ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠରେ ଜାତୀୟ ରାଜପଥ କଡ଼ରେ ଥିବା ଏକ ଢାବାରେ ଆଜି ସଂଧ୍ୟାରେ ଏକ ହତ୍ୟାକାଣ୍ଡ ଘଟିଛି। ୩/୪ଜଣ ଯୁବକଙ୍କ ଛୁରାମାଡ଼ରେ ବାର୍‌ର ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ବାର୍ ସମ୍ମୁଖରେ ଭିଡ଼ ନକରିବା ଓ ଗାଡ଼ି ପାର୍କିଂକୁ ନେଇ ଉପଜୁଥିବା ଗଣ୍ଡଗୋଳକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ମୃତ କର୍ମଚାରୀ ହେଲେ ଅମୀୟ ବାରିକ। ତାଙ୍କ ଘର ଖୋର୍ଦ୍ଧା ଉପରସାହିର ବୋଲି ଜଣାପଡ଼ିଛି। ବାର୍ ବାହାରେ ଲାଗିଥିବା ସିସିଟିଭି ଫୁଟେଜ୍ ପୁଲିସ୍‌ ହାତରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ଅପରାଧୀଙ୍କୁ ଚିହ୍ନଟ କରାଯିବ ବୋଲି ପୁଲିସ୍‌ ପ୍ରକାଶ କରିଛି।

Advertisment

ଆଜି ଅପରାହ୍ଣ ପ୍ରାୟ ୫ଟା ବେଳେ ଖୋର୍ଦ୍ଧା ଉପକଣ୍ତ ଗଡ଼ଖୋର୍ଦ୍ଧା ଛକ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥର କଡ଼ରେ ଥିବା ପାଢ଼ୀ ବାର୍‌ରେ ମଦ କିଣିବା ପାଇଁ କିଛି ଯୁବକ ପହଞ୍ଚିଥିଲେ। ବାର୍ ସମ୍ମୁଖରେ କାର୍ ରଖି ମଦ କିଣିବାକୁ ଯାଇଥିଲେ। ତେବେ କରୋନା କଟକଣାରେ ବାର୍ ସମ୍ମୁଖରେ ଭିଡ଼ ନକରିବା ଓ ଗାଡ଼ି ପାର୍କିଂ ନକରିବାକୁ ବାର୍‌ର କର୍ମଚାରୀ ଅମୀୟ ବାରିକ (୪୮) ସେମାନଙ୍କୁ କହିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ସହ ଠେଲାପେଲା ହୋଇଥିଲା। ଏହାପରେ ଯୁବକମାନେ ସେଠାରୁ ଚାଲିଯାଇଥିଲେ। ଏହି ଘଟଣାର ପ୍ରାୟ ୧ ଘଣ୍ଟା ପରେ ପୂର୍ବର ଯୁବକମାନେ ପୁଣି ସେଠାରେ ପହଞ୍ଚିଥିଲେ। ବାର୍ ବାହାରେ ବସିଥିବା ଅମୀୟ ବାରିକ ଓ ଅନ୍ୟଜଣେ କର୍ମଚାରୀଙ୍କୁ ଖଣ୍ତା, ଛୁରି ଧରି ଗୋଡ଼ାଇଥିଲେ। ଯୁବକମାନଙ୍କୁ ଆକ୍ରମଣ କରିବାକୁ ଆସୁଥିବା ଦେଖି ଅମୀୟ ଓ ଅନ୍ୟଜଣେ କର୍ମଚାରୀ ସୁନିଲ ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ତେବେ ଅମୀୟ ସେଠାରେ ପଡ଼ିଯିବାରୁ ତାଙ୍କୁ ୭/୮ଥର ଛୁରିରେ ଭୁସି ଥିଲେ। ଅମୀୟ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଅଚେତ ହୋଇପଡ଼ିଯାଇଥିଲେ। ପରେ ସେଠାକୁ ହେଟେଲ୍‌ର ଅନ୍ୟ କର୍ମଚାରୀମାନେ ଦୌଡ଼ି ଆସିବା ଦେଖି ଆକ୍ରମଣକାରୀ ଯୁବକମାନେ ସେଠାରୁ କାର୍‌ରେ ବସି ଦ୍ରୁତଗତିରେ ଭୁବନେଶ୍ବର ଦିଗକୁ ଚାଲିଯାଇଥିଲେ। ହୋଟେଲ୍‌ର ଅନ୍ୟକର୍ମଚାରୀମାନେ ଅମୀୟଙ୍କୁ ମୁମୂର୍ଷୁ ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ପାଇବା ପରେ ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ, ଥାନା ଅଧିକାରୀ ଉମାଶଙ୍କର ସିଂହ ସଦଳବଳେ ବାର୍‌ରେ ପହଞ୍ଚି ତଦନ୍ତ କରିବା ସହିତ ବାର୍‌ର ସିସିଟିଭି ଫୁଟେଜ୍‌କୁ ଜବତ କରିଥିଲେ। ଏସ୍‌ପି ଶ୍ରୀ ସ୍ବାଇଁ କହିଛନ୍ତି ଯେ, ଏନେଇ ୨୪୩/୨୦୨୦ରେ ଏକ ମାମଲା ରୁଜୁ ହୋଇଛି। ଫରେନ୍‌ସିକ୍ ଟିମ୍ ଆସି ଘଟଣାସ୍ଥଳ ଯାଞ୍ଚ କରି ଫେରିଛନ୍ତି। ସିସିଟିଭି ଫୁଟେଜ୍‌କୁ ମଧ୍ୟ ଯାଞ୍ଚ କରାଯାଉଛି। ସିସିଟିଭିରୁ ଓ କାର୍ ନମ୍ବରରୁ ଅପରାଧୀଙ୍କ ପରିଚୟ ମିଳିଛି। ସେମାନେ ଭୁବନେଶ୍ବର ନୟାପଲ୍ଲୀରେ ଅପରାହ୍ଣ ୩ଟା ବେଳେ ଗଣ୍ତଗୋଳ କରିଥିବା ମଧ୍ୟ ଜଣାପଡ଼ିଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ।