ପକ୍ଷାଘାତ ରୋଗରେ ଯନ୍ତ୍ରଣା ପାଉଥିଲେ ବୃଦ୍ଧା, କାତିରେ ହତ୍ୟା କଲା ପୁତୁରା

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ନିଜର ବଡ ମା’ ପଦ୍ମାବତୀ ମଣ୍ଡଳ(୭୫)ଙ୍କୁ ଏକ ଧାରୁଆ କାତିରେ ପୁତୁରା ସୀତାରାମ ମଣ୍ଡଳ ହତ୍ୟା କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏନେଇ ଛତ୍ରପୁର ଥାନାରେ ମୃତ ପଦ୍ମାବତୀଙ୍କ ପୁତ୍ର ଦୁର୍ଗାଚରଣ ମଣ୍ଡଳ ଏତଲା ଦେଇଛନ୍ତି ।

ଦୁର୍ଗାଚରଣଙ୍କ ଅଭିଯୋଗ ଅନୁସାରେ ପକ୍ଷାଘାତ ରୋଗରେ ପୀଡିତା ପଦ୍ମାବତୀ ଶଯ୍ୟାଶାୟୀ ଅବସ୍ଥାରେ ଗ୍ରାମର ଘରର ମଝି କୋଠରିରେ ଶୋଇଥିଲେ । ସେତେବେଳକୁ ଦିନ ପ୍ରାୟ ସାଢେ ୧୧ଟା ହେବ । ଘରର ସମସ୍ତ ସଦସ୍ୟ ବାରି ଘରେ ଖାଇବା ପାଇଁ ବସିଥିଲୁ । ହଠାତ୍ ବଡ ଜୋରରେ ଏକ ଶଦ୍ଦ ହେଲା । ପରିବାର ସମସ୍ତେ ଦୌଡି ଆସି ଦେଖିଲା ବେଳକୁ ଗ୍ରାମରେ ଥିବା ତଥା ସଂପର୍କୀୟ ଭାଇ ସୀତାରାମ ମଣ୍ଡଳ(୪୪) ଏକ ଧାରୁଆ କାତିରେ ଆମ୍ଭ ବୃଦ୍ଧା ମା’ର ବେକକୁ କାଟି ଚମ୍ପଟ ମାରିଥିଲା । ଦୁର୍ଗାଚରଣ ମଣ୍ଡଳ ତା’ପଛରେ ଗୋଡାଇ ଥିବାବେଳେ ସେ ଏକ ବୁଦା ଭିତରେ ଲୁଚି କେଉଁ ଆଡେ ଚାଲି ଯାଇଥିଲା । ଏହି ଘଟଣା ସଂପର୍କରେ ସେ ଛତ୍ରପୁର ଥାନା ପୁଲିସକୁ ଜଣାଇଥିଲେ ।

ସୂଚନା ପାଇ ଛତ୍ରପୁର ଥାନା ସେକେଣ୍ଡ ଅଫିସର ସତ୍ୟଜିତ୍ ବେଣିଆ ସୁନ୍ଦରପୁର ଗ୍ରାମରେ ପହଞ୍ଚି ତଦନ୍ତ କରିଛନ୍ତି । ପୁଲିସ କହିବାନୁସାରେ, ସେ ପକ୍ଷଘାତ ରୋଗୀଙ୍କୁ ଏତେ ଦିନ ଧରି କାହିଁକି ବଞ୍ଚାଇ ରଖିଛ ବୋଲି ବିରକ୍ତ ହୋଇ ଏକ ଧାରୁଆ କାତିରେ ବୃଦ୍ଧାଙ୍କୁ ଦୟନୀୟ ଭାବେ ହତ୍ୟା କରିଥିଲା । ଗ୍ରାମବାସୀଙ୍କ ସହଯୋଗରେ ପୁଲିସ ହତ୍ୟାକାରୀ ସୀତାରାମକୁ ଡାଳଖାଇ ମନ୍ଦିର ନିକଟରୁ ଗିରଫ କରିଛି ।

ସମ୍ବନ୍ଧିତ ଖବର