ଜହ୍ନାପଙ୍କ: ପାରିବାରିକ କଳହରୁ କରୁଣ ପରିଣତି। କକା ପୁଅର ଟାଙ୍ଗିଆ ଚୋଟରେ ବଡ ବାପା ପୁଅ ଭାଇର ମୃତ୍ୟୁ ଘଟିଛି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ କିରାସିରା (ଖମରିପଡା) ଗାଁରେ। ମୃତକ ଜଣକ ହେଲେ ନନ୍ଦୀକିଶୋର ନାଏକଙ୍କ ସାନ ପୁଅ ନିରଞ୍ଜନ ନାଏକ (୩୦)।
ମିଳିଥିବା ସୂଚନା ଅନୁସାର ପୈତୃକ ସଂପତ୍ତି ଭାଗବଣ୍ଟାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଦୀର୍ଘବର୍ଷ ହେଲା ତିକ୍ତତା ବୃଦ୍ଧି ପାଇଥିଲା। ଆଜି ଏହି ତିକ୍ତତା ହତ୍ୟାକାଣ୍ଡର ରୂପ ନେଇଥିଲା। ନିରଞ୍ଜନ ପିଣ୍ଡାରେ ବସିଥିବା ବେଳେ ଦାଦା ପୁଅ ବିଦ୍ୟାଧର ନାୟକ ତାଙ୍କୁ ଆକ୍ରମଣ କରିଥିଲା। ପ୍ରଥମେ ସେ ନିରଞ୍ଜନଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲା। ଆକ୍ରମଣର ଶିକାର ହେବାପରେ ଏଥିରେ ନିରଞ୍ଜନ ତଳେ ପଡି ଯାଇଥିଲେ l ଏହା ପରେ ବିଦ୍ୟାଧର ଏକ ଟାଙ୍ଗିଆରେ ହାଣି ନିରଞ୍ଜନଙ୍କ ମୁଣ୍ଡ-ଗଣ୍ଡି ଅଲଗା କରି ଦେଇଥିଲା l ପରେ ସେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା।
ତେବେ ଏହି ହତ୍ୟାକାଣ୍ଡର ଖବର ପାଇ ବୌଦ୍ଧ ଥାନା ଅଧିକାରୀ ତପସ୍ୱିନୀ କହଁର, ବଘିଅlପଡା ଫାଣ୍ଡି ଅଧିକାରୀ ତପନ କୁମାର ସ୍ୱାଇଁ, ଜହ୍ନାପଙ୍କ ଫାଣ୍ଡି ଅଧିକାରୀ ମମତା ହେମ୍ବ୍ରମ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ହତ୍ୟାକାଣ୍ଡ ଘଟାଇଥିବା ବିଦ୍ୟାଧର ନାଏକ ଫେରାର ଥିବା ପୁଲିସ ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/a91322b7-4388-44ba-bfa4-917a2142bef8.jpg)