ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଗଞ୍ଜପାରା ପଂଚାୟତର ହାତିବେନା (ଆଦିବାସୀ) ଗ୍ରାମରେ ପୈତୃକ ଚାଷ ଜମିକୁ ନେଇ କଅଁଲ ଗଣ୍ଡ ନିଜ କକା କାଡ଼ିଆ ଗଣ୍ଡଙ୍କ ପୁଅ ଦେବସିଂ ଗଣ୍ଡ (୪୫)ଙ୍କୁ ଟାଙ୍ଗିଆରେ ହତ୍ୟା କରିଥିବା ଜଣାପଡିଛି। ଏହି ହତ୍ୟାକାଣ୍ଡ ସମୟରେ କମଲଙ୍କ ପତ୍ନୀ ଆଉ ଝିଅ ସହଯୋଗ କରିଥିବା ଅଭିଯୁକ୍ତ ସ୍ବୀକାର କରି ରାଇଘର ଥାନାରେ ନିଜ ପରିବାର ସହିତ ଆତ୍ମସମର୍ପଣ କରିଛନ୍ତି। ଅପରପକ୍ଷରେ ଘଟଣାସ୍ଥଳରେ ଉମରକୋଟ ଏସଡିପିଓ ଦୀନେଶ କୁମାର ନାୟକ ଉପସ୍ଥିତରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ଦେବସିଂ ଗଣ୍ଡଙ୍କ ଜେଜେବାପାଙ୍କ ପୈତୃକ ଚାଷ ଜମି ଆଜି ପର୍ଯ୍ୟନ୍ତ ଭାଗ ବଣ୍ଟା ହୋଇ ନଥିବାରୁ ସମସ୍ତଙ୍କ ଆପୋଷ ବୁଝାମଣାରେ ଚାଷବାସ କରି ନିଜ ନିଜ ପରିବାର ଚଳାଇ ଆସୁଥିଲେ। ଗତବର୍ଷ ଦେବସିଂ ଗଣ୍ଡ ଭାଗରେ ମିଳିଥିବା ଜମିକୁ ମରାମତି କରି ଚାଷ କରିଥିବା ଯୋଗୁଁ ନିଜର ଅଧିକ ଖର୍ଚ୍ଚ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଉକ୍ତ ଜମିକୁ ଚାଷ କରିବା ପାଇଁ ଆଲୋଚନା ନିମନ୍ତେ ନିଜ ବଡ଼ ବାପାର ପୁଅ କଅଁଲ ଗଣ୍ଡଙ୍କ ନିକଟକୁ ଯାଇଥିଲେ। ଆଜି ସକାଳ ପ୍ରାୟ ୯ ଟା ସମୟରେ ଏହି ଚାଷ ଜମିକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିବା ବେଳେ କଅଁଲ ଗଣ୍ଡ ଏକ ଟାଙ୍ଗିଆ ସାହାଯ୍ୟରେ ଦେବସିଂଙ୍କ ମୁଣ୍ଡକୁ ଚୋଟ ପକାଇଥିଲା। ଏହି ସମୟରେ କଅଁଲ ଗଣ୍ଡଙ୍କ ପତ୍ନୀ ବାସନ୍ତି ଗଣ୍ଡ ଓ ଝିଅ ମନବତୀ ଗଣ୍ଡ ତାଙ୍କୁ ସହଯୋଗ କରିଥିଲେ। ଘଟଣା ଘଟାଇବା ପରେ କମଲ ଗଣ୍ଡ ବାସନ୍ତି ଓ ମନବତୀଙ୍କୁ ନେଇ ରାଇଘର ଥାନାରେ ଆତ୍ମସମର୍ପଣ କରିଥିଲେ।
ଅପରପକ୍ଷରେ ଘଟଣା ସମ୍ପର୍କରେ ଦେବସିଂ ଗଣ୍ଡଙ୍କ ପୁଅ ଲମ୍ବୁ ଗଣ୍ଡ ରାଇଘର ଥାନାରେ ଲିଖିତ ଜଣାଇଥିଲେ। ଖବର ପାଇ ରାଇଘର ଥାନା ଅଧିକାରୀ ଟଙ୍କ ଗିରି ଭୋଇ, ଉମରକୋଟ ଏସଡିପିଓ ଦୀନେଶ କୁମାର ନାୟକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏ ନେଇ ରାଇଘର ଥାନାରେ କେସ ନମ୍ବର ୮୪/୨୨ ରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖି ପୁଲିସ ପଚରା ଉଚରା ଚଲାଇଛି। ଏହି ହତ୍ୟାକାଣ୍ଡ ପଛରେ ରହିଥିବା ଆଧିକ ସୂଚନା ପାଇଁ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ସମସ୍ତ ଯାଞ୍ଚ ପ୍ରକ୍ରିୟା ସରିବା ପରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।