ବସ୍ତା ବନ୍ଧା ଅଜଣା ଶବ ଉଦ୍ଧାର ମାମଲାର ପର୍ଦ୍ଦାଫାସ: ଟ୍ରକ୍ ଲୋଭରେ ଗୁଜରାଟ ମାଲିକଙ୍କୁ ହତ୍ୟା

ଛତିଶଗଡରେ ହତ୍ୟା କଲେ, ଓଡିଶାରେ ଫିଙ୍ଗିଲେ ଓ କୋଲକାତାରେ ଧରାପଡିଲେ

ସୁନ୍ଦରଗଡ଼/ବଡ଼ଗାଁ: ଗୁଜରାଟରୁ ଆସିଲେ, ଛତିଶଗଡରେ ହତ୍ୟା କଲେ, ଓଡିଶାରେ ଫିଙ୍ଗିଲେ ଓ କୋଲକାତାରେ ଧରାପଡିଲେ। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ମରଚିମୁଣ୍ଡା ଛକରୁ ଏପ୍ରିଲ ୧୦ ତାରିଖ ସକାଳେ ଏକ ବସ୍ତାରେ ବନ୍ଧା ଅଜଣା ମୃତଦେହ ଉଦ୍ଧାର ମାମଲାର ପର୍ଦ୍ଦାଫାସ କରି ପୁଲିସ ହତ୍ୟାକାଣ୍ଡର ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛି। ମୃତଦେହଟି ଗୁଜରାଟର କଚ୍ଛ ଜିଲ୍ଲା ମଣ୍ଡେଇ ତହସିଲ ଅନ୍ତର୍ଗତ ଗଡ଼ଶିସା ଗାଁର ଅକ୍ରାମ ରଜାକ ରାୟାମ୍। ଟ୍ରକ ପରିବହନରେ ନିଜେ ଡ୍ରାଇଭିଂ କରି ବିଭିନ୍ନ ରାଜ୍ୟକୁ ସାମଗ୍ରୀ ନେଇ ଯାଉଥିବା ଅକ୍ରାମଙ୍କୁ ତାଙ୍କ ଟ୍ରକ୍ ହେଲ୍ପର ସୁରଜିତ ସିଂଙ୍କ ସମେତ ସହଯୋଗୀ ଜାଗିର ସିଂ ଓ ପୋଲ୍ ହତ୍ୟା କରିଥିବା ପୁଲିସ ସ୍ପଷ୍ଟ କରିଛି।

ଟ୍ରକକୁ ବିକିଵା ଲୋଭରେ ସୁରଜିତ ଓ ଅନ୍ୟମାନେ ଏ କାଣ୍ଡ ଭିଆଇଥିବା ପୁଲିସ କହିଛି। ମୁଖ୍ୟ ଅଭିଯୁକ୍ତ ସୁରଜିତ ସିଂ ଧରା ପଡିଥିବା ବେଳେ ଫେରାର ଥିବା ଅନ୍ୟ ଦୁଇ ସହ ଅଭିଯୁକ୍ତ ଖୁବ୍ ଶୀଘ୍ର ଧରାପଡିବେ ବୋଲି ଏସପି ସାଗରିକା ନାଥ କହିଛନ୍ତି। ମଙ୍ଗଳବାର ସନ୍ଧ୍ୟା ୬ଟାରେ ଏସପି ଶ୍ରୀମତୀ ନାଥ ହତ୍ୟାକାଣ୍ଡର ସବିଶେଷ ବିବରଣୀ ରଖିଥିଲେ। ବଡ଼ଗାଁ ଥାନାରୁ ପ୍ରାୟ ୩ କିମି ଦୂର ବିଜୁ ଏକ୍ସପ୍ରେସ ୱେ ମରଚିମୁଣ୍ଡା ଛକ ନିକଟରେ ଏକ ପରିତ୍ୟକ୍ତ ସ୍ଥାନରେ ଏକ ବସ୍ତାରେ ହାତଗୋଡ଼ ବନ୍ଧା ଅଜଣା ମୃତଦେହ ଉଦ୍ଧାର ହୋଇଥିଲା। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ ହେବା ପରେ ଏସପି ଶ୍ରୀମତୀ ନାଥଙ୍କ ତତ୍ତ୍ବାବଧାନ ଓ ରାଜଗାଙ୍ଗପୁର ଏସଡିପିଓଙ୍କ ନେତୃତ୍ବରେ ଛତିଶଗଡ଼ ଓ ପଶ୍ଚିମବଙ୍ଗକୁ ୨ଟି ଅନ୍ତଃରାଜ୍ୟ ଟିମ ସମେତ ୩ଟି ସ୍ବତନ୍ତ୍ର ଟିମ୍ ତନାଘନା ଆରମ୍ଭ କରିଥିଲା। ସାଇବର ସେଲ୍ ତଦନ୍ତରେ ସହଯୋଗ କରିଥିଲା। ଠିକ୍ ଏହି ସମୟରେ ଛତିଶଗଡ଼ ଯାଇଥିବା ଗୁଜରାଟର ଅକ୍ରାମ ୮ ତାରିଖରୁ ନିଖୋଜ ଥିବା ସୂଚନା ମିଳିଥିଲା।

ଏନେଇ ପରିବାର ଲୋକେ ୧୨ ତାରିଖରେ ଛତିଶଗଡ଼ ବିଳାସପୁର ଜିଲ୍ଲା ଚକ୍ରବର୍ତ୍ତୀ ଥାନାରେ ଏତଲା ଦେଇଥିଲେ। ଅକ୍ରାମ ନିଜ ୧୦ ଚକିଆ କଣ୍ଟେନର (ଜିଜେ ୦୧ ଜେଡି ୨୫୫୨)ରେ ୫ ତାରିଖରେ ସୁରଟରୁ ଲୁଗା ନେଇ ବିଳାସପୁର ଯାଇଥିଲେ। ୮ ତାରିଖ ଅପରାହ୍ନ ୫ଟାରେ ବିଳାସପୁରରେ ଲୁଗା ବୋଝ ଓହ୍ଲାଇଥିଲେ। ଏହା ପରଠାରୁ ଅକ୍ରାମଙ୍କ ସହ ପରିବାର ଲୋକଙ୍କ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା। ଅକ୍ରାମଙ୍କ ବାପା ୧୨ ତାରିଖରେ ବିଳାସପୁର ଆସି ପୁଅ ସହ ଟ୍ରକ ବି ନିଖୋଜ ଥିବା ଜାଣିବାକୁ ପାଇଥିଲେ। ବଡଗାଁ ପୁଲିସ ଓ ଛତିଶଗଡ଼, ପଶ୍ଚିମବଙ୍ଗ ପୁଲିସର ନିଷ୍ଠାପର ତଦନ୍ତ ପରେ ଟ୍ରକଟି ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଠାବ ହୋଇଥିଲା। ଏହା ପରେ କିଛି ମାସ ତଳେ ଅକ୍ରାମଙ୍କ ଟ୍ରକରେ ନିୟୋଜିତ ହେଲ୍ପର ପଞ୍ଜାବର ସୁରଜିତ ସିଂ ଉପରେ ପୁଲିସର ସନ୍ଦେହ ହୋଇଥିଲା। ତାକୁ ଫୋନ ଟ୍ରାକ କରି ଧରିବା ପରେ ସବୁ କଥା ସାମ୍ନାକୁ ଆସିଥିଲା। ବିଳାସପୁରରେ ଲୁଗା ଓହ୍ଲାଇବା ପରେ ଛତିଶଗଡ଼ ଭାଟାପରାରେ ଅକ୍ରାମଙ୍କୁ ହେଲ୍ପର ଓ ତାର ଦୁଇ ସହଯୋଗୀ ଟ୍ରକ ପାନାରେ ଆକ୍ରମଣ କରି ହତ୍ଯା କରିବା ପରେ ଶବକୁ ବସ୍ତାରେ ଭର୍ତ୍ତି କରି ବଡ଼ଗାଁ ନିକଟରେ ଫିଙ୍ଗି ଟ୍ରକକୁ ପଶ୍ଚିମବଙ୍ଗରେ ବିକିବାକୁ ନେଇ ଯାଇଥିଲେ।

ସମ୍ବନ୍ଧିତ ଖବର