ଅନୁଗୁଳ : ଏପାଖେ ମଶାଣି, ସେପାଖେ ବି ମଶାଣି। ଦୁଇ ମଶାଣି ଭୂଇଁ ମଝି ପଡ଼ିଆକୁ ଡାକିନେଇ ଘଟାଇଲେ ଅତି ନିର୍ମମ, ବର୍ବର ଓ ଲୋମଟାଙ୍କୁରା ହତ୍ୟାକାଣ୍ଡ। ମାତ୍ର, କେଇଟା ମିନିଟ୍‌ ଭିତରେ ଜଣେ ମାଂସ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ପକାଇଲେ ୩୨ ଚୋଟ। ଗତକାଲି ଅନୁଗୁଳ ସହର ଘାସିସାହି ମୁଣ୍ଡପଡ଼ିଆରେ ଘଟିଥିବା ଛାତିଥରା ହତ୍ୟାକାଣ୍ଡର ଶବ ବ୍ୟବଚ୍ଛେଦ କଲାପରେ ଏକଥା ପଦାକୁ ଆସିଛି।

Advertisment

ସୂଚନା ମୁତାବକ, ହୁଲୁରିସିଂହା ବାସିନ୍ଦା ପ୍ରକାଶ ବେହେରା ଦୀର୍ଘଦିନ ହେଲା ସ୍ଥାନୀୟ ଛକରେ କୁକୁଡ଼ା କାଉଣ୍ଟର୍‌ ଖୋଲିଥିଲେ। ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ହଠାତ୍‌ ନିଜ ଭଣଜାକୁ ଫୋନ୍‌ କରି ଦୋକାନକୁ ଡକାଇଥିଲେ। ମାଂସ ଦୋକାନକୁ ପଲିଥିନ୍‌ ନେଇ ଆସିବାକୁ କହିଥିଲେ। ମାତ୍ର ୧୫ ମିନିଟ୍ ଭିତରେ ଭଣଜା ଆଶିଷ ବେହେରା(୧୯) ଦୋକାନରେ ପହଞ୍ଚିବା କ୍ଷଣି ଦୋକାନରୁ ବାହାରି ଆସିଥିଲେ ପ୍ରକାଶ। ସେହିସମୟରେ ତାଙ୍କ ମୋବାଇଲ୍‌କୁ ତୁହାକୁ ତୁହା ଫୋନ୍‌ କଲ୍ ଆସିଥିଲା। ରାତି ପ୍ରାୟ ୮ଟା ବେଳେ ଦୋକାନରୁ ବାଇକ୍‌ ନେଇ ମାମୁ କୁଆଡ଼େ ପଳାଇଥିଲେ ବୋଲି ଭଣଜା ଆଶିଷ ପ୍ରକାଶ କରିଛନ୍ତି।

ଏହିସମୟରେ ଘାସିସାହି ମୁଣ୍ଡରେ ସ୍ଥାନୀୟ ସାହି ଲୋକଙ୍କୁ ନେଇ ଏକ ବୈଠକ ବସିଥିଲା। ରାତି ପ୍ରାୟ ୯ଟା ବେଳକୁ ହଠାତ୍‌ ଘାସିସାହି ମଶାଣି ଭୂଇଁ ଆଡ଼ୁ ଏକ ଆର୍ତ୍ତ ଚିତ୍କାର ଶୁଣିବାକୁ ମିଳିଥିଲା। ଲୋକେ ଘଟଣାସ୍ଥଳକୁ ଯାଇ ଦେଖିବାରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପ୍ରକାଶ ସେଠି ମରିପଡ଼ିଥିଲେ। ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ପୁଲିସ ଶବ ଜବତ କରିବା ସହିତ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ଘଟଣାସ୍ଥଳରୁ ପ୍ରକାଶଙ୍କ ମୋବାଇଲ୍ ଓ ଗାଡ଼ି ଚାବି ଜବତ କରିଛି। ପ୍ରକାଶ ଜଣେ ମେଳାପି ଓ ସାହାଯ୍ୟକାରୀ ଯୁବକ ଥିବା ବେଳେ ତାଙ୍କୁ କିଏ ଓ କାହିଁକି ମାରିଲା ତାହାକୁ ନେଇ ସବୁଠି ପ୍ରଶ୍ନ ଉଠିଛି।

ମୃତ ପ୍ରକାଶଙ୍କ ସ୍ତ୍ରୀ ରିଙ୍କି ବେହେରାଙ୍କ ଏତଲା କ୍ରମେ ପୁଲିସ କେସ୍‌ ନମ୍ବର ୨୦୦, ଦଫା ୩୦୨ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି।