ଦଶହରାରେ ରକ୍ତରଞ୍ଜିତ ବ୍ରହ୍ମପୁର: ଟଙ୍କା ପାଇଁ ପଥର ଫିଙ୍ଗି ହତ୍ୟା

ବ୍ରହ୍ମପୁର : ଦଶହରାରେ ରକ୍ତରଞ୍ଜିତ ହୋଇଛି ବ୍ରହ୍ମପୁର ସହର ପ୍ରେମନଗର ରାସ୍ତା। ଟଙ୍କା ପାଇଁ ଜଣେ ନାବାଳକ କେ.ଗୋପାଳକୃଷ୍ଣ ପାତ୍ର(୪୫) ନାମକ ଜଣେ ବ୍ୟକ୍ତିଙ୍କ ଉପରୁ ପଥର ଫିଙ୍ଗି ହତ୍ୟା କରିବା ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବଡ଼ବଜାର ଥାନା ପୁଲିସ କେସ୍ ନମ୍ବର ୨୫୭/୨୨ରେ ଏକ ହତ୍ୟା ମାମଲା ରୁଜୁ କରିବା ସହିତ ନାବାଳକ(୧୬)କୁ ଜେଜେବିରେ ହାଜର କରିଛି।

ପୁଲିସ ସୂଚନା ଅନୁସାରେ, ‌ଗୋସାଇଁ ନୂଆଗାଁ ଥାନା ଅନ୍ତର୍ଗତ ହରିହରନଗରରେ ରହୁଥିବା ଗୋପାଳକୃଷ୍ଣ ଗତ ୪ତାରିଖ ସଂଧ୍ୟାରେ ପ୍ରେମନଗର ରାସ୍ତା ଦେଇ ଯାଉଥିଲେ। ପ୍ରେମନଗର ପଞ୍ଚୁଦେଉଳ ସାହି ନିକଟସ୍ଥ ମଦ ଦୋକାନ ନିକଟରେ ଜଣେ ନାବାଳକ ତାଙ୍କର ସହଯୋଗୀଙ୍କ ସହିତ ଛିଡ଼ା ହୋଇଥିଲେ। ନାବାଳକ ଜଣକ ଗୋପାଳକୃଷ୍ଣଙ୍କୁ ଅଟକାଇ ଟଙ୍କା ମାଗିଥିଲେ। ହେଲେ ଗୋପାଳକୃଷ୍ଣ ଟଙ୍କା ଦେବାକୁ ମନା କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ନାବାଳକ ଜଣକ ଗୋପାଳକୃଷ୍ଣଙ୍କୁ ଲକ୍ଷ୍ୟ କରି ଏକ ପଥର ଫିଙ୍ଗିଥିଲେ। ପଥର ଗୋପାଳକୃଷ୍ଣଙ୍କ ମୁଣ୍ଡରେ ବାଜିଥିବା ବେଳେ ସେ ତଳେ ପଡ଼ି ଯାଇଥିଲେ। ଏହାପରେ ନାବାଳକ ଜଣକ ଏକ ବଡ଼ ପଥରରେ ତାଙ୍କ ମୁଣ୍ଡ ଓ ମୁହଁକୁ ଛେଚି ଦେଇଥିଲେ। ଫଳରେ ଗୋପାଳକୃଷ୍ଣ ଗୁରୁତର ହୋଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ନାବାଳକକୁ କାବୁ କରିବା ସହିତ ଗୁରୁତର ଗୋପାଳକୃଷ୍ଣଙ୍କୁ ଏମ୍‌କେସିଜି ମେଡିକାଲ ସ୍ଥାନାନ୍ତର କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗୋପାଳକୃଷ୍ଣଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର