ବେଆଇନ ମଦ କାରବାରକୁ ବିରୋଧ କରିବାରୁ ହତ୍ୟା

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ ରବିବାର ବିଳମ୍ବିତ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଖଲ୍ଲିକୋଟ ବ୍ଲକ ବଧିନୂଆଁ ପଲ୍ଲୀ ପଞ୍ଚାୟତ ଅର୍ନ୍ତଗତ କୁଶଢିପା ଛକରେ ବେଆଇନ ମଦ କାରବାରକୁ ବି‌ରୋଧ କରି ଆସୁବାରୁ ମଦ ମାଫିଆ ମାନେ ଜଣେ ଯୁବକଙ୍କୁ ଅତି ନୃସଂଶ ଭାବେ ପଥର ଛେଚି ହତ୍ୟା କରିଛନ୍ତି। ମୃତକ ହେଲେ କୁଶଢିପା ଗ୍ରାମର ହଟିଆ ବାରିକଙ୍କ ପୁଅ କୈଳାସ ବାରିକ(୪୫)। ଏ ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶତାଧିକ ପୁରୁଷ ଓ ମହିଳା ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଖଲ୍ଲିକୋଟ-ଆସିକା ମୁଖ୍ୟରାସ୍ତା ପ୍ରାୟ ୧ ଘଣ୍ଟା ଧରି ଅବରୋଧ କରି ରଖିଥିଲେ। ପୁଲିସ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

ଗତ କିଛି ବର୍ଷ ହେଲା କୁଶଢିପା ଛକରେ ବେଆଇନ ଭାବେ ମଦ କାରବାର ଚାଲିଛି। ପୁଲିସ ଓ ଅବକାରୀ ବିଭାଗର ଜ୍ଞାତ ସାରରେ ଏହି ମଦ କାରବାର ଚାଲିଥିବା ଅଭିଯୋଗ ହୋଇ ଆସୁଛି। ରବିବାର ରାତି ପ୍ରାୟ ୧୦ଟା ସମୟରେ କୁଶଢିପା ଗ୍ରାମର ହଟିଆ ବାରିକଙ୍କ ପୁଅ କୈଳାସ ପାନ ଖାଇବା ଲାଗି ଛକକୁ ଯାଇଥିଲେ। ଏ ସମୟରେ ଛକରେ ଥିବା ବେଆଇନ ମଦ ଦୋକାନରେ କିଛି ଲୋକ ମଦ ପିଇ ପାଟିତୁଣ୍ଡ କରୁଥିଲେ। କୈଳାସ ସେଠାକୁ ଯାଇ ମଦ ଦୋକାନ ବନ୍ଦ କରିବାକୁ କହିଥିଲେ। ଏ ସମୟରେ ଦୋକାନ ଚଳାଇଥିବା ମହିଳା ଜଣକ ଆସି କୈଳାସଙ୍କୁ ଚପଲରେ ପିଟିଥିଲେ। ସେଠାରେ ଥିବା ମଦ୍ୟପ ମାନେ ତାଙ୍କୁ ସମର୍ଥନ କରି ପଥରରେ କୈଳାସଙ୍କୁ ଆକ୍ରମଣ କରିଥିଲେ। କୈଳାସଙ୍କ ଚିତ୍କାର ଶୁଣି ଗ୍ରାମବାସୀ ‌ଦୌଡ଼ି ଆସିଥିଲେ। ଏ ସମୟରେ ସେଠାରେ ରହିଥିବା ମଦ୍ୟପ ଯୁବକମାନେ ମାଉଜର ଦେଖାଇ ଗ୍ରାମବାସୀଙ୍କୁ ଭୟଭୀତ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଗ୍ରାମବାସୀ ଗୁରୁତର ଅବସ୍ଥାରେ କୈଳାସଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପତ୍ନୀ କୁନି ବାରିକ ତାଙ୍କ ଏତଲାରେ ମାମା ପଟ୍ଟନାୟକ, ପ୍ରଦୀପ ପରିଡ଼ା ଓ କାହ୍ନୁ ବେହେରାଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି। ଏହା ଆଧାରରେ ଖଲ୍ଲିକୋଟ ଥାନା ପୁଲିସ (କେସ ନଂ ୧୦୬/୨୦୧୯) ଏକ ହତ୍ୟା ମାମଲା ରୁଜୁ କରିଛି। ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଛି।

ସମ୍ବନ୍ଧିତ ଖବର