ଗୁଣିଗାରେଡି ସଂଦେହରେ ମାଲକାନଗିରିରେ ହତ୍ୟାକାଣ୍ଡ, ଅଭିଯୁକ୍ତ ଗିରଫ

ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଗୁଣିଗାରେଡିକୁ ନେଇ ଅନ୍ଧବିଶ୍ୱାସ ବଢିବାରେ ଲାଗିଛି। ଗୁଣିଗାରେଡି ସଂଦେହରେ ଆଜି ପୁଣି ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି। ଘଟଣାଟି ଘଟିଛି ମାଲକନଗିରିର ବ୍ଲକର ତୁମସାପାଲ୍ଲୀ ଗ୍ରାମରେ। ମୃତକ ହେଲେ ମୁକା ମାଡ଼କାମୀ (୫୫)। ଗିରଫ ଅଭିଯୁକ୍ତଙ୍କ ନାମ ରାମା ସୋଡ଼ି (୬୦)।

ତୁମସାପାଲ୍ଲୀ ଗ୍ରାମର ରାମା ସୋଡିଙ୍କର ପୁଅ ୬ ବର୍ଷ ତଳେ ଜୀବନ ହରାଇଥିଲେ। ପୁଅର ମୃତ୍ୟୁ ପାଇଁ ସେମାାନେ ଗ୍ରାମର ମୁକା ମାଡକାମୀ ଉପରେ ସଂଦେହ କରିଥିଲେ। ମୁକା ହିଁ ଗୁଣି କରି ପୁଅକୁ ହତ୍ୟା କରିଥିବା ରାମା ସୋଡି ବିଶ୍ୱାସ କରିଥିଲେ। ତେବେ ସେତେବେଳେ ମୁକା ମାଡକାମୀଙ୍କୁ କିଛି କହି ନଥିଲେ। କିନ୍ତୁ ଗତ କିଛି ଦିନ ହେଲା ରାମା ସୋଡିର ସ୍ୱାସ୍ଥ୍ୟ ଖରାପ ହେଉଥିବାରୁ ସେ ପୁଣି ମୁକା ଉପରେ ସଂଦେହ କରିଥିଲା। ମୁକା ହିଁ ତାକୁ ମଧ୍ୟ ମାରିବା ପାଇଁ ଚକ୍ରାନ୍ତ କରୁଛି। ଗୁଣିଗାରେଡିକରି ତାଂକର ପରିବାରର ସମସ୍ତଙ୍କୁ ସେ ହତ୍ୟା କରିବ ବୋଲି ପରିବାର ଲୋକେ ଭାବି ନେଇଥିଲେ। କିନ୍ତୁ ଗତକାଲି ପ୍ରତିଶୋଧ ପରାୟଣ ହୋଇ ମୁକା ଶୋଇଥିବା ସମୟରେ ରାମା ଏକ ଧାନ କାଟିବା ଦାଆରେ ହତ୍ୟା କରିଥିଲା।

ଖବର ପାଇ ଆଇଆଇସି ରାମ ପ୍ରସାଦ ନାଗ ପୁଲିସ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ରାମା ସୋଡିକୁ ଗିରଫ କରି ଶବକୁ ଜବତ କରିଥିଲେ। ଶବକୁ ବ୍ୟବଛେଦ ପରେ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।

ମାଲାକନଗିରି ଜିଲ୍ଲାରେ ଗୁଣିଗାରେଡିକୁ ନେଇ ପୁଲିସ ଗତ ସପ୍ତାହ ଧରି ଜିଲ୍ଲା ସାରା ସଚେତନ କରାଉଥିଲେ ମଧ୍ୟ ଲୋକେ ଏହାକୁ ଗ୍ରହଣ କରୁନାହାନ୍ତି। ଜିଲ୍ଲାରେ ବସବାସ କରୁଥିବା ଆଦିବାସୀ ସଂପ୍ରଦାୟରେ ଗୁଣିଗାରେଡିକୁ ପ୍ରବଳ ମାତ୍ରାରେ ବିଶ୍ୱାସ କରାଯାଇଥାଏ। ଗାଁରେ କେହି ଯଦି ଅଜଣା ରୋଗରେ ମୃତ୍ୟୁବରଣ କରନ୍ତି ତେବେ ଏହାକୁ ନେଇଗ୍ରାମରେ ବସବାସ କରୁଥିବା କେହି ଗୁଣିଆକୁ ସଂଦେହ କରାଯାଇଥାଏ। ପରେ କିଛି ଗ୍ରାମବାସୀ ଏହାର ପ୍ରତିଶୋଧ ନେଇଥାନ୍ତି। କିନ୍ତୁ ପ୍ରକୃତରେ ଏଭଳି କୌଣସି ଗୁଣିଗାରେଡି ହୋଇନଥାଏ। କେବଳ ସଂଦେହରେ ହିଁ ହତ୍ୟା କରାଯାଇଥାଏ।

ସମ୍ବନ୍ଧିତ ଖବର