦା। ସେ କିଛି ବର୍ଷ ପୂର୍ବେ ରାଉରକେଲା ଆସି ମଙ୍ଗଳଭବନ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ କପଡ଼ା ଦୋକାନରେ କାମ କରୁଥିଲେ। ପ୍ରଥମେ ସେକ୍ଟର-୨୧ ନୟାବଜାରରେ ଏକ ଭଡ଼ାଘରେ କିଛି ଦିନ ରହିଥିଲେ ଓ ପରବର୍ତ୍ତୀ ସମୟରେ ଗୋପବନ୍ଧୁପାଲୀ ଅଞ୍ଚଳରେ ଆସି ରହିଥିଲେ। ୬ ହତ୍ୟାକାରୀଙ୍କ ମଧ୍ୟରୁ ଜଣେ ହେଉଛି ଶ୍ରୀନିବାସଙ୍କ ଦୂର ସମ୍ପର୍କୀୟ ବଡ଼ ବାପାଙ୍କ ପୁଅ ଭାଇ। ଦୂର ସମ୍ପର୍କୀୟ ବଡ଼ଭାଇଙ୍କ ନାବାଳିକା ଝିଅ(୧୫) ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଏନେଇ ପରିବାରଲୋକ ଅବଗତ ହେବାପରେ ଶ୍ରୀନିବାସଙ୍କୁ ବୁଝାସୁଝା କରିବାସହ ଦୂରେଇ ରହିବାକୁ ଧମକଚମକ ଦେଇଥିଲେ। ତଥା ପ୍ରେମ ସମ୍ପର୍କ ପୂର୍ବବତ୍‌ ଜାରି ରହିଥିଲା। ଏଣୁ ଶ୍ରୀନିବାସିଙ୍କୁ ଜୀବନରୁ ମାରିଦେବାକୁ ଅଭିଯୁକ୍ତମାନେ ଯୋଜନା କରିଥିଲେ।

ଯୋଜନା ମୁତାବକ, ଗତ ୨୪ ତାରିଖ ମଧ୍ୟରାତ୍ରୀରେ ଅଭିଯୁକ୍ତମାନେ ଶ୍ରୀନିବାସ ରହୁଥିବା ଗୋପବନ୍ଧୁପଲ୍ଲୀସ୍ଥ ଘରେ ପହଞ୍ଚିଥଇଲେ। ବିଭିନ୍ନ ବାହାନାକରି ତାଙ୍କୁ ଅଭିଯୁକ୍ତ ବିନୋଦ ସିଂହର ଘରକୁ ନେଇ ଲୁହା ରଡ୍‌, ବେସ୍‌ବଲ୍‌ ବ୍ୟାଟ୍‌, କାଠ ଫାଳିଆ ଆଦିରେ ନିର୍ଧୁମ ମାଡ଼ ମାରିଥିଲେ। ଦୀର୍ଘ ସମୟଧରି ନର୍ଧୁମ ମାଡ଼ ମାରିବାରୁ ଶ୍ରୀନିବାସଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ତାଙ୍କର ମୃତ୍ୟୁ ହେବା ଜାଣି ଅଭିଯୁକ୍ତମାନେ ମୃତଦେହକୁ ଅନ୍ୟତମ ଅଭିଯୁକ୍ତ ରାଜ ସିଂହର ଟାଟା ଏସିରେ ଗୋପବନ୍ଧୁପଲ୍ଲୀ ଅଞ୍ଚଳର ରେଳ ଧାରଣା ପାଖରେ ପହଞ୍ଚିଥିଲେ।

ସେତେବେଳେ ପାରାଦୀପରୁ କୋଇଲା ବୋଝେଇ ଏକ ମାଲବାହୀ ଟ୍ରେନ୍‌ ଛତିଶଗଡ଼ ରାୟଗଡ଼ର ପତ୍ରାପାଲୀସ୍ଥ ଜୀନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାୱାର ଲିମିଟେଡ୍‌(ଜେଏସ୍‌ପିଏଲ୍‌)କୁ ଯାଉଥିଲା। ଏହାର ସୁଯୋଗ ନେଇ ଅଭିଯୁକ୍ତମାନେ ମୃତଦେହକୁ ଉକ୍ତ ମାଲବାହୀ ଟ୍ରେନ୍‌ ଉପରକୁ ଫିଙ୍ଗିଦେଇ ସେଠାରୁ ନିଜ ନିଜ ଘରକୁ ଫେରିଆସିଥିଲେ। ଉକ୍ତ ଡ୍ରେନ୍‌ ଜେଏସ୍‌ପିଏଲ୍‌ ଭିତରେ ପହଞ୍ଚିବାପରେ କର୍ମଚାରୀମାନେ କୋଇଲା ଅନଲୋଡ୍‌ କରୁଥିବାବେଳେ ମୃତଦେହ ବିଷୟରେ ଜଣାପଡ଼ିଥିଲା। ସେଠାକାର କୋତ୍ରା ରୋଡ୍‌ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତକଙ୍କ ପରିଚୟ ସନ୍ଧାନରେ ଜୁଟିଯାଇଥିଲା। ଅପରପକ୍ଷରେ ଶ୍ରୀନିବାସ ନିଖୋଜଥିବା ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ଥାନାରେ ଏତଲା ହୋଇଥିଲା। ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ମଧ୍ୟ ତଦନ୍ତ ଜାରି ରଖି ମୃତକଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଥିଲା। ପରେ ବ୍ୟବେଚ୍ଛଦକରି ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର