ବୀରମହାରାଜପୁର/ସୁବଳୟା/ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଫୁଲଚରା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଫୁଲଚରା ଗ୍ରାମର ସୁରଥ ନାଏକ (୫୫)ଙ୍କ ମୃତ୍ୟୁ ହୋଇଛି। ମୃତ ସୁରଥଙ୍କ ପୁଅ ଦୟାନିଧି ନାଏକଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି। ଏହି ଘଟଣାରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ବିଜେଡି ନେତା ରଞ୍ଜିତ ରଥଙ୍କ ସହ ଅନ୍ୟ ଦୁଇଜଣଙ୍କୁ ପୁଲିସ ଥାନାରେ ଅଟକ ରଖିଛି।
ପୁଲିସରେ ହୋଇଥିବା ଅଭିଯୋଗ ଅନୁଯାୟୀ, ବୁଧବାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ବୀରମହାରାଜପୁରଠାରେ ଦଳୀୟ କର୍ମୀ ଓ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟ କ୍ରମଥିଲା। କିନ୍ତୁ, ବିଳମ୍ବ ହେବାରୁ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସୁରଥ ଗାଁରୁ ବୀରମହାରାଜପୁର ଆସିଥିଲେ। ସନ୍ଧ୍ୟା ୬ ଟାରେ ଘରକୁ ଫେରି ଶୌଚ ପାଇଁ ନିକଟସ୍ଥ ହରିହର ଯୋରକୁ ଯାଇଥିଲେ। ତାଙ୍କ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। କୌଣସି ପତ୍ତା ନମିଳିବାରୁ ରାତି ୨ଟାରେ ପରିବାର ଲୋକେ ବୀରମହାରାଜପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପତ୍ରରେ ବିଜେଡି ନେତା ନୂଆଗଡ଼ ଗ୍ରାମର ଶ୍ରୀ ରଥ, ଫୁଲଚରା ଗ୍ରାମର ନିରାକାର ଖଣ୍ଡାୟତ ଓ ଶୋଭାକର ଖଣ୍ଡାୟତ ହତ୍ୟା ଉଦ୍ଦେଶ୍ୟରେ ସୁରଥଙ୍କୁ ଅପହରଣ କରିଥିବା ଦର୍ଶାଇଥିଲେ।
ଗୁରୁବାର ସକାଳେ ଫୁଲଚରା ଗ୍ରାମର ନିରାକାର ଓ ଶୋଭାକରଙ୍କୁ ପୁଲିସ ଥାନାକୁ ଆଣି ଅଟକ ରଖିଥିଲା। ସେତେବେଳ ଯାଏଁ ସୁରଥଙ୍କ କୌଣସି ପତ୍ତା ମିଳି ନଥିଲା। ତେଣୁ ତାଙ୍କୁ ଠାବ କରିବା ସହ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବି କରି ମୃତକଙ୍କ ପରିବାର ଲୋକେ ଗ୍ରାମବାସୀ ଓ ବଜେପି କର୍ମୀମାନେ ଗୁରୁବାର ବୀରମହାରାଜପୁର ମୁଖ୍ୟରାସ୍ତା ଅବରୋଧ କରିଥିଲେ। ତେବେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ଖୁବ୍ଶୀଘ୍ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ରାସ୍ତାରୋକରୁ ହଟିଥିଲେ। ଗୁରୁବାର ବହୁ ଖୋଜାଖୋଜି ପରେ ଅପରାହ୍ଣରେ ସୁରଥଙ୍କ ମୃତଦେହକୁ ଫୁଲଚରା ଗ୍ରାମଠାରୁ ପ୍ରାୟ ଦେଢ଼ କିମି ଦୂର ମହାନଦୀ ହରିହରଯୋର ମୁହାଣ ନିକଟସ୍ଥ ଏକ କୂଅରୁ ଉଦ୍ଧାର କରାଯାଇଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଥିବା ଏବଂ ତଣ୍ଟିଚିପି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା କହାଯାଉଛି। ପରେ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଥାନାକୁ ଆଣି ଅଟକ ରଖିଛି। ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବୀରମହାରାଜପୁର ଡାକ୍ତରଖାନାକୁ ନିଆଯାଇଥିଲା। ଏହି ମାମଲାର ତଦନ୍ତଭାର ଆଇଆଇସି ଶୋଭକର ସେଠ୍ ନେଇଛନ୍ତି।