ସୁନ୍ଦରଗଡ଼: କୁତ୍ରା ଥାନା ତୁନମୁରା କାଶୀପଡ଼ା ଡବଲ ମର୍ଡର ଘଟଣାର ଏକ ସପ୍ତାହ ପରେ ଅଭିଯୁକ୍ତ ରାଜୁ ନାଗକୁ ଶନିବାର ରାତିରେ ଧରିବା ପରେ ପୁଲିସ ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି। ରାଜଗାଙ୍ଗପୁର ଏସଡ଼ିପିଓ ଅଭିଷେଜ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ ଯେ ଗତ ରବିବାର ରାତିରେ ଅଭିଯୁକ୍ତ କାର ଡ୍ରାଇଭର ରାଜୁ ନାଗ କାଶୀପଡ଼ାର ପ୍ରେମିକା ଲିପ୍ସା କେର୍କେଟାଙ୍କ ସହ ତାଙ୍କ ସହପାଠୀ ପୁରୁଷ ବନ୍ଧୁ ପ୍ରତାପ ଲାକଡ଼ାଙ୍କୁ ଛୁରିରେ ନିର୍ମମ ହତ୍ୟା କରି ଫେରାର ମାରିଥିଲା। ଘଟଣାର ଏକ ସପ୍ତାହ ବିତିଯାଇଥିବା ବେଳେ ପୁଲିସ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇନଥିଲା। ଫଳରେ ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଥିଲା। ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ ଅଭିଯୁକ୍ତଙ୍କ ସାନଭାଇ ଏବଂ ସଂପର୍କୀୟ ଭାଇକୁ ଅଟକ ରଖି ଜେରା ଚଳାଇ ଥିଲା। ପୁଲିସର ଚାପରେ ଫେରାର ଥିବା ଅଭିଯୁକ୍ତ ରାଜୁ ଶେଷରେ କୋର୍ଟରେ ଆତ୍ମସମର୍ପଣ କରିବା ସୂଚନା ପାଇ ପୁଲିସ ଏହା ପୂର୍ବରୁ ଅଭିଯୁକ୍ତ ରାଜୁ ନାଗକୁ ଗତକାଲି ରାତିରେ ଜଅରୁମାଲ ଜଙ୍ଗଲରୁ ଗିରଫ କରିଥିବା ଏସଡ଼ିପିଓ କହିଛନ୍ତି।

ପୁଲିସର କହିବା ମୁତାବିକ ଅଭିଯୁକ୍ତ ରାଜୁ ଏବଂ ଲିପ୍ସାଙ୍କ ଭିତରେ ୨୦୧୨-୧୩ ରେ ପ୍ରଥମ ପରିଚୟ ହୋଇଥିଲା। ଗତ ୪ବର୍ଷ ହେବ ଉଭୟଙ୍କ ମଧ୍ୟରେ ଘନିଷ୍ଟତା ବଢିବା ସହିତ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ। ଏହା ଭିତରେ ପ୍ରେମିକା ଲିପ୍ସା ଏମବିଏ ପାଠ ପଢିବା ବେଳେ ସହପାଠୀ ପ୍ରତାପ ଲାକ୍ରାଙ୍କ ସହ ବନ୍ଧୁତା ହୋଇଥିଲା। ଏହା ପରେ ଲିପ୍ସା ଧୀରେଧୀରେ ରାଜୁକୁ ଅବହେଳା କରି ଆସୁଥିଲେ। ଲିପ୍ସାଙ୍କ ବ୍ୟବହାର ରାଜୁ ହୃଦୟକୁ ଆଘାତ ଦେଇଥିଲା। ଲିପ୍ସା ଓ ପ୍ରତାପଙ୍କ ଭିତରେ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ଶେଷରେ ଏ ଭଳି ନାରକୀୟ କାଣ୍ଡ ଘଟାଇ ଥିବା ଅଭିଯୁକ୍ତ ରାଜୁ ସ୍ୱୀକାର କରିଥିବା ଏସଡ଼ିପିଓ ଅଭିଷେକ ପାଣିଗ୍ରାହୀ ପ୍ରେସ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି।