ପ୍ରେମ ପାଇଁ ହତ୍ୟାକାଣ୍ଡ! ରାତିରେ ମୃତଦେହ ଖୋଜୁଛି ପୁଲିସ

ସମ୍ବଲପୁର: ମୋର ପୁଅ ଦରକାର, ମୋତେ ନ୍ୟାୟ ଦିଅ। ୩ ଦିନ ହେଲା ମୋ ପୁଅ ନିଖୋଜ ଅଛି। ଜଣେ ମହିଳା ତାଙ୍କୁ ଡାକିଦେଲେ ମା’ ସମଲେଇ ମନ୍ଦିର। ସେଠାରୁ ସେ ଆଉ ଫେରିନି। ଏଭଳି ଅଭିଯୋଗ କରିଛନ୍ତି କ୍ଷେତରାଜପୁର ଥାନା ଘେନୁପାଲିର ଅହଲ୍ୟା କୁଅଁର। ମଙ୍ଗଳବାର ୪ଟା ୩୦ରୁ ତାଙ୍କ ପୁଅ ସୁବିନ୍ଦ କୁଅଁର ମା’ ସମଲେଇଙ୍କ ମନ୍ଦିର ନିକଟକୁ ଆସିଥିଲେ। ଜଣେ ମହିଳା ତାଙ୍କୁ ଡାକିଥିଲେ। ସେଠାରୁ ସେ ନିଖୋଜ ହୋଇଯାଇଥିଲେ। ୩ ଦିନ ହେଲାଣି ପୁଅକୁ ନପାଇ ଅସହାୟ ହୋଇପଡ଼ିଛନ୍ତି ମା’ ଅହଲ୍ୟା। ଅହଲ୍ୟାଙ୍କ ସହ ପଡ଼ାର ଶତାଧିକ ମହିଳା ଓ ପୁରୁଷ ଗୁରୁବାର ସନ୍ଧ୍ୟାରେ କ୍ଷେତରାଜପୁର ଥାନା ଘେରାଉ କରି ସୁବିନ୍ଦଙ୍କୁ ଖୋଜିବା ପାଇଁ ଦାବି କରିଥିଲେ।

ଅନ୍ୟପଟେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଲୋକେ ଆଶଙ୍କା କରୁଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୁଲିସ କିଛି ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରିଛି। ତେବେ ସୁବିନ୍ଦଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରି ପାଵାର୍‌ ଚ୍ୟାନେଲ୍‌ରେ ଫିଙ୍ଗି ଦେଇଥିବା ନେଇ ପୁଲିସ ସୁୁରାକ ପାଇଥିବା ସୂଚନା ମିଳିଛି। ପୁଲିସ ମଧ୍ୟ ଅଗ୍ନିଶମ ବାହିନୀ ସହାୟତାରେ ମୃତଦେହକୁ ରାତିଯାଏ ଖୋଜୁଛି। ସେପଟେ ଜଣେ ମହିଳାଙ୍କ ସହ ସୁବିନ୍ଦଙ୍କର ପ୍ରେମ ସମ୍ପର୍କ ଥିଲା, ଯାହା ହତ୍ୟାର ମୁଖ୍ୟ କାରଣ ହୋଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଅନ୍ୟପଟେ ଯେହେତୁ ମୃତଦେହ ମିଳିନାହିଁ, ହତ୍ୟା ହୋଇଥିବା ସତ୍ୟ ବୋଲି କହିହେବ ନାହିଁ ବୋଲି ପୁଲିସ ପକ୍ଷରୁ କହାଯାଇଛି।

ସମ୍ବନ୍ଧିତ ଖବର