କଟକ: ଅଟୋ ବ୍ୟବସାୟକୁ କେନ୍ଦ୍ର କରି ଚଣ୍ଡୀମନ୍ଦିର ସାମନାରେ ହତ୍ୟାକାଣ୍ଡ ଘଟିଛି। ଜଣେ ଅଟୋ ଚାଳକ ଆଉ ଜଣେ ଅଟୋ ଚାଳକଙ୍କୁ ଲୁହା ବ୍ୟାରିକେଡରେ ଛେଚି ଛେଚି ହତ୍ୟା କରିଛି। ଏହି ଘଟଣାରେ ମୃତ ଅଟୋ ଚାଳକ ହେଉଛନ୍ତି ସତୀଚଉରା ଇଦ୍ଘା କଲୋନିର ମହମ୍ମଦ ରୋସନ୍(୪୨। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଅଟୋ ଚାଳକ ଅଟୋ ସହିତ ଫେରାର ହୋଇଯାଇଛି। ଲାଲବାଗ ଥାନା ପୁଲିସ ଏହି ଘଟଣାରେ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ଦିନ ଦ୍ବିପ୍ରହରରେ ଏଭଳି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ସତୀଚଉରା ଇଦଘା କଲୋନିରେ ରହୁଥିବା ରୋସନ୍ ଚଣ୍ଡୀମନ୍ଦିର ନିକଟରେ ଅଟୋ ଚଳାନ୍ତି। ସେଠାରେ ଖଟବିନ୍ ସାହିର ସରିଫ୍ ଖାଁ(୪୨) ମଧ୍ୟ ଅଟୋ ଚଳାଏ। ତେବେ ଏହି ଦୁଇ ଜଣ ବିଭିନ୍ନ ସମୟରେ ଯାତ୍ରୀଙ୍କୁ ନେବାକୁ କେନ୍ଦ୍ର କରି ମୁହାଁମୁହିଁ ହୋଇଥାନ୍ତି। ଗୁରୁବାର ସକାଳ ପ୍ରାୟ ୯ଟା ବେଳେ ବକ୍ସିବଜାର ଛକ ନିକଟରେ ଉଭୟ ପିଟାପିଟି ହୋଇଥିବା କୁହାଯାଉଛି। ଅପରାହ୍ନ ପ୍ରାୟ ୪ଟା ବେଳେ ପୁଣି ଥରେ ରୋସନ୍ ଓ ସରିଫ୍ ଚଣ୍ଡୀ ମନ୍ଦିର ନିକଟରେ ହାତାହାତି ହୋଇଥିଲେ। ସରିଫ ସେଠାରେ ଥିବା ଏକ ପୁଲିସ ବ୍ୟାରିକେଡ ନିକଟକୁ ରୋସନକୁ ଟାଣି ନେଇଥିଲା। ଲୁହା ବ୍ୟାରିକେଡରେ ରୋସନଙ୍କ ମୁଣ୍ଡକୁ ଛେଚି ଛେଚି ମାରିଥିଲା। ଫଳରେ ରୋସନଙ୍କ ମୁଣ୍ଡ ଫାଟି ରକ୍ତ ବାହାରିଥିଲା। ତାଙ୍କୁ ସ୍ଥାନୀୟ କିଛି ବ୍ୟକ୍ତି ଅଟୋରେ କଟକ ବଡ଼ ଡାକ୍ତରଖାନାକୁ ନେଇ ଯାଇଥିଲେ। କିନ୍ତୁ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଲାଲବାଗ ଥାନା ପୁଲିସ ରୋସନଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପଟେ ଏହି ଘଟଣାକୁ କେନ୍ଦ୍ର କରି ମୃତ ରୋସନଙ୍କ ସାନ ଭାଇ ମହମ୍ମଦ ସନା ଉଲ୍ଲା ଲାଲବାଗ ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି। ପୁଲିସ ଦଫା ୩୦୨ରେ ଏକ ମାମଲା ରୁଜୁ କରିଛି। ମୃତକଙ୍କ ଅଟୋ ପୁଲିସ ଜବତ କରିଥିବା ବେଳେ ଅଭିଯୁକ୍ତ ସରିଫ ଅଟୋ ସହିତ ଫେରାର ହୋଇଯାଇଛି। ପୁଲିସ ତାକୁ ଗିରଫ କରିବାକୁ ଚଣ୍ଡୀ ମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ସିସି କ୍ୟାମେରା ଫୁଟେଜ ଯାଞ୍ଚ କରୁଥିବା ଲାଲବାଗ ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି।