ପାତ୍ରପୁର: ଗଞ୍ଜାମ ଜିଲ୍ଲାରେ ବେଆଇନ ମଦ ବେପାରକୁ ବିରୋଧ କରିବା ମହଙ୍ଗା ପଡ଼ିଛି। ପାତ୍ରପୁର ବ୍ଲକ୍ ଓ ଜରଡ଼ା ଥାନା ଅଧୀନ ପଳାସପୁର ଗ୍ରାମର ବୃନ୍ଦାବନ ଜାନି (୫୫) ନାମକ ଜଣେ ଆଦିବାସୀ ନେତାଙ୍କୁ ଦୁର୍ବୃତ୍ତମାନେ ମୁଣ୍ଡକାଟି ହତ୍ୟା କରିଛନ୍ତି। ଶନିବାର ଦିନ ତାଙ୍କ ଖଣ୍ଡବିଖଣ୍ଡିତ ଶବ ମିଳିବା ପରେ ପୂରା ଗ୍ରାମ ସ୍ତବ୍ଧ। ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଶନିବାର ସକାଳେ ଗ୍ରାମ ନିକଟସ୍ଥ ବାଘଲଟି କେନାଲ୍ରୁ ବୃନ୍ଦାବନଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର କରାଯାଇଥିଲା। ଗାଁର ଜଣେ ମଇଁଷି ଜଗୁଆଳି ଗୋଟିଏ ମୁଣ୍ଡବିହୀନ ଶବ ଦେଖି ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ଏହା ବୃନ୍ଦାବନଙ୍କ ଶବ ବୋଲି ଚିହ୍ନଟ ହୋଇଥିଲା। ଚିକିଟି ଏସ୍ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ଓ ଥାନାଧିକାରୀ ଭବାନନ୍ଦ ପ୍ରଧାନଙ୍କ ସହ ପୁଲିସ ଟିମ୍ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଶବଠୁ କିଛି ଦୂର ହୁଡ଼ାରେ ବୃନ୍ଦାବନଙ୍କ କଟାମୁଣ୍ଡ ମିଳିଥିଲା। ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡକୁ କାଟି ହତ୍ୟା କରିବା ପରେ ଶବକୁ ଫୋପାଡ଼ି ଦେଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ପୁଲିସ ଅନୁମାନ କରୁଛି। ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି। ମୃତକଙ୍କ ପତ୍ନୀ ଜେମା ଶବରଙ୍କ ଏତଲା କ୍ରମେ ଏକ ହତ୍ୟା ମାମଲା ରୁଜୁ ସହ ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଛି।
ବୃନ୍ଦାବନ ଜଣେ ସାଧାରଣ ଚାଷୀ। ମାତ୍ର ଗାଁ ଓ ଆଖପାଖ ଅଞ୍ଚଳରେ ବେଆଇନ ମଦ କାରବାରକୁ ସେ ବିରୋଧ କରିଆସୁଥିଲେ। ସ୍ଥାନୀୟ ଲୋକେ ତାଙ୍କର ଏହି କାର୍ଯ୍ୟକୁ ସମର୍ଥନ ଦେଉଥିଲେ। ଚଳିତ ମାସ ପ୍ରଥମ ସପ୍ତାହରେ ମଦ ବ୍ୟବସାୟୀ ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। କିଛି ମଦ ବ୍ୟବସାୟୀଙ୍କୁ ଗ୍ରାମବାସୀ ଅଟକ ରଖିଥିଲେ। ପରେ ଏହାର ଆପୋସ ସମାଧାନ ହୋଇଥିଲା। ବୃନ୍ଦାବନ ବି ଏହି ବୈଠକରେ ଉପସ୍ଥିତ ଥିଲେ।
ଗତ ୧୭ ତାରିଖ ରାତି ସାଢ଼େ ଆଠଟାରେ ବୃନ୍ଦାବନ ଚଣାବାଡ଼ ଦେଖିବାକୁ ଯାଉଥିବା କହି ଘରୁ ବାହାରିଥିଲେ। ସେବେଠାରୁ ଆଉ ଫେରି ନଥିଲେ। ପରିବାରବର୍ଗ ଥାନାର ଆଶ୍ରୟ ନେବା ସହ ସେବେଠାରୁ ଖୋଜାଖୋଜି ଜାରି ରଖିଥିଲେ। ମୃତକଙ୍କ ପରିବାରବର୍ଗ ଏହି ଘଟଣାପାଇଁ ସ୍ଥାନୀୟ ଅଞ୍ଚଳର ମଦ ବ୍ୟବସାୟୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି। ବେଆଇନ ମଦ କାରବାରକୁ ବୃନ୍ଦାବନ ଦୃଢ଼ ଭାବେ ବିରୋଧ କରୁଥିବାରୁ ତାଙ୍କୁ ଜୀବନ ଦେବାକୁ ପଡ଼ିଲା ବୋଲି ଅଭିଯୋଗ କରିଛନ୍ତି। ଗତ ୨୦ ଦିନ ତଳେ ବୁଢ଼ୀଘାଟି ଗ୍ରାମରେ ମଦ ଧରପଗଡ଼ ବେଳେ ପୁଲିସ, ଅବକାରୀ କର୍ମଚାରୀ ଓ ତହସିଲଦାରଙ୍କୁ ଆକ୍ରମଣ ହୋଇଥିଲା। ଏହି ଘଟଣା ସହ ବୃନ୍ଦାବନଙ୍କୁ ହତ୍ୟାର ଲିଙ୍କ୍ ରହିଥିବା ଚର୍ଚ୍ଚା ହେଉଛି। ତେବେ ପୁଲିସ ଏଯାଏ କିଛି ସ୍ପଷ୍ଟ କରିନାହିଁ।