କୁକୁଡ଼ାଖଣ୍ଡି : ଜଣେ ଯୁବକଙ୍କୁ ବିଳମ୍ବିତ ରାତିରେ ଘରୁ ଡକାଇ ନିକଟସ୍ଥ ଏକ କାଜୁ ତୋଟା ଭିତରେ ହତ୍ୟା କରାଯିବା ଭଳି ଅତ୍ୟନ୍ତ ରହସ୍ୟପୂର୍ଣ୍ଣ ଘଟଣା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଓ କୁକୁଡ଼ାଖଣ୍ଡି ବ୍ଲକ୍ ଅଧୀନ ନୂଆବାଇଗଣବାଡ଼ି ଗ୍ରାମରେ ଘଟିଛି। ରାସ୍ତା ପାର୍ଶ୍ବ କାଜୁତୋଟାରୁ ଆଜି ସକାଳେ ଜଣେ ଯୁବକଙ୍କ ଶବକୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ, ସଦର ଥାନା ଅଧୀନ ବଉଳଝୋଳି ଗ୍ରାମର ନିରଞ୍ଜନ ବିଷୋୟୀଙ୍କ ପୁଅ ଉମାଚରଣ ବିଷୋୟୀ ଓରଫ୍ କାଳିଆ (୨୬)। ଗତକାଲି ରାତି ୧୨ଟାରେ ନୂଆ ବାଇଗଣବାଡ଼ି ଗ୍ରାମର ଜଣେ ଯୁବତୀ ଉମାଚରଣଙ୍କ ବାପାଙ୍କୁ ହଠାତ୍ ଫୋନ୍ କରିଥିଲେ। ଖବର ଦେଇଥିଲେ, ‘ତୁମ ପୁଅ କାଜୁତୋଟାରେ ପଡ଼ି ଛଟପଟ ହେଉଛି।’ ବାପା ନିରଞ୍ଜନ ଓ ଭାଇ ଧର୍ମା ବିଷୋୟୀ କାଜୁତୋଟାରେ ପହଞ୍ଚିବା ବେଳକୁ ଉମାଚରଣଙ୍କ ମୃତ୍ୟୁ ହୋଇ ସାରିଥିଲା। ଉମାଚରଣଙ୍କୁ ରାତିରେ ଫୋନ୍ କରି ଏଠାକୁ ଡକା ଯାଇଥିଲା। ସେଠାରେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରା ଯାଇଥିବା ଅନୁମାନ କରାଯାଉଛି। କିନ୍ତୁ ପୁଲିସ ପକ୍ଷରୁ ଏଯାଏ କିଛି ସ୍ପଷ୍ଟ ହୋଇପାରିନି। ସେହିପରି ଶରୀରରେ କୌଣସି କ୍ଷତ ଚିହ୍ନ ନଥିବାରୁ ତାଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରାଯ ଯାଇଥିବା ପୁଲିସ ସନ୍ଦେହ କରୁଛି। ଏହି ଘଟଣାରେ ସଂପୃକ୍ତ ଯୁବତୀ ଓ ତାଙ୍କ ପରିବାରର ଭୂମିକା ହିଁ ସନ୍ଦେହ ଘେରକୁ ଆସିଛି।
ତେବେ ଉମାଚରଣଙ୍କ କିଭଳି ପରିସ୍ଥିତିରେ ମୃତ୍ୟୁ ହେଲା? ଏହି ଘଟଣାରେ ଉକ୍ତ ଯୁବତୀଙ୍କ ଭୂମିକା କ’ଣ ଓ ସେ ରାତି ୧୨ଟାରେ ସେହି କାଜୁ ତୋଟାରେ କ’ଣ କରୁଥିଲେ? ଯୁବତୀଙ୍କ ସହ ଉମାଚରଣଙ୍କ କୌଣସି ସଂପର୍କ ଥିଲା କି? ଘଟଣସ୍ଥଳରୁ ଯୁବତୀ କୁଆଡ଼େ ଉଭାନ୍ ହୋଇଗଲେ? ଏହା କ’ଣ ଏକ ଯୋଜନାବଦ୍ଧ ହତ୍ୟା? ଯୁବତୀଜଣକ ମୃତ ଉମାଚରଣଙ୍କ ବାପାଙ୍କ ମୋବାଇଲ୍ ନମ୍ବର କେମିତି ଜାଣିଲେ? ବର୍ତ୍ତମାନ ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିବାକୁ ହେବ ତଦନ୍ତକାରୀ ପୁଲିସକୁ।
କିନ୍ତୁ ଘଟଣାର ରହସ୍ୟ ବିଷୟରେ ଏଯାଏ ପୁଲିସ କୌଣସି ସୁରାକ୍ ପାଇପାରିନି। ସେହିପରି ଉମାଚରଣଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ମଧ୍ୟ ନାହିଁ। ଶବ ପାଖରୁ ତାଙ୍କ ପଲସର୍ ବାଇକ୍, ମୋବାଇଲ୍, ବାଇକ୍ ଚାବି ଓ ଚପଲ୍ ଜବତ ହୋଇଛି। ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରି ସଦର ଥାନା ପୁଲିସ କେସ୍ ନମ୍ବର ୭୭ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରା ଯାଇଥିବା ବେଳେ ଉମାଚରଣଙ୍କ ମୋବାଇଲ୍ କଲ୍ ରେକର୍ଡ଼ ଯାଞ୍ଚ୍ ପରେ ହିଁ ସବୁ ରହସ୍ୟ ସାମ୍ନାକୁ ଆସିବ। ସଂଗୃହୀତ ସମସ୍ତ ତଥ୍ୟକୁ ଆଧାର କରି ତଦନ୍ତକୁ ତ୍ବରାନ୍ବିତ କରାଯାଇଥିବା ସଦର ଥାନାଧିକାରୀ ମହେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନାନୁସାରେ, ଉମାଚରଣ ଗୋଳନ୍ଥରାସ୍ଥିତ ମାମୁ ଘରେ ରହି ଏକ ଟେଣ୍ଟ୍ହାଉସ୍ରେ ଗାଡ଼ିଚାଳକ ଭାବେ କାମ କରୁଥିଲେ। ବଉଳଝୋଳିରେ ବାପାମାଆ ଓ ପରିବାରବର୍ଗ ରହୁଛନ୍ତି। ଗତକାଲି ରାତି ପ୍ରାୟ ୧୨ଟାରେ ନୂଆବାଇଗଣବାଡ଼ି ଗ୍ରାମର ଜଣେ ଯୁବତୀ ଉମାଚରଣଙ୍କ ବାପାମାଆକୁ ନିଜ ମୋବାଇଲ୍ରୁ ଫୋନ୍ କରି କାଜୁତୋଟାକୁ ଡାକିଥିଲେ। ସେଠାରେ ଉମାଚରଣ ପଡ଼ି ଛଟପଟ ହେଉଥିବା କହିଥିଲେ। ତେବେ ଉମାଚରଣଙ୍କ ବାପା ଓ ଭାଇ ରାତାରାତି ପହଞ୍ଚି ପୁଣି ଉକ୍ତ ଯୁବତୀଙ୍କୁ ଫୋନ୍ କରି ଘଟଣାସ୍ଥଳ ବିଷୟରେ ପଚାରିଥିଲେ। ଆଉ ଯୁବତୀଜଣକ ଉମାଙ୍କୁ ଦେଖାଇ ହଠାତ୍ ସେଠାରୁ ଫେରାର୍ ହୋଇ ଯାଇଥିଲେ। କିନ୍ତୁ ସେତେବେଳକୁ ଉମାଚରଣଙ୍କ ମୃତ୍ୟୁ ହୋଇ ସାରିଥିଲା।
ଖବର ପାଇ ସଦର ଥାନାଧିକାରୀ ଶ୍ରୀ ସାହୁ ଟିମ୍ ସହ ପହଞ୍ଚି ଛାନ୍ଭିନ୍ କରିଥିଲେ। ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠା ଯାଇଥିଲା। ପରେ ପୁଲିସ ଉକ୍ତ ଯୁବତୀଙ୍କ ଘରକୁ ଯାଇ ତାଙ୍କ ବୟାନ୍ ରେକର୍ଡ଼ କରିଥିଲା। କିନ୍ତୁ ଯୁବତୀଜଣକ ସଠିକ୍ ଉତ୍ତର ଦେଇ ପାରୁ ନଥିଲେ। ଏହାସହ ତାଙ୍କ ବାପା ମଧ୍ୟ ଘରେ ନଥିଲେ।