ସାମାନ୍ୟ ବଚସା​ରୁ ବିଭତ୍ସ ହତ୍ୟାକାଣ୍ଡ

ଝାରସୁଗୁଡ଼ା : ସାମାନ୍ୟ ବଚସାରୁ ବିଭତ୍ସ ହତ୍ୟାକାଣ୍ଡ। ଝାରସୁଗୁଡ଼ା ସହରର ବିଟିଏମ୍‌ ଛକରେ ଆଜି ସନ୍ଧ୍ୟାରେ ସାମାନ୍ୟ କଥାକୁ ନେଇ ଚିକେନ୍‌ ଦୋକାନ କରିଥିବା ସଦର ଥାନା ଅନ୍ତର୍ଗତ ବିଟିଏମ୍‌ ରିକ୍ସାପଡ଼ାର ସୀତାରାମ ବନ୍‌ଛୋର(୬୦) ଓ ତାଙ୍କ ପୁତୁରା ବିଜୟ ବେହେରାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଘଟଣାରେ ବିଜୟ ଓ ଭାଇ ଅଜୟ  ଉତ୍ତ୍ୟକ୍ତ ହୋଇ ମାଂସକଟା ଚାପଡ଼ରେ ମଉସା ସୀତାରାମଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ସୀତାରାମଙ୍କ ଦୁଇପୁଅ ପୂର୍ଣ୍ଣଚନ୍ଦ୍ର ଓ ଶିବା ତାଙ୍କୁ ବଞ୍ଚାଇବାକୁ ଯିବାରୁ ତାଙ୍କୁ ମଧ୍ୟ ବିଜୟ ଓ ଅଜୟ ଆକ୍ରମଣ କରିଥିଲେ। ମୁଣ୍ଡ ଓ ବେକରେ ଆଘାତ ଯୋଗୁ ଘଟଣାସ୍ଥଳରେ ହିଁ ସୀତାରାମଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏହାପରେ ଅଭିଯୁକ୍ତ ବିଜୟ ଓ ଅଜୟ ଫେରାର ହୋଇ ଯାଇଥିଲେ। ସୂଚନା ପାଇ ସଦର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ଣ୍ଣଚନ୍ଦ୍ର ଓ ଶିବାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ସଦର ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସ୍ଥାନୀୟ ସୂଚନା ଅନୁସାରେ, ବିଟିଏମ୍‌ ଛକର ଏକାତାଲି ରୋଡ୍‌ରେ ସୀତାରାମଙ୍କ ପରିବାର ଓ ବିଜୟଙ୍କର ୨ଟି ଭିନ୍ନ ଭିନ୍ନ ଦୋକାନ ରହିଛି। ବିଜୟ ପରିବାରର ଦୋକାନ ଧୂଆ ପାଣି ସୀତାରାମଙ୍କ ଦୋକାନରେ ପଶିଥିଲା। ଏହି ଘଟଣାକୁ ନେଇ ସୀତାରାମ ଓ ବିଜୟ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଏହି ସମୟରେ ଶିବା ଓ ପୂର୍ଣ୍ଣଚନ୍ଦ୍ର ଯାଇ ବିଜୟକୁ ଏକ ଚାପୁଡ଼ା ମାରିଥିଲେ। ଏଠାରୁ ହିଁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। କାହିଁକି ଚାପୁଡ଼ା ମାରିଲା କହି ବିଜୟ ଓ ଅଜୟ ମାଂସ କାଟିବାକୁ ଥିବା ଚାପଡ଼ ଧରି ଆକ୍ରମଣ କରିବାକୁ ଗୋଡ଼ାଇଥିଲେ। ପ୍ରଥମେ ସୀତାରାମଙ୍କୁ ସେମାନେ ଚୋଟ ପରେ ଚୋଟ ମାରିଥିବା ବେଳେ ପରେ ପୂର୍ଣ୍ଣଚନ୍ଦ୍ର ଓ ଶିବାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ପ୍ରବଳ ରକ୍ତସ୍ରାବ ଯୋଗୁ ଘଟଣାସ୍ଥଳରେ ହିଁ ସୀତାରାମଙ୍କର ପ୍ରାଣବାୟୁ ଉଡ଼ି ଯାଇଥିବା ବେଳେ ସ୍ଥାନୀୟ ଲୋକେ ଶିବା ଓ ପୂର୍ଣ୍ଣଚନ୍ଦ୍ରଙ୍କୁ ନେଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ବିଜୟ ନାବାଳକ ଥିଲାବେଳେ ମଧ୍ୟ ଏକ ହତ୍ୟା ମାମଲାରେ ଜେଲ୍‌ ଯାଇଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ସୂଚନା ମିଳିଛି। ଏହି ଘଟଣା ପରେ ସଦର ଥାନା ପୁଲିସ ଏକ ସ୍ବତନ୍ତ୍ର ଟିମ ଗଠନ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ସମ୍ବନ୍ଧିତ ଖବର